ପିତାମାତା ଦେବତୁଲ୍ୟ: ସୌମ୍ୟରଞ୍ଜନ

କେଏମ୍‌ବିବି କଲେଜରେ ବୃକ୍ଷ‌ରୋପଣ

ବାରଙ୍ଗ: ପିତାମାତା ହେଉଛନ୍ତି ଦେବତୁଲ୍ୟ। ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବା ଦରକାର। ନଜର ଜନ୍ମଦିନରେ ବାପା ମା’ଙ୍କୁ ମନେ ପକାଇବା ବଡ଼ କଥା। ସେହିଭଳି ଜନ୍ମଦିନରେ ବୃକ୍ଷରୋପଣ କରିବା ଏକ ଅନ୍ୟତମ ମହତ କାମ। ‌ବାରଙ୍ଗ ନରଣପୁରସ୍ଥିତ କେଏମ୍‌ବିବି କଲେଜରେ ଛାତ୍ରଛାତ୍ରୀମାନଙ୍କ ଗହଣରେ ନିଜର ୭୦ ତମ ଜନ୍ମ ଦିବସ ପାଳନ ଅବସରରେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ସକାଳେ ଶ୍ରୀ ପଟ୍ଟନାୟକ କଲେଜରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ଗହଣରେ କେକ୍ କାଟିଥିଲେ। ଏହା ପରେ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ କହିଥିଲେ ଯେ ତାଙ୍କ ପିତା ବ୍ରଜବନ୍ଧୁ ଓ ମାତା କନକ ମଞ୍ଜରୀ ଦେବୀଙ୍କ ପାଇଁ ଆଜି ସେ ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଜନ୍ମଦିନ ଅବସରରେ ସେମାନଙ୍କୁ ମନେ ପକାଇ କୃତଜ୍ଞତା ଜ୍ଞାପନ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ଦେବ ତୁଲ୍ୟ ପିତାମାତାଙ୍କ ସ୍ୱପ୍ନକୁ ସାକାର କଲେ, ସେମାନଙ୍କ ପ୍ରତି ବାସ୍ତବ କୃତଜ୍ଞତା ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ବାଦ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର ଡ. ସରୋଜ କୁମାର ପଣ୍ଡା, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ନରଣପୁର କେଏମ୍‌ବିବି କଲେଜର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାରଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର