ଭଡ଼ାରେ କିଓସ୍କ ଦେବାକୁ ମସୁଧା: ୩ ଲକ୍ଷ ସିକ୍ୟୁରିଟି, ମାସିକ ୨୦ ହଜାର!

ପୁରୁଣା ଜାଗାରେ ମିଳୁନି କିଓସ୍କ
ବଢ଼ୁଛି ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ
କୋର୍ଟରେ ପହଞ୍ଚିଲାଣି ମାମଲା

ଭୁବନେଶ୍ବର : କିଓସ୍କ ଆବଣ୍ଟନକୁ ନେଇ ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଛି। ଯାହାକୁ ଯେଉଁଠି ଦୋକାନ ମିଳିବା କଥା ସେଠି ମିଳୁ ନାହିଁ। ପୂର୍ବ ଦୋକାନଠାରୁ ଅନ୍ୟସ୍ଥାନରେ କିଓସ୍କ ଦିଆଯାଉଛି। ଯାହାଦ୍ବାରା ଯେଉଁ ଦୋକାନୀଙ୍କୁ କିଓସ୍କ ମିଳୁଛି, ସେମାନେ ନିଜେ ସେଠାରେ ବ୍ୟବସାୟ ନକରି ଅନ୍ୟକୁ ଭଡ଼ା ସୂତ୍ରରେ ଦେବାକୁ ଭିତିରିଆ ଯୋଜନା କରୁଛନ୍ତି। କିଏ ସିକ୍ୟୁରିଟି ବାବଦକୁ ୨ ଲକ୍ଷ ମାଗୁଛି ତ କିଏ ୩ ଲକ୍ଷ। ଆଉ ମାସିକ ୧୫-୨୦ ହଜାର ଦାବି କରୁଛନ୍ତି। ଜାଗା ଓ ବ୍ୟବସାୟକୁ ଦେଖି ବ୍ୟବସାୟୀଙ୍କ ମଧ୍ୟରେ ମୂଲଚାଲ ହେଉଛି, ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।

ସୂଚନା ମୁତାବକ, କିଛି ଦିନ ତଳେ ସହିଦନଗର ମହାବୀର ଭେଣ୍ଡିଂ ଜୋନ୍‌କୁ ଭଙ୍ଗା ଯିବା ପରେ ହିତାଧିକାରୀଙ୍କୁ ରୁପାଲି ଛକ ଭେଣ୍ଡିଂଜୋନ୍‌ରେ କିଓସ୍କ ଆବଣ୍ଟନ କରାଯାଇଥିଲା। ପୂର୍ବରୁ ରୁପାଲି ଛକ ଭେଣ୍ଡିଂଜୋନ୍‌ରେ ଥିବା ବ୍ୟବସାୟୀମାନଙ୍କୁ ଅନ୍ୟତ୍ର କିଓସ୍କ ଦିଆଗଲା। କାହାକୁ ମାଷ୍ଟରକ୍ୟାଣ୍ଟିନ୍‌ରେ ତ କାହାକୁ ରାଜମହଲରେ କିଓସ୍କ ଦିଆଯାଇଛି। ହେଲେ କେତେକ ବ୍ୟବସାୟୀ ଏବେ ମଧ୍ୟ ସେଠାରେ ବିନା କିଓସ୍କରେ ସେମାନଙ୍କର ବ୍ୟବସାୟ ଜାରି ରଖିଛନ୍ତି। ଯେହେତୁ ଦୀର୍ଘ ଦିନ ହେବ ସେମାନେ ସେଠାରେ ବ୍ୟବସାୟ କରି ନିଜର ଗ୍ରାହକ ସୃଷ୍ଟି କରିଥିଲେ, ଅନ୍ୟତ୍ର ଗଲେ ଆଉ ସେଭଳି ଗ୍ରାହକ ମିଳିବେ କି ନାହିଁ, ସେ ଚିନ୍ତା ସେମାନଙ୍କୁ ଘାରୁଛି। ପୂର୍ବଭଳି ବ୍ୟବସାୟ ହେବ କି ନାହିଁ ଦ୍ବନ୍ଦ୍ବରେ ଅଛନ୍ତି। ତେଣୁ ସେମାନେ ଉକ୍ତ ସ୍ଥାନ ଛାଡ଼ିବାକୁ ନାରାଜ। ତେଣୁ ସେହି ସ୍ଥାନରେ କିଓସ୍କ ମିଳିବା ପାଇଁ କେତେକ ବ୍ୟବସାୟୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଟଣାଓଟରା ମଧ୍ୟରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସେଠାରେ ନିଜର ବ୍ୟବସାୟକୁ ବଜାୟ ରଖିବା ପାଇଁ ଯେଉଁମାନଙ୍କୁ ସେଠାରେ କିଓସ୍କ ମିଳିଛି, ସେମାନଙ୍କଠାରୁ ଦୋକାନ ହାତେଇବା ପାଇଁ ମୋଟାରକମର ଅର୍ଥ ଦେବାକୁ ପଛାଉ ନାହାନ୍ତି। ତେଣୁ ପ୍ରକୃତ ହିତାଧିକାରୀମାନେ ସେଠାରେ ନିଜ ମୂଳ ବ୍ୟବସାୟ ନ କରି ଭଡ଼ା ଦେବାକୁ ପସନ୍ଦ କରୁଛନ୍ତି। ତେବେ କେବଳ ରୁପାଲି କି ମହାବୀର ଭେଣ୍ଡିଂ ଜୋନ୍‌ ନୁହେଁ; ରାଜଧାନୀର ଅଧିକାଂଶ ଭେଣ୍ଡିଂ ଜୋନ୍‌ରେ ଏଭଳି ସମସ୍ୟା ଦେଖାଦେଇଛି।
ଏନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ। ନା କାହାକୁ ଭଡ଼ାରେ ଦେଇପାରିବେ ନା ବିକ୍ରି କରିପାରିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଚେତାଇ ଦେଇଛି।

