ପୁଣି ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ବର : କୋଲକାତାରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ (୬ଇ ୬୦୧୪)ଆଜି ପୂର୍ବାହ୍ନ ୧୧ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏଥିରେ ଥିବା ଜଣେ ଯାତ୍ରୀ ପଶ୍ଚିମବଙ୍ଗର ମହମ୍ମଦ ଅମଜାଦ୍‌ ଅଲ୍ଲୀ ଅସୁସ୍ଥ ଅନୁଭବ କରିବାରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ବିମାନ ଅବତରଣ କରାଯାଇ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ୧୫ରେ ବିମାନ କୋଲକାତା ଛାଡ଼ିଥିଲା। ୧୨ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିବା ଏହା ଦ୍ବିତୀୟ ବିମାନ। ଗତରାତିରେ ମଧ୍ୟ ଏଭଳି ଏକ ଘଟଣା ପାଇଁ ଇଣ୍ଡିଗୋ ବିମାନ ଜରୁରି ଅବତରଣ କରିଥିଲା। ସେଥିରେ ଥିବା ମହିଳା ଯାତ୍ରୀ ଲକ୍ଷ୍ମୀ ଦାସଙ୍କୁ ଚିକିତ୍ସା ପାଇଁ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର