ସିଲ୍‌ ହେବ ୬୦ ମଣ୍ଡପ! ବେଆଇନ କଲ୍ୟାଣ ମଣ୍ଡପ ନାଁରେ ୟୁପିଏ କେସ୍‌ କରିଛି ବିଡିଏ

ବେଆଇନ କଲ୍ୟାଣ ମଣ୍ଡପ ରିପୋର୍ଟ ଚାପିଦେଲେ, ୫୦ଟିର ଟ୍ରେଡ୍ ଲାଇସେନ୍ସ ନାହିଁ

ଭୁବନେଶ୍ବର: ଘର ପାଇଁ ପ୍ଲାନ୍ ନେଇଛନ୍ତି କିନ୍ତୁ କଲ୍ୟାଣ ମଣ୍ଡପ କରିଦେଇଛନ୍ତି। ଏପରିକି ୬୦ରୁ ଅଧିକ କଲ୍ୟାଣ ମଣ୍ଡପର ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ଅଧିକାଂଶ ତ ବିଡିଏ ଓ ବିଏମ୍‌ସିରୁ ଗୋଟିଏ ପ୍ଲାନ୍ ନେଇ ପୂରା ଭିନ୍ନ ପ୍ଲାନ୍‌ରେ ମଣ୍ଡପ ନିର୍ମାଣ କରିଛନ୍ତି। ନକ୍ସାରେ ଯିଏ ୧୦୦ଗାଡ଼ି ପାର୍କିଂ ବ୍ୟବସ୍ଥା ଦେଖାଇଛି ସେଠାରେ ୧୦ଟି ଗାଡ଼ି ପାର୍କିଂ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସ୍ଥିତି ଯାହା ରାଜଧାନୀରେ ଥିବା ୮୯ଟି କଲ୍ୟାଣ ମଣ୍ଡପ/ କନଭେନସନ୍ ସେଣ୍ଟରରୁ ୬୦ଟି ସିଲ୍‌ ହେବା ଥୟ। କିନ୍ତୁ ଏହାକୁ ବିଏମ୍‌ସି ଓ ବିଡିଏର ବାବୁମାନେ ଚାପି ଦେଇଛନ୍ତି।

ରାଜଧାନୀରେ ବେଆଇନ ଭାବେ ଗଢ଼ି ଉଠିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ଯୋଗୁଁ ପାର୍କିଂ ସମସ୍ୟା ଉପୁଜୁଥିବାରୁ ଏବଂ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିବାରୁ କେଉଁ ଅଞ୍ଚଳରେ କେତେ କଲ୍ୟାଣ ମଣ୍ଡପ/କନଭେନସନ୍ ସେଣ୍ଟର ଅଛି, ସେଗୁଡ଼ିକର ନିର୍ମାଣ ପ୍ଲାନ୍ କ’ଣ ଅଛି, ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ଅଛି କି ନାହିଁ ତାହା ଯାଞ୍ଚ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ନଭେମ୍ବର ୨୧ରେ ବିଏମ୍‌ସି କମିସନର/ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଚିଠି ପାଇବା ପରେ ବିଏମ୍‌ସି ଓ ବିଡିଏ କର୍ମଚାରୀଙ୍କୁ ନେଇ ମିଳିତ ଟିମ୍ ହେଲା। ତିନି ଦିନ ମଧ୍ୟରେ ମଣ୍ଡପଗୁଡ଼ିକର ସର୍ଭେ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହେଲା। ହେଲେ ନିର୍ଦ୍ଦେଶନାମାର ୧୨ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍।

ଏବେ ବାହାଘର ଋତୁ ଚାଲିଥିବାରୁ କେଉଁ କଲ୍ୟାଣମଣ୍ଡପର ସ୍ଥିତି କ’ଣ ଅଛି, ‌କାହା ଯୋଗୁଁ କେଉଁ ପ୍ରକାରର ସମସ୍ୟା ହେଉଛି ତାହା ଜାଣିବାକୁ ବିଏମ୍‌ସି/ବିଡିଏ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଏମ୍‌ସିର ତିନୋଟି ଜୋନ୍‌ରେ ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ବରେ ତିନୋଟି ଟିମ୍ ଗଠନ ହୋଇଥିଲା। ଏଥିରେ ଜଣେ ସହକାରୀ ଯନ୍ତ୍ରୀ, ୱାର୍ଡ ସୁପରଭାଇଜର୍, ୱାର୍ଡ ଅଫିସର, ଅମିନ, ବିଡିଏର ଜଣେ ଏନଫୋର୍ସମେଣ୍ଟ ଅଧିକାରୀ, ବିଏମ୍‌ସି ଓ ବିଡିଏର ପ୍ଲାନିଂ ବିଭାଗର ଜଣେ ଲେଖାଏ ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହୋଇଥିଲା। ମଣ୍ଡପଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ଅନୁମତି ନେଇଥିଲେ, ଏବେ କ’ଣ କରୁଛନ୍ତି, ଏହି ଟିମ୍ ତା’ର ଯାଞ୍ଚ କରିଥିଲେ। ସେମାନଙ୍କର ପାର୍କିଂ ପାଇଁ ନିଜସ୍ବ ଜାଗା ଅଛି କି ନାହିଁ? ଯଦି ଅଛି, ସେଠାରେ କାହିଁକି ପାର୍କିଂ କରାଉ ନାହାନ୍ତି, ମଣ୍ଡପକୁ ଆସୁଥିବା ବ୍ୟକ୍ତି ବିଶେଷମାନେ ମଣ୍ଡପ ପାର୍ଶ୍ବ ଓ ସମ୍ମୁଖରେ କାହିଁକି କାର୍‌ ଓ ବାଇକ୍‌ ପାର୍କିଂ କରୁଛନ୍ତି, ତା’ର ଯାଞ୍ଚ ମଧ୍ୟ କରିଥିଲେ। ଏପରିକି କେଉଁ ମଣ୍ଡପ ଟ୍ରେଡ୍ ଲାଇସେନ୍ସ ନେଇଛନ୍ତି, କିଏ ନେଇନି, କେତେ ପ୍ଲାନ୍ ଉଲ୍ଲଂଘନ କରି ନିର୍ମାଣ କରିଛନ୍ତି ତାହାର ବି ମାପଚୁପ ହୋଇଛି।