୩୮ କିଓସ୍କ ହସ୍ତାନ୍ତର କଲା ବିଏମ୍‌ସି
ଭୁବନେଶ୍ବର : ବାଦ ବିବାଦରେ ଫସିଥିବା ୩୮ଟି ସ୍ମାର୍ଟ କିଓସ୍କକୁ ବିଏମ୍‌ସି ଆଜି ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିଛି। ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ସ୍ମାର୍ଟ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ୨୩୧ଟି କିଓସ୍କ ପ୍ରସ୍ତୁତ କରି ବିଏମ୍‌ସିକୁ ହସ୍ତାନ୍ତର କରିଥିଲା। ବିଭିନ୍ନ ପର୍ଯ୍ୟାୟରେ ୧୭୭ଟି କିଓସ୍କ ବଣ୍ଟା ଯାଇଥିଲା। ଏବେ ଏହି ୩୮କୁ ମିଶାଇ ସମୁଦାୟ ୨୧୫ଟି ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୧୬ଟି ବଣ୍ଟାଯିବାକୁ ରହିଛି। ମାଲିକାନା ଓ ଅନ୍ୟାନ୍ୟ ବିବାଦକୁ ନେଇ ଏହି ୧୬ଟି କିଓସ୍କ ଆବଣ୍ଟନ କରାଯାଇପାରି ନଥିବା ଜଣାଯାଇଛି। ତେବେ ମାଲିକମାନେ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଏହି କିଓସ୍କ ହସ୍ତାନ୍ତର କରାଯିବ ବୋଲି ବିଏମ୍‌ସି କହିଛି। ଏଣେତେଣେ ବସୁଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବା ପାଇଁ ଏଭଳି ସୁଯୋଗ ସୃଷ୍ଟି କରାଯାଇଛି। ସ୍ମାର୍ଟ ଜନପଥକୁ ସୁନ୍ଦର କରିବା ପାଇଁ ବିଏସ୍‌ସିଏଲ୍‌ ଉଦ୍ୟମ ଜାରି ରଖିଛି। ଏଠାକୁ ବ୍ୟବସାୟୀମାନେ ସ୍ଥାନାନ୍ତର ହୋଇଯିବା ପରେ ସେମାନେ ବସୁଥିବା ମୂଳ ଜାଗାରୁ ଉଚ୍ଛେଦ କରି ଦିଆଯିବ। ଫଳରେ ସହର ସୁନ୍ଦର ଦିଶିବା ସହ ଜବରଦଖଲ ଯୋଗୁଁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ରହିବ ନାହିଁ ବୋଲି କହିଛନ୍ତି କମିସନର ସଂଜୟ କୁମାର ସିଂହ।

