ନୂଆବର୍ଷରେ ନିରାଶ କଲା ମ୍ୟୁଜିୟମ, ପ୍ଲାନେଟାରିୟମ

ଭୁବନେଶ୍ୱର : ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ ଖୁବ୍‌ କମ୍‌ ପର୍ଯ୍ୟଟନସ୍ଥଳୀ ରହିଛି। ଫଳରେ କୌଣସି ଏକ ସ୍ୱତନ୍ତ୍ର ଦିନରେ ଲୋକମାନେ ଭିଡ଼ ଜମାଇବା ସ୍ୱାଭାବିକ। କିନ୍ତୁ ଆଜି ତିନିଟି ସରକାରୀ ସଂସ୍ଥା ଲୋକଙ୍କୁ ନିରାଶ କରିଛନ୍ତି। ରାଜ୍ୟ ସଂଗ୍ରହାଳୟ, ପ୍ଲାନେଟାରିୟମ୍‌ ଓ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ଆଜି ଖୋଲି ନ ଥିଲା। ସୋମବାର ଏଠାରେ ସାପ୍ତାହିକ ଛୁଟି ଥିବାରୁ ଫାଟକରେ କର୍ତ୍ତୃପକ୍ଷ ତାଲା ପକାଇଦେଇଥିଲେ। ଆଜି ଯେ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିବେ, ସେ ଦିଗରେ କର୍ତ୍ତୃପକ୍ଷ ସାମାନ୍ୟ ଚିନ୍ତା କଲେ ନାହିଁ। ନନ୍ଦନକାନନ ଆଜି ଖୋଲା ରହି ଅନ୍ୟ ଦିନେ ସାପ୍ତାହିକ ଛୁଟି ଘୋଷଣା କରାଯାଇଛି। ଆଦିବାସୀ ସଂଗ୍ରହାଳୟ ମଧ୍ୟ ସମାନ ବ୍ୟବସ୍ଥା କରାଯଇଥିଲା। କିନ୍ତୁ ଏହି ତିନି ସଂସ୍ଥାର କର୍ତ୍ତୃପକ୍ଷ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ପୂରା ଆଖି ବୁଜି ଦେଇଥିଲେ। ଦିନତମାମ ବହୁ ସଂଖ୍ୟାରେ ଲୋକ ଏଠାକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ପର୍ଯ୍ୟଟକଙ୍କ ଫେରିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ବି ଅସନ୍ତୁଷ୍ଟ କରିଥିଲା। ପ୍ଲାନେଟାରିୟମ ବୁଲିବାକୁ ଆସଥିବା ସଲମା ସରୋନ କହନ୍ତି, ‘ଆମେ ସପରିବାର ଏଠାକୁ ବୁଲିବାକୁ ଆସଥିଲୁ। ଭାବିଥିଲୁ ନନ୍ଦନକାନନ ଖୋଲା ଅଛି, ଏହା ବି ଖୋଲା ଥିବ। କିନ୍ତୁ ଏଠାକୁ ଆସି ଜାଣିବାକୁ ପାଇଲୁ ଏହା ବନ୍ଦ ଅଛି। ଏହା ଠିକ୍‌ ହେଲାନି।’ ଆଜି ଏହି ସଂସ୍ଥାଗୁଡ଼ିକ ଖୋଲା ଥିଲେ ଲୋକମାନେ ଖୁସି ହୋଇଥା’ନ୍ତେ ଓ ସରକାରଙ୍କ ରାଜସ୍ୱ ବି ବଢ଼ିଥା’ନ୍ତା। କିନ୍ତୁ ସେ ଦିଗରେ କର୍ତ୍ତୃପକ୍ଷମାନେ ଚିନ୍ତା କଲେନି ବୋଲି ମତପ୍ରକାଶ ପାଉଛି।

ଖୋଲା ରହିଲା ଆଦିବାସୀ ସଂଗ୍ରହାଳୟ

ସିଆର୍‌ପି ଛକ ନିକଟରେ ଥିବା ଆଦିବାସୀ ସଂଗ୍ରହାଳୟ ପ୍ରତ୍ୟେକ ସୋମବାର ବନ୍ଦ ରୁହେ। କିନ୍ତୁ ଆଜି ନୂଆ ବର୍ଷ ପାଇଁ ଆଜି ଏହା ଖୋଲା ଥିଲା। ୧ ହଜାରରୁ ଅଧିକ ଲୋକ ଏଠାକୁ ପରିଦର୍ଶନ କରିବାକୁ ଆସିଥିଲେ। ବୁଲିବାକୁ ଆସିଥିବା ପାଇକନଗରର ଆଶୁତୋଷ ଧଳ କୁହନ୍ତି, ପୁଅ ଝିଅଙ୍କୁ ନେଇ ଆଦିବାସୀ ସଂଗ୍ରହାଳୟ ବୁଲିବାକୁ ଆସିଛି। ଏଠାରେ ବୁଲିବା ତ ହେଉଛି, ତାହା ସହ ବିବିଧ ଆଦିବାସୀ ସଂସ୍କୃତି ଭଲ ଅନୁଭବ ଦେଉଛି।

ସମ୍ବନ୍ଧିତ ଖବର