ଏପରି କି ବିଡିଏ ପକ୍ଷରୁ ଏକ ଟିମ୍ ଗଠନ କରି ବିଏମ୍‌ସି ଅଞ୍ଚଳ ବାହାରେ ଥିବା ବିଭିନ୍ନ କଲ୍ୟାଣ ମଣ୍ଡପ ଏବଂ ହୋଟେଲଗୁଡ଼ିକର ଯାଞ୍ଚ କରାଯାଇଛି। ଯେଉଁମାନେ ନିୟମ ଖିଲାପ କରିଛନ୍ତି ସେମାନଙ୍କ ନାମରେ ୟୁଏପି କେସ୍ କରାଯାଇଛି। କିନ୍ତୁ ଏ ସବୁ ରିପୋର୍ଟ ବାବୁମାନେ ମାଡ଼ି ବସିଛନ୍ତି। ନଗର ଉନ୍ନୟନ ବିଭାଗ ସଚିବଙ୍କ ନିର୍ଦ୍ଦେଶ ପରେ ଏବେ ବିଏମ୍‌ସି ଓ ବିଡିଏର ବାବୁମାନେ କାହିଁକି ଚୁପ୍ ବସିଛନ୍ତି ଜଣାପଡ଼ୁନି। ବିଏମ୍‌ସି ଅଧିକାରୀଙ୍କୁ ପଚାରିଲେ ସେମାନେ କହୁଛନ୍ତି ବିଡିଏର ଏନଫୋର୍ସମେଣ୍ଟ ମେମ୍ବର କାର୍ଯ୍ୟାନୁଷ୍ଠାନ ନେବେ। ଏ‌ନଫୋର୍ସମେଣ୍ଟ ମେମ୍ବରଙ୍କୁ ପଚାରିଲେ ସେ କହୁଛନ୍ତି ବିଏମ୍‌ସି ତା’ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ନେବ। ଆମର କିଛି କରିବାର ନାହିଁ। ଏମିତି ଛକାପଞ୍ଝା ଭିତରେ କାର୍ଯ୍ୟାନୁଷ୍ଠାନ ଶୂନ୍। ବିଏମ୍‌ସି ଓ ବିଡିଏର ଏହି ତାଳମେଳ ଅଭାବର ସୁଯୋଗ ନେଇ କଲ୍ୟାଣମଣ୍ଡପ ମାଲିକମାନେ ତାଙ୍କ ମଣ୍ଡପ ଯେପରି ସିଲ୍‌ ନହେବ ସେନେଇ ଗଳା‌ବାଟ ଖୋଜିବା ଆରମ୍ଭ କରିଦେଲେଣି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ବହୁ ପ୍ରମୁଖ ସ୍ଥାନରେ ଥିବା ମଣ୍ଡପଗୁଡ଼ିକର କିଛି କାଗଜପତ୍ର ନାହିଁ। ପୂରା ବେଆଇନ ଭାବେ ଚାଲିଛି। ଏପରିକି ସବୁ ନିୟମ ଖିଲାପ କରିଛନ୍ତି। ତେଣୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। ହେଲେ ବିଏମ୍‌ସି କମିସନର ଏବେ ବିଦେଶ ଗସ୍ତରେ ଥିବାରୁ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ‌ଅପରପକ୍ଷେ ଏବେ ଯେଉଁଠି ଆବାସିକ ଅଞ୍ଚଳରେ କଲ୍ୟାଣମଣ୍ଡପ ବା ବିବାହମଣ୍ଡପ ଅଛି ସେଗୁଡ଼ିକୁ ସିଲ୍‌ କରିବାକୁ ଯୋଜନା କରୁଛୁ।

ବିଏମ୍‌ସି କଲ୍ୟାଣ ମଣ୍ଡପର କିଛି ନାହିଁ
ବିଏମ୍‌ସିର ନିଜର ୭ଟି କଲ୍ୟାଣ ମଣ୍ଡପ ଥିବାବେଳେ ଏଗୁଡ଼ିକ ମୁଖ୍ୟତଃ ଆବାସିକ ଅଞ୍ଚଳରେ ଅଛି। ଏପରିକି କେତୋଟି ଜାଗାରେ ଦୁଇଟି ଲେଖାଏ ମଣ୍ଡପ ଅଛି। ଗୋଟିଏ ତଳ ମହଲାରେ, ଆଉ ଗୋଟିଏ ଉପର ମହଲାରେ। ଏତିକି ନୁହେଁ ଏଠାରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ନାହିଁ ନାହିଁରେ ବିଏମ୍‌ସି କଲ୍ୟାଣ ମଣ୍ଡପଗୁଡ଼ିକ ଚାଲିଥିବାବେଳେ ଏଗୁଡ଼ିକୁ କେବେ ସଜଡ଼ାଯିବ ସେନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର