ଭୁବନେଶ୍ୱର: ଓଡ଼ିଶାରେ ଥିବା ଐତିହ୍ୟଗୁଡ଼ିକୁ ଚିହ୍ନଟ ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବା ସହ ଡକ୍ୟୁମେଣ୍ଟେସନ କରାଯାଇ ପର୍ଯ୍ୟଟନର ପ୍ରଚାର ଓ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଇନ୍ଫୋସିଟି ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ୫ମ ଅନ୍ତର୍ଜାତୀୟ ଐତିହ୍ୟ ନଗରୀ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ, ସହରାଞ୍ଚଳର ବିକାଶ କାର୍ଯ୍ୟକ୍ରମ ସାମାଜିକ ଚଳନି, ସଂସ୍କୃତି ଓ ଐତିହ୍ୟକୁ କେନ୍ଦ୍ର କରି ହେବା ଆବଶ୍ୟକ। ବିଶ୍ୱର ବିଭିନ୍ନ ଦେଶରେ ଏଭଳି ବିକାଶର ନଜିର ରହିଥିବା ବେଳେ ଐତିହ୍ୟ ନଗରି ସମାରୋହ ଏବିଷୟରେ ଜ୍ଞାନ ଆହରଣ କରି ପ୍ରୟୋଗ କରିବା ଦିଗରେ ସହାୟକ ହୋଇପାରିବ। ଓଡ଼ିଶାର ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ, ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ଓଡ଼ିଶା ବେଶ୍ ସମ୍ପୃଦ୍ଧ ହୋଇଥିବା ବେଳେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ଅଧିକାର କରିଛି। କୋଣାର୍କ ମନ୍ଦିର ଏହାର ଉତ୍କର୍ଷ କଳା ଓ ଏଥିରେ ଆତ୍ମପ୍ରକାଶ କରୁଥିବା ସଂସ୍କୃତି ବିଷୟରେ ଅବଗତ କରୁଛି। ମିଳିତ ଜାତିସଂଘର ସଂସ୍ଥା ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ରାଜ୍ୟର ଆହୁରି ଐତିହ୍ୟ ସ୍ଥଳୀ ନାମ ପଞ୍ଜିକୃତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର, ୟୁନେସ୍କୋ ଓ ଇଣ୍ଡିଆନ୍ ହେରିଟେଜ୍ ସିଟିଜ୍ ନେଟ୍ଓ୍ଵାର୍କ ଫାଉଣ୍ଡେସନ (ଆଇଏଚ୍ସିଏନ୍ଏଫ୍)ର ମିଳିତ ସହାଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୟୁନେସ୍କୋର ନିର୍ଦ୍ଦେଶକ ତଥା ଭାରତ, ଶ୍ରୀଲଙ୍କା ପାଇଁ ଭୁଟାନ ପ୍ରତିନିଧି ସୁଗେରୁ ଆୟୋଗି ଯୋଗଦେଇ କହିଲେ, ପ୍ରାକୃତିକ ସମ୍ପଦ ଓ ଐତିହ୍ୟର ସୁରକ୍ଷା କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଶ୍ୱର ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ କି ଐତିହ୍ୟର ସୁରକ୍ଷା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଇଏଚ୍ସିଏନ୍ଏଫ୍ ମୁଖ୍ୟ ଡକ୍ଟର୍ ଏମ୍ ରାମଚନ୍ଦ୍ରନ୍ ସ୍ୱାଗତ ଭାଷଣ ଦେଇ ଆଧୁନିକତାକୁ ଦୃଷ୍ଟିରେ ରଖି ଐତିହ୍ୟର ସୁରକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନେସ୍କୋର ପୂର୍ବତନ ନିର୍ଦ୍ଦେଶିକା ମିନିଜା ୟାଙ୍ଗ୍, ବିଏମ୍ସି କମିଶନର ଡ. କ୍ରିଷନ୍ କୁମାର ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଏହାପରେ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ହେରିଟେଜ୍ ସେଲ୍ରେ ୯୯ ଐତିହ୍ୟ
ଭୁବନେଶ୍ୱରରେ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ ଲାଗି ବିଡିଏ ପକ୍ଷରୁ ହେରିଟେଜ୍ ସେଲ୍ ଖୋଲାଯାଇଛି। ଏହା ମାଧ୍ୟମରେ ହେରିଟେଜ୍ ସାଇନ୍ଏଜ୍, ପୁରୁଣା ଭୁବନେଶ୍ୱରରେ ନୋ-ହୋଡିଂ ଜୋନ୍, ଜବରଦଖଲ ଉଚ୍ଛେଦ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏବେ ସୁଦ୍ଧା ହେରିଟେଜ୍ ସେଲ୍ରେ ୯୯ଟି ଐତିହ୍ୟକୁ ସାମିଲ କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଐତିହ୍ୟ ରହିଛି। ଯେଉଁଗୁଡ଼ିକ ବାକି ରହିଛି ତାହାକୁ କିଭଳି ସାମିଲ କରାଯିବ ସେନେଇ ଗୁରୁତ୍ୱ ଦିଆଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷା କିଶନ୍ କୁମାର କହିଛନ୍ତି।
ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିବ ଆଇଏଚ୍ସିଏନ୍ଏଫ୍
ଆଇଏଚ୍ସିଏନ୍ଏଫ୍ ମୁଖ୍ୟ ଡକ୍ଟର୍ ଏମ୍ ରାମଚନ୍ଦ୍ରନ୍ କହିଛନ୍ତି ଯେ ଓଡ଼ିଶାରେ ଥିବା କୀର୍ତ୍ତିରାଜି ସମ୍ପର୍କରେ ସାରା ଦେଶ ଜାଣିଛି। ଯେଉଁଥିପାଇଁ ପ୍ରଥମ ଥର ଲାଗି ଓଡ଼ିଶାରେ ଏଭଳି ସମ୍ମିଳନୀ କରାଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ପରି ରାଜ୍ୟରେ କେତେକ କାର୍ଯ୍ୟ ଆମେ ହାତକୁ ନେଇଛୁ। ଐତିହ୍ୟର ସଂରକ୍ଷଣ ଦିଗରେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରୁଛୁ। ୟୁନେସ୍କୋ ସହ ରାଜିନାମା କରାଯାଇଛି। ଓଡ଼ିଶା ସରକାରଙ୍କ ସହ ମିଶି ଆଗାମୀ ଦିନରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନେଇ ଏମ୍ଓୟୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।