ନୂଆ ରୂପ ପାଇବ ପଠାଣି ସାମନ୍ତ ପ୍ଲାନେଟୋରିୟମ

ଆରମ୍ଭ ହେବ ଆଉ ତିନିଟି ନୂଆ ସୋ’ ମହାକାଶର ସପ୍ତାଶ୍ଚର୍ଯ୍ୟ ଦେଖିବେ ଦର୍ଶକ, ଲାଗିବ ଆରାମଦାୟକ ଚେୟାର

ଭୁବନେଶ୍ୱର: ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଦର୍ଶକ ଦେଖିବେ ୩ଟି ନୂଆ ସୋ’। ଏଥିରେ ରହିଛି ‘ମହାଜାଗତିକ ଜୀବ’, ‘ବିଶ୍ୱର ଜୀବନ ଚରିତ’ ଓ ‘ସପ୍ତାଶ୍ଚର୍ଯ୍ୟ’। ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଏହି ସୋ’ ପ୍ରଦର୍ଶିତ ହେବ। ଆସନ୍ତା ୧ମାସ ପରେ ଏହି ସୋ’ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ଲାନେଟୋରିୟମ୍‌ରେ ଏବେ ୩ଟି ବିଷୟ ଉପରେ ୪ଟି ସୋ’ ପ୍ରଦର୍ଶିତ ହେଉଛି। ଏଥିରେ ଆହୁରି ୩ଟି ନୂଆ ସୋ’ ସାମିଲ ହେବ। ‘ମହାଜାଗତିକ ଜୀବ’ ସୋ’ରେ ବିଶ୍ୱର ଜୀବଜଗତର ସୃଷ୍ଟି କିପରି ହେଲା ଓ ପୃଥିବୀର କେଉଁ ସ୍ଥାନରେ କେଉଁ ଜୀବଜନ୍ତୁ ରହିଛନ୍ତି, ତାହା ଦର୍ଶକ ଦେଖିବାର ସୁଯୋଗ ପାଇବେ। ସେହିପରି ‘ବିଶ୍ୱର ଜୀବନ ଚରିତ’ରେ ବିଶ୍ୱର ସୃଷ୍ଟି ଓ ‘ସପ୍ତାଶ୍ଚର୍ଯ୍ୟ’ ସୋ’ରେ ବିଶ୍ୱର ୭ଟି ଆଶ୍ଚର୍ଯ୍ୟ ଜିନିଷ ଭଳି ମହାକାଶରେ ଥିବା ୭ଟି ଆଶ୍ଚର୍ଯ୍ୟ ଜିନିଷ ଲୋକ ଦେଖିପାରିବେ। ଏହି ସବୁ ସୋ’ର ଅବଧି ୩୦ରୁ ୩୫ମିନିଟ୍‌ ରହିଛି। ସପ୍ତାହର ୬ଦିନ ଏହି ସୋ’ରେ ପ୍ରଦର୍ଶିତ ହେବ ବୋଲି ପ୍ଲାନିଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେହିପରି ପ୍ଲାନେଟୋରିୟମ୍‌ ପରିସରରେ ନିର୍ମାଣାଧୀନ ୩ ମହଲା ବିଲ୍ଡିଂ ମଧ୍ୟ ନୂଆ ରୂପ ପାଇବ। ବିଲ୍ଡିଂର ତଳ ମହଲାରେ ଇସ୍ରୋର ସମସ୍ତ ଯନ୍ତ୍ରପାତି ତଥା ରକେଟ୍‌, ରକେଟ୍‌ର ବିଭିନ୍ନ ମଡେଲ ଓ ପାରସ୍ପରିକ ଆଦାନ ପ୍ରଦାନ କରୁଥିବା କିଛି ମଡେଲ ଓ ମହାକାଶ ବୈଜ୍ଞାନିକମାନଙ୍କର ନୂତନ ଜ୍ଞାନକୌଶଳ ପ୍ରଦର୍ଶିତ ହେବ। ଏହାସହ ପିଲାମାନଙ୍କ ପାଇଁ ଅନଲାଇନ୍‌ରେ ବିଭିନ୍ନ କୁଇଜ୍‌ର ବ୍ୟବସ୍ଥା ରହିବ। ଦ୍ୱିତୀୟ ଓ ତୃତୀୟ ମହଲାରେ ଆଣବିକ ଶକ୍ତି ଉପରେ ବିସ୍ତତ ବିବରଣୀ ପ୍ରଦର୍ଶନ କରାଯିବ। ଜନସାଧାରଣଙ୍କୁ ଆଣବିକ ଶକ୍ତିର ଗୁରୁତ୍ୱ ଓ ଏହାର କ୍ଷତି ସଂପର୍କରେ ସଚେତନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅପରପକ୍ଷେ ପ୍ଲାନେଟୋରିୟମ୍‌ରେ ଦର୍ଶକଙ୍କ ପାଇଁ ଥିବା ସିଟ୍‌ଗୁଡ଼ିକୁ ମଧ୍ୟ ବଦଳାଇ ଦିଆଯିବ। ୨୦୧୨ ମସିହାରେ ପ୍ଲାନେଟୋରିୟମ୍‌ରେ ହଲ୍‌ରେ ଲାଗିଥିବା ‘ମେଣ୍ଟେନାନ୍ସ ଫ୍ରି’ ଚେୟାରଗୁଡ଼ିକୁ ବଦଳାଇ ଏହା ସ୍ଥାନରେ ଦର୍ଶକଙ୍କ ପାଇଁ ଆରାମଦାୟକ ଚେୟାର ଲାଗିବ। ଏବେ ଲାଗିଥିବା ଚେୟାରଗୁଡ଼ିକ ଆରମଦାୟକ ନୁହେଁ ଓ ବହୁତ କମ୍‌ ଦିନରେ ଏହା ଭାଙ୍ଗି ଯାଉଥିବା ବାରମ୍ବାର ଅଭିଯୋଗ ହେଉଛି। ଦର୍ଶକଙ୍କ ଆରାମ ପାଇଁ ପ୍ଲାନିଟୋରିୟମ୍‌ କର୍ତୃପକ୍ଷ ଏହି ଚେୟାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ସିଟ୍‌ଗୁଡ଼ିକ ଗୋଟେ ମୁହାଁ ହୋଇ ରହିବ। ଏବେ ୧୮୭ଜଣଙ୍କ ପାଇଁ ବସିବାକୁ ସିଟ୍‌ ଥିବା ବେଳେ ଆରାମ ଦାୟକ ସିଟ୍‌ ଯୋଗୁଁ ଅପେକ୍ଷାକୃତ କମ୍‌ ଦର୍ଶକ ବସିବେ। ତେବେ ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସ ଆଡ଼କୁ ଏହି ନୂଆ ସିଟ୍‌ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଛି। ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଛଡ଼ା ରାଜ୍ୟର ଆଉ ୪ଟି ସ୍ଥାନରେ ପ୍ଲାନେଟୋରିୟମ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାୟଗଡ଼ାରେ ୩.୫ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଗୋପାଳପୁରରେ ମଧ୍ୟ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ବେଳେ ସେଥିରୁ ୫ ଏକର ଜମିରେ ସାଇନ୍ସ ସେଣ୍ଟର ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଇଡ୍‌କୋ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର