ନାଗସାପ ଅଣ୍ଡା ଉଦ୍ଧାର, କୃତ୍ରିମ ପ୍ରଣାଳୀରେ ଅଣ୍ଡା ଫୁଟାଇବାକୁ ଯୋଜନା

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାସ୍ଥିତ ଆରଧନାନଗରର ଏକ ଖୋଲା ପ୍ଲଟ୍‌ରୁ ପ୍ରାୟ ୧୫ଟି ନାଗସାପ ଅଣ୍ଡା ଉଦ୍ଧାର କରାଯାଇଛି। କେବଳ ୨ରୁ ୩ଟି ଅଣ୍ଡାକୁ ଛାଡ଼ିଦେଲେ ବାକି ସମସ୍ତ ଅଣ୍ଡାକୁ ପିମ୍ପୁଡ଼ି କଣା କରି ଏହାର ତରଳ ଆବରଣ ଖାଇଦେଇଥିବାରୁ ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗତକାଲି ଏହି ଖାଲିଥିବା ପ୍ଲଟ୍‌ରେ କାମ କରିବାକୁ କିଛି ମିସ୍ତ୍ରି ଓ ଶ୍ରମିକ ଗାତ ଖୋଳିବା ସମୟରେ ଏକ ସାପ ବାହାରିଥିଲା। ଏଠାରେ ସାପ ଅଣ୍ଡା ଦେଇଥିବା ସନ୍ଦେହ କରି ସ୍ଥାନୀୟ ଲୋକ ସ୍ନେକ୍ ହେଲ୍ପଲାଇନ୍‌କୁ ଖବର ଦେଇଥିଲେ। ସୂଚନା ପାଇ ସ୍ନେକ୍ ହେଲ୍ପଲାଇନ୍‌ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ୍ ଓ ସଦସ୍ୟ ହେମନ୍ତ ବେହେରା ଘଟଣାସ୍ଥଳରୁ ସାପ ଅଣ୍ଡା ଉଦ୍ଧାର କରିଥିଲେ। ଏହା ପରେ ମଞ୍ଚେଶ୍ବର ରେଞ୍ଜ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରିବା ସହ ଏହି ସାପ ଅଣ୍ଡାକୁ କୃତ୍ରିମ ପ୍ରଣାଳୀରେ ଛୁଆ ବାହାର କରିବାକୁ ଯୋଜନା କରାଯାଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଯଦି କିଛି ଅଣ୍ଡାରୁ ଛୁଆ ବାହାରେ, ତେବେ ଏହା ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି, ବର୍ତ୍ତମାନ ନାଗ ସାପମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଅଣ୍ଡା ଦେବେ। ଉପଯୁକ୍ତ ଉଷ୍ମତା ଓ ଆର୍ଦ୍ରତା ସ୍ଥାନ ଦେଖି ସାପ ଅଣ୍ଡା ଦେଉଥିବାରୁ ବିଭିନ୍ନ ଲୋକଙ୍କ ବାଡ଼ି ବଗିଚାରେ ଏଭଳି ସ୍ଥିତି ଦେଖିବାକୁ ମିଳିପାରେ। ତେଣୁ ଏବେଠୁ ସତର୍କ ନ ହେଲେ, ୪୫ରୁ ୬୦ଦିନ ପରେ ମାଳମାଳ ନାଗଛୁଆ ବାଡ଼ିରେ ପଶିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଏହା ସହ ସାପ ଧରାଳିମାନଙ୍କୁ ସାପ ବସାକୁ ଭାଙ୍ଗି ଅଣ୍ଡା ଧରିବା ଆଇନ ଅନୁଯାୟୀ ଅପରାଧ ବୋଲି କହିଛନ୍ତି। କିଛି ଦିନ ତଳେ ଶ୍ରୀ ମଲ୍ଲିକ ବ୍ରହ୍ମଗିରି ଅଲାର ଗ୍ରାମରୁ ଧଣ୍ଡସାପର ପ୍ରାୟ ୫୦ରୁ ଅଧିକ ଅଣ୍ଡା ଉଦ୍ଧାର କରି କୃତ୍ରିମ ପ୍ରଣାଳୀରେ ଅଣ୍ଡାରୁ ଛୁଆ ବାହାର କରି ପାଣିରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର