ଭୁବନେଶ୍ବର: ଓଡ଼ିଶାରେ ସଂସ୍କୃତ ଭାଷା ବିରୋଧରେ ସରକାରୀସ୍ତରରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନେତୃତ୍ବରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସଂସ୍କୃତ ଛାତ୍ରଛାତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦ୍ବାରସ୍ଥ ହୋଇଛନ୍ତି। ସଂସ୍କୃତ ଭାଷା ପ୍ରତି ହେଉଥିବା ଅପମାନ ଓ ଏହାର ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ନବମ ଓ ଦଶମ ଶ୍ରେଣୀ ନିମନ୍ତେ ତୃତୀୟ ଭାଷା ବିଷୟରେ ପୂର୍ବରୁ ସଂସ୍କୃତ, ହିନ୍ଦୀ ସମେତ ସମ୍ବିଧାନର ଅଷ୍ଟମ ସୂଚୀରେ ଥିବା ୨୨ଟି ଭାଷା ବିକଳ୍ପ ଆକାରରେ ରହିଥିଲା। ହେଲେ ଦୁଇ ବର୍ଷ ହେଲା ଧନ୍ଦାମୂଳକ ଶିକ୍ଷାକୁ ବିକଳ୍ପ ଭାବେ ତୃତୀୟ ଭାଷା ବିଷୟରେ ରଖାଯାଇଛି। ଧନ୍ଦାମୂଳକ ଶିକ୍ଷାକୁ ସ୍ବତନ୍ତ୍ର ପାଠ୍ୟକ୍ରମ ହିସାବରେ ପଢ଼ାଇବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିବା ବେଳେ ଓଡ଼ିଶା ସରକାର କିନ୍ତୁ ସଂସ୍କୃତ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ଶିକ୍ଷାକୁ ପାଠ୍ୟକ୍ରମରେ ପ୍ରଚଳିତ କରିଛନ୍ତି। ଏହାଦ୍ବାରା ସଂସ୍କୃତ ଭାଷାକୁ ଲୁପ୍ତ କରିବାର ଷଡ଼ଯନ୍ତ୍ର କରାଯାଇଛି। ୨୦୧୨ରୁ ୬ଷ୍ଠ ଓ ୭ମ ଶ୍ରେଣୀରେ ସଂସ୍କୃତ ଏକ ବାଧ୍ୟତାମୂଳକ ବିଷୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ନିଯୁକ୍ତ ହୋଇ ନାହାନ୍ତି। ୨୦୧୪ରୁ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ବି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ସଂସ୍କୃତ ବିଷୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକତା ବ୍ୟତୀତ ଆଉ କୌଣସି ଚାକିରିର ବିକଳ୍ପ ନଥିବା ବେଳେ ଏବେ ସେମାନଙ୍କ ଗତି କୁଆଡ଼େ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଥିବା ସମସ୍ତ ସଂସ୍କୃତ ଟୋଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୁନରୁଦ୍ଧାର ଦିଗରେ କୌଣସି ବି ପଦକ୍ଷେପ ନିଆଯାଉନି। ଶହେ ବର୍ଷର ସଂସ୍କୃତ ବିଦ୍ୟାଳୟକୁ ମାଟିରେ ମିଶାଇ ଦେବାକୁ ଚକ୍ରାନ୍ତ କରାଯାଉଛି। ସଂସ୍କୃତ ଭାଷା ବିରୋଧରେ ଏହି ଷଡ଼ଯନ୍ତ୍ରକୁ ହୃଦୟଙ୍ଗମ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ରାଜ୍ୟପାଳ ମଧ୍ୟ ଦାବିଗୁଡ଼ିକୁ ଗମ୍ଭୀରତାର ସହ ଗ୍ରହଣ କରି ଆଗକୁ ପ୍ରାଶାସନିକସ୍ତରରେ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବିଭିପି ପ୍ରତିନିଧି ଦଳରେ ସଂଗଠନର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା, ପୁରୀ ନଗର ସମ୍ପାଦକ ସୌଭାଗ୍ୟ ଦାଶ, ଛାତ୍ର ସାଗର କର, ବିକ୍ରମ କିଶୋର ଦାଶ, ଛାତ୍ରୀ ସାୟଂକା ଶର୍ମା, ସୁମନ୍ତ କୁମାର ପ୍ରଧାନ ପ୍ରମୁଖ ଥିଲେ।
ସଂସ୍କୃତ ଭାଷା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2019/03/Untitled-11-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)