ଖୋଲିଲା ପ୍ଲାନେଟାରିୟମ୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗତ ମାସ ୧୦ ତାରିଖରୁ ବନ୍ଦ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଆଜିଠାରୁ ଖୋଲିଛି। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବାରୁ ପ୍ଲାନେଟାରିୟମ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ଆଜି ବୁର୍ଲାସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌, ଖଣ୍ଡପଡ଼ାସ୍ଥିତ ପଠାଣି ସାମନ୍ତ ସଂଗ୍ରହାଳୟ, ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଧ୍ୟ ଖୋଲିଛି। କୋଭିଡ୍‌ କଟକଣା ମଧ୍ୟରେ ଆଜି ପର୍ଯ୍ୟଟକମାନେ ଏହି ସବୁର ମଜା ନେଇଛନ୍ତି।

ଆଜି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଚାରିଟି ସୋ’ ହୋଇଥିବା ବେଳେ ମୋଟ ୧୮୫ ଦର୍ଶକ ଦେଖିଥିଲେ। ସେହିପରି ଆଉ କିଛି କେବଳ ପରିସର ବୁଲିବା ପାଇଁ ଆସିଥିଲେ। ବୁର୍ଲା ପ୍ଲାନେଟାରିୟମ୍‌ରେ ତିନୋଟି ସୋ’ରେ ୬୧ଜଣ ଦର୍ଶକ ହୋଇଥିଲେ। ସେହିପରି ଆଜିଠାରୁ ଖୋଲିଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ସାଢ଼େ ୯ଟାରୁ ସଂଧ୍ୟା ୬ଟା ଯାଏ କେନ୍ଦ୍ର ଖୋଲା ରହିଥିବା ବେଳେ ୧୫୦ଜଣ ଦର୍ଶକ ପାର୍କ, ସାଧାରଣ ଗ୍ୟାଲେରି ଓ ଫୁଲ ବଗିଚା ବୁଲି ଦେଖିଥିଲେ। ସେହିପରି ୬ଟାରୁ ସାଢ଼େ ୬ଟା ଯାଏ ଦର୍ଶକମାନଙ୍କ ପାଇଁ ଟେଲିସ୍କୋପ୍‌ରେ ଗ୍ରହ ନକ୍ଷତ୍ର ଦେଖିବାର ବ୍ୟବସ୍ଥା କରାଯାଇଥିଲା। ୩୦ଜଣ ଦର୍ଶକ ଟେଲିସ୍କୋପ୍ ମାଧ୍ୟମରେ ଚନ୍ଦ୍ର ଓ ବୃହସ୍ପତିଙ୍କୁ ଦେଖିଥିଲେ।

ଅପରପକ୍ଷେ ରାଜ୍ୟ ସଂଗ୍ରହାଳୟ ଗତ ୪ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ଖୋଲିବା ପରଠାରୁ ପ୍ରତିଦିନ ପାଖାପାଖି ୧ ହଜାର ଦର୍ଶକ ବୁଲିବା ପାଇଁ ଆସୁଥିବା ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି। ଦର୍ଶକମାନେ ବିଶେଷକରି ପରିସର ମଧ୍ୟରେ ଥିବା ପାର୍କ, କଳିଙ୍ଗ ଆର୍ଟ ଗ୍ୟାଲେରି ଏବଂ ଗାନ୍ଧୀ ଗ୍ୟାଲେରି ବୁଲିବା ପାଇଁ ଆଗ୍ରହୀ ହେଉଥିବା ଦେଖିବାକୁ ମିଳିଛି। ଭିତରେ ଥିବା ପାର୍କରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲଗଛ ସହ ସେଲଫି ଜୋନ୍ କରାଯାଇଥିବାରୁ ସେଠାରେ ଯୁବପିଢ଼ିଙ୍କ ଭିଡ଼ ହେଉଚି। ତେବେ ଜାନୁଆରି ୫ରେ ସରସ୍ବତୀ ପୂଜା ଥିବାରୁ ଭିଡ଼ ହେବାର ଆଶଙ୍କା ଥିବାରୁ ସଂଗ୍ରହାଳୟକୁ ବନ୍ଦ କରାଯାଇଥିଲା। ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସଂଗ୍ରହାଳୟ ଖୋଲା ରହିବ। ସେହିପରି ଗତ ୧ ତାରିଖରୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲା ଯାଇଛି। ପ୍ରତିଦିନ ପାଖାପାଖି ୪୦ଜଣ ଦର୍ଶକ ଆସୁଥିବା ବେଳେ କେବଳ ସରସ୍ବତୀ ପୂଜା ଦିନ ୧୦୦ରୁ ଅଧିକ ଦର୍ଶକ ଆସିଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର