ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଲାଗି ବ୍ଲୁ ପ୍ରିଣ୍ଟ

ଓୟୁଏଟିର ୩୭ତମ ସମାବର୍ତନ ଉତ୍ସବ ଆଜି

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ଲାଗି ବ୍ଲୁ ପ୍ର୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଲାଗି ଇନ୍‌ଷ୍ଟିଚ୍ୟୁସନ ଡେଭଲ୍‌ପମେଣ୍ଟ ପ୍ଲାନ (ଆଇଡିପି) କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ୩୦ କୋଟି ୭୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଛି। ଗତ ତିନି ବର୍ଷରେ ଏହି ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ମିଳିଥିବା ବେଳେ ରାଜ୍ୟ ସରକାର ୫ କୋଟି ଓ ଓୟୁଏଟି ନିଜସ୍ୱ ପାଣ୍ଠିରୁ ୭୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ଯୋଜନା ମାଧ୍ୟମରେ କୃଷି ଶିକ୍ଷାର ମାନ ବୃଦ୍ଧି କରାଯିବ। ପିଲାଙ୍କ ନିଯୁକ୍ତି, ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦିଆଯିବ। ଆମେରିକା, ଫିଲିପାଇନ୍ସ, ଜାପାନ, କାନାଡ଼ା, ଇଂଲଣ୍ଡ ଭଳି ଦେଶରେ ଥିବା କୃଷି ବିଶ୍ୱବିଦ୍ୟାଳୟ ସହ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ବିନିମୟ କାର୍ଯ୍ୟକ୍ରମ ହେବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରାୟ ୬୦ ଜଣ ଅଧ୍ୟାପକଙ୍କୁ ବାହାର ଦେଶକୁ ପଠାଯିବ। ୯ରୁ ୧୨ ମାସ ଧରି ସେମାନେ ସେଠାରେ ପ୍ରଶିକ୍ଷଣ ନେବେ। ସ୍ନାତକ ବିଭାଗର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାହାର ଦେଶକୁ ପଠାଯିବ। ବିଦେଶର ଶିକ୍ଷକ ଓ ଛାତ୍ରଛତ୍ରୀ ମଧ୍ୟ ଏଠାକୁ ଆସିବେ। ସେମାନଙ୍କ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଏହାଦ୍ୱାରା ବିଭିନ୍ନ ଦେଶର ଗବେଷଣାଲବ୍ଧ ଜ୍ଞାନକୁ ଏଠାରେ ପ୍ରୟୋଗ କରାଯାଇପାରିବ। କୃଷକଙ୍କ ଲାଗି ମଧ୍ୟ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ବୋଲି ଓୟୁଏଟିର ସମାବର୍ତନ ଉତ୍ସବ ପୂର୍ବରୁ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ଗବେଷଣାକୁ ଏଣିକି ବିସ୍ତାରିତ କରାଯିବ। କେବଳ ଓୟୁଏଟି କିମ୍ବା ଖୋର୍ଧା ଜିଲ୍ଲାରେ ବିଭିନ୍ନ ଶସ୍ୟର ଗବେଷଣା ହେବ ନାହିଁ। ଜଳବାୟୁକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ଗବେଷଣା କରିବାକୁ ନିଷ୍ପତ୍ତି ହୋଇଛି। ନବରଙ୍ଗପୁରରେ ମକା, ଢ଼େଙ୍କାନାଳରେ ରାଶି, ଭଦ୍ରକରେ ସୋରିଷ, ଭବାନୀପାଟଣାରେ ରଷୁଣ ଓ ପିଆଜ, ପୁରୀ ଜିଲ୍ଲା ସାକ୍ଷୀଗୋପାଳଠାରେ ନଡ଼ିଆ ଓ ଇଣ୍ଟିଗ୍ରେଟେଡ୍‌ ଫାର୍ମିଂ ଉପରେ ଗବେଷଣା ହେବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା କୁଳପତି ପ୍ରଫେସର ପଶୁପାଳକ କହିଛନ୍ତି।

ବିଦେଶରେ ପ୍ରଶିକ୍ଷଣ ନେବେ ୬୦ ଅଧ୍ୟାପକ
ଦକ୍ଷତା ବିକାଶ ଓ ନିଯୁକ୍ତି ଲାଗି ଖର୍ଚ୍ଚ ହେବ ୩୦ କୋଟି
ବାହାର ବିଶ୍ୱବିଦ୍ୟାଳୟ ସହ ହେବ ଛାତ୍ରଛାତ୍ରୀଙ୍କ ବିନିମୟ

ଦୁଇ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌
ଓୟୁଏଟିର ୩୭ତମ ସମାବର୍ତନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଉତ୍ସବ ଅବସରରେ ବିଶିଷ୍ଟ ବୈଜ୍ଞାନିକ ଡ. ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଓ ଡ. ଏଲ୍‌.ଏନ୍‌. ଆଚାର୍ଯ୍ୟଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ଏଥିସହ ଉତ୍ସବରେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି, ୧୧୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୩ ଜଣ ଲେଖାଏ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ଓ କୁଳପତି ଟ୍ରଫି, ୪୫୨ ଜଣଙ୍କୁ ସ୍ନାତକୋତ୍ତର ଡିଗ୍ରି ଓ ୭୫୨ ଜଣଙ୍କୁ ସ୍ନାତକୋ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ. ଏସ୍‌.ସି. ଜମିର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦେଶକ ତ୍ରିଲୋଚନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। କୃଷି ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଦୀପ ମହାରଥୀ ସମ୍ମାନିତ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର