ଭୁବନେଶ୍ୱର: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ବମିଖାଲ ଓଭରବ୍ରିଜ୍ ନୂଆ ଅଡୁଆରେ ଛନ୍ଦି ହୋଇଯାଇଛି। ଏଥିରେ ଥିବା ଟ୍ରାଫିକ୍ ପରିଚାଳନାଗତ ତ୍ରୁଟିକୁ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଶନିବାର ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ଓ କମିସନରେଟ୍ ପୁଲିସ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇଛି। ଯଥେଷ୍ଟ ପରିମାଣରେ ସାଇନ୍ଏଜ୍ ନଥିବାରୁ ଲୋକମାନେ ଭୁଲ୍ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ତିନିଦିଗରୁ ଆସି ପୋଲ ଉପରେ ଥିବା ଜଙ୍କସନଠାରେ ଗାଡ଼ିଗୁଡ଼ିକ ଏକାଠି ହୋଇଯିବା ବେଳେ କୌଣସି ଗାଡ଼ି ଅତିକ୍ରମ କରିପାରୁନାହିଁ। ସବୁ ଗାଡ଼ି ଛିଡ଼ା ହୋଇ ରହିବା ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ସନ୍ଧ୍ୟାରେ ସବୁଠାରୁ ଅଧିକ ହେଉଛି। ଦୁଇଟି କାର୍ କିମ୍ବା ଅଟୋ ଅଟକିଗଲେ ଦୀର୍ଘ ସମୟ ଧରି ଅଚଳାବସ୍ଥା ସୃଷ୍ଟି ହେଉଛି। ଏହାକୁ କିଭଳି ଶୃଙ୍ଖଳିତ କରି ହେବ ସେ ନେଇ ଯୋଜନା ଆରମ୍ଭ ହୋଇଛି। ଏ ନେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଟ୍ରାଫିକ୍ ସମସ୍ୟା ନେଇ ଅଭିଯୋଗ ଆସିବା ପରେ ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଟ୍ରାଫିକ ଡିସିପି, ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ନେଇ ଯୁଗ୍ମ ତଦନ୍ତ ହୋଇଛି। ଜଙ୍କସନରେ ଟ୍ରାଫିକ୍ ପୁଲିସ ମୁତୟନ କରାଯାଇ ସମସ୍ୟାର ସାମୟିକ ସମାଧାନ କରାଯାଇ ପାରେ। କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ। ଯୁଗ୍ମ ତଦନ୍ତ ରିପୋର୍ଟ ଆସିବା ପରେ ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ରାସ୍ତା ବାହାର କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହି ବ୍ରିଜ୍କୁ ଦୀର୍ଘ ୭ବର୍ଷ ଲାଗିଛି। ୨୮କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ଏଥିରେ ୪୪କୋଟି ଖର୍ଚ୍ଚ ହୋଇଛି। ଏଥିରେ ଲୋକମାନେ ସହିଦନଗରରୁ ରସୁଲଗଡ଼ ଛକକୁ ଏବଂ ବମିଖାଲରୁ ସହିଦନଗରକୁ ଯାତାୟାତ କରିପାରିବେ। ଏହି ପୋଲ ଦେଇ ରସୁଲଗଡ଼ରୁ ସହିଦନଗର ଅଭିମୁଖେ ଯାଇହେବ ନାହିଁ, ଯଦି ଯିବେ ତେବେ ରଙ୍ଗ୍ ରୁଟ୍ରେ ଯିବାକୁ ପଡ଼ିବ। ସେହିଭଳି ସହିଦନଗର ପଟୁ ବମିଖାଲ ବା କଳ୍ପନା ଆଡ଼କୁ ଯାଇ ହେବ ନାହିଁ। ଯଦି ଯିବେ ତେବେ ଏସ୍ପ୍ଲାନେଡ୍ ସାମ୍ନାରେ ଓହ୍ଲାଇ ସେଠାରୁ ୟୁଟର୍ଣ୍ଣ ନେଇ ପୁଣି ଓଭରବ୍ରିଜ୍ କଡ଼କଡ଼େ ଯିବେ କିମ୍ବା ବ୍ରିଜ୍ ଉପରେ ଜଙ୍କସନ୍ ପାଖରୁ ରଙ୍ଗ୍ ରୁଟ୍ରେ ଯିବେ। ଭୁବନେଶ୍ବରରେ ଏଭଳି ଏକ ବ୍ୟବସ୍ଥା ପ୍ରଥମ ଥର ହୋଇଥିବାରୁ ଲୋକମାନେ ଜାଣି ନ ପାରି ରଙ୍ଗ୍ ରୁଟ୍ ବ୍ୟବହାର କରୁଥିବା ବେଳେ କେତେକ ସହଜରେ ଯିବା ପାଇଁ ଏହି ରାସ୍ତା ଆପଣେଉଛନ୍ତି। ଏଣୁ ଲୋକମାନେ ଏହି ଦୁଇଟି ରଙ୍ଗ୍ ରୁଟ୍ ବ୍ୟବହାର କରିବାରୁ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଜଙ୍କସନରେ ଗାଡ଼ି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହୁଛି। ୭ ବର୍ଷ ଲାଗି ନିର୍ମାଣ ହୋଇଥିବା ପୋଲରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଭଳି ଏକ ସମସ୍ୟାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ହୋଇଛି।