ଉଲ୍ଲେଖଯୋଗ୍ୟ, ୨୦୨୦ ଏପ୍ରିଲ ୨୯ତାରିଖଠାରୁ ଅଦ୍ୟାବଧି ୬ଟି ପର୍ଯ୍ୟାୟରେ ଏହି କିଓସ୍କଗୁଡ଼ିକର ଆବଣ୍ଟନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୯୦ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଓ ପରେ ୨୫, ୨୨, ୩୬ ଏବଂ ୩୮;ଏଭଳି ସମୁଦାୟ ୨୧୪ ଗୋଟି କିଓସ୍କ ଦିଆଯାଇଛି। ଗୋଟିଏ ସ୍ୱତନ୍ତ୍ର କିଓସ୍କକୁ ମୋ ଖତ ବିକ୍ରୟ କେନ୍ଦ୍ର ଭାବେ ବିଏମ୍‌ସି ବ୍ୟବହାର କରୁଛି।

ଏହି କିଓସ୍କ ଆବଣ୍ଟନରେ କୌଣସି ରାଜନୈତିକ ଚାପ ନଥିବା ବିଏମ୍‌ସି ଦାବି କରୁଛି। କିନ୍ତୁ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବ୍ୟବସାୟୀ ଏସ୍‌.କେ. ଆଜାଜୁଲ୍ ହକ୍ କହିଛନ୍ତି ଯେ ୨୦ ବର୍ଷ ହେବ ରାଜମହଲ ଛକରେ ହେଲମେଟ୍ ବ୍ୟବସାୟ କରୁଥିଲି। ବର୍ତ୍ତମାନ ମୋତେ ସତ୍ୟନଗର ସ୍କୁଲ ସାମ୍ନାରେ କିଓସ୍କ ଦେଇଛନ୍ତି। ନୂଆ ଜାଗ‌ାରେ ବେପାର ହେଉନାହିଁ। ସେହିଭଳି କାହାକୁ ୪୮ଫୁଟ୍‌ରେ ଘର ମିଳୁଥିବା ବେଳେ ଆଉ କାହାକୁ ୩୦ ଫୁଟ୍ ଘର ମିଳୁଛି। ଆଗୁଆ ବର୍ଷକ ପାଇଁ ୧୨ହଜାର ଟଙ୍କା ଦୋକାନ ଭଡ଼ା, ୪ବର୍ଷ ପାଇଁ ୧୪ ହଜାର ଓ ୪ବର୍ଷ ପାଇଁ ୪ ହଜାର ଟଙ୍କା ଟ୍ରେଡ୍‌ ଲାଇସେନ୍ସ ପାଇଁ ନେଉଛନ୍ତି। ବଡ଼ ଘର ଯେଉଁମାନେ ପାଇଛନ୍ତି, ସେମାନେ ଯେତିକି ଟଙ୍କା ଦେଇଛନ୍ତି, ଆମେ ମଧ୍ୟ ସେତିକି ଟଙ୍କା ଦେଇଛୁ। କିନ୍ତୁ ଆମକୁ ୪୦ ଫୁଟ୍ ଘର ଦେବା ଜାଗାରେ ୩୦ ଫୁଟ୍ ଘର ଦେଇଛନ୍ତି। କ୍ଷୁଦ୍ର ବ୍ୟବସାୟୀ ନିରଞ୍ଜନ ପାଣ୍ଡେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ୩୦ ଫୁଟ୍ ଘରେ ଗ୍ୟାରେଜ୍ ବେପାର ସମ୍ଭବ ହେଉ ନଥିବାରୁ କିଓସ୍କ ପାଇଥିଲେ ମଧ୍ୟ ୮ ମାସ ହେବ ଦୋକାନ ବନ୍ଦ କରି ବସିଥିବା କହିଛନ୍ତି।

ସମ୍ବନ୍ଧିତ ଖବର