ରାଜଧାନୀରେ ବିମାନ ଅପହରଣ! ଦୁଇ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ୯୮ ଯାତ୍ରୀ

ଭୁବନେଶ୍ୱର : ସମୟ ଅପରାହ୍‌ଣ ସାଢ଼େ ୪ଟା। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖେଳିଗଲା ଆତଙ୍କ। ଖବର ପହଞ୍ଚିଲା କର୍ତ୍ତୃପକ୍ଷଙ୍କ ପାଖ‌ରେ, ଏକ ବିମାନକୁ ଆତଙ୍କବାଦୀ ଅପହରଣ କରିଛନ୍ତି। ବିମାନରେ ଥିବା ୯୮ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖାଯାଇଛି। ଏହି ଖବର ମିଳିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଥିଲା। ପଣବନ୍ଦୀଙ୍କୁ ଆତଙ୍କବାଦୀଙ୍କ କବଳରୁ କେମିତି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେନେଇ ବିମାନବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସ୍ଏଫ୍ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଲା। ବ୍ଲୁ ପ୍ରିଣ୍ଟ ତିଆରି ହେଲା। ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ୨୭ଜଣ ସିଆଇଏସଏଫ୍ କମାଣ୍ଡୋ ଅପରେସନ୍‌ରେ ସାମିଲ ହେଲେ।

ଯାତ୍ରୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇବା ଆଳରେ ପ୍ରଥମେ ଚାରିଜଣ କମାଣ୍ଡୋ ବିମାନ ନିକଟରେ ପହଞ୍ଚିଥି‌ଲେ। ପରେ କୌଶଳକ୍ରମେ ବିମାନ ଭିତରକୁ ଯିବା ପରେ ଯାତ୍ରୀଙ୍କୁ ଖାଦ୍ୟ ଓ ପାଣି ଦେଇଥିଲେ। ଦୁଇ ଆତଙ୍କବାଦୀଙ୍କ ନଜର ଟିକେ ହଟିବାରୁ ୪ କମାଣ୍ଡୋ ଖାଦ୍ୟ ପୁଡ଼ିଆ ଭିତରେ ଥିବା ବନ୍ଧୁକ ବାହାର କରି ସେମାନଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ପରେ ପୂରା ବିମାନକୁ ନିଜ କବ୍‌ଜାକୁ ନେଇ ଯାଇଥିଲେ। ଏହି ଖବର ମିଳିବା ମାତ୍ରେ ବାକି ୨୩ କମାଣ୍ଡୋ ବିମାନ ଭିତରେ ପହଞ୍ଚି ଯାଇଥିଲେ। ସେଥିରୁ କିଛି ବିମାନକୁ ନିଜ ସୁରକ୍ଷାବଳୟ ଭିତରେ ରଖିବା ସହ ଆଉ କିଛି ପଣବନ୍ଦୀ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପ୍ରାୟ ଦେଢ଼ ଘଣ୍ଟାର ଅପରେସନ୍ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ ଓ ଆତଙ୍କବାଦୀ ଗିରଫ ହୋଇଥିଲେ।

ଏହି ଅପହରଣ ସତ ନ ଥିଲା ବରଂ ଏକ ମକଡ୍ରିଲ୍ ଥିଲା। ଆଜି କୋଲକାତାସ୍ଥିତ ପୂର୍ବ ଓ ଉତ୍ତରପୂର୍ବ ସେକ୍ଟରରେ ଅବସ୍ଥାପିତ ସିଆଇଏସ୍ଏଫ୍ ଡିଆଇଜି କେ.ସି. ସାମନ୍ତରାୟ ଭୁବନେଶ୍ବର ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଏହି ମକଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଡିଆଇଜି ଶ୍ରୀ ସାମନ୍ତରାୟ ସିଆଇଏସ୍ଏଫ୍ ବାରାକ୍ ପରିଦର୍ଶନ କରିବା ସମୟରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେଠାରେ ୨୩ ପ୍ରକୋଷ୍ଠ ବିଶିଷ୍ଟ ଏକ ଅଫିସର୍ସ ହଷ୍ଟେଲ ଉଦଘାଟନ କରିଥିଲେ, ଯେଉଁଥିରେ ୪୬ଜଣ ରହିବାର ବ୍ୟବସ୍ଥା ଅଛି। ଅନ୍ୟମାନଙ୍କ ମଧ୍ୟରେ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ, ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ସୁଧୀର କୁମାର, ବିମାନବନ୍ଦର ଓ ସିଆଇଏସଏଫର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର