‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ

ପଥରଗାଡ଼ିଆ ଖେଳ ପଡ଼ିଆ, ଇଞ୍ଜଣା ହାଇସ୍କୁଲ କ୍ୟାମ୍ପସ

ଚନ୍ଦ୍ରଶେଖରପୁର: ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍‌ ସହଯୋଗରେ ପଥରଗାଡ଼ିଆ ଖେଳ ପଡ଼ିଆରେ ଦ୍ବିତୀୟ ପର୍ଯ୍ୟାୟ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଥରଗାଡ଼ିଆ ଗ୍ରାମବାସୀଙ୍କ ସମେତ ଏମଏମସିସି, ସେଭେନ ଷ୍ଟାର କ୍ଲବ, କମନ ମ୍ୟାନ ଗୁପ୍‌ର ଯୁବକମାନେ ସାମିଲ ହୋଇ ବଉଳ, ଚେରି, ପିଜୁଳି, ଜାମୁ, କଦମ୍ବ ଆଦି ଚାରାରୋପଣ କରିଛନ୍ତି। କାର୍ଯ୍ୟକ୍ରମରେ ପଥରଗାଡ଼ିଆ ଏମଏମସିସିର ସଦସ୍ୟ ଗୁଣନିଧି ବେହେରା, କାହ୍ନୁଚରଣ ବେହେରା, ସୂର୍ଯ୍ୟକାନ୍ତ ବେହେରା, ବବ୍ରୁବାହନ ମହାପାତ୍ର, ନବୀନ ଜେନା, ସେଭେନ ଷ୍ଟାର କ୍ଲବ ସଭାପତି ଧୀରେନ ବେହେରା, ଗୋ-ସେବକ ତାରାକାନ୍ତ ବେହେରା, କମନ ମ୍ୟାନ ଗ୍ରୁପ୍‌ର ଅଭୟ ଜେନା, ସିତୁ, ଗୋଟ, ରାଜା, ପପୁ, ଟିକିନା, କାହ୍ନୁ, ବିଶ୍ବଜିତ୍ ସାମଲଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସାମିଲ ଭୁବନେଶ୍ବର ଭଳି ସହରରେ ବୃକ୍ଷରୋପଣ କରି ସବୁଜ ସୁନ୍ଦର କରିବା ଦିଗରେ‌ ‘ସମ୍ବାଦ’ ଓ ସମ୍ବାଦ ସାହିତ୍ୟ ଘରର ଏଭଳି ଅଭିନବ ପ୍ରୟାସ ଅତ୍ୟନ୍ତ ସ୍ବାଗତ‌ଯୋଗ୍ୟ ବୋଲି କହିଛନ୍ତି। ‘ସମ୍ବାଦ’ ସାମ୍ବାଦିକ କେଶବ ପାଣି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ବୃକ୍ଷରୋପଣର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସାମ୍ବାଦିକ ବିଦ୍ୟାଧର ବାରିକ ସ୍ବାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଚନ୍ଦ୍ରଶେଖରପୁର: ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍‌ ଓ ଏଲ୍‌ପି ଟିମ୍‌ ସହଯୋଗରେ ଇଞ୍ଜଣା ହାଇସ୍କୁଲ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଛି। ଏଥିରେ ଏଲ୍‌ପି ଟିମ୍‌ ସଭାପତି ରମାକାନ୍ତ ସ୍ବାଇଁ ଯୋଗଦେଇ କହିଲେ ବର୍ତମାନ ସମୟରେ ବୃକ୍ଷର ଆବଶ୍ୟକତା ରହିଛି। ରାଜଧାନୀରେ ଦିନକୁ ଦିନ ସହରୀକରଣ ବଢ଼ିଚାଲିଛି। ଘର ନିର୍ମାଣ, ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ଗଛ କଟାଯାଇ ବିଶାଳ ଅଟ୍ଟାଳିକାମା‌ନ ନିର୍ମାଣ କରାଯାଇଛି। ଯେଉଁଥିପାଇଁ ସହରର ତାପମାତ୍ରା ବଢ଼ିବା ସହ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏଭଳି ବିପର୍ଯ୍ୟୟକୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ସମ୍ବାଦ ପକ୍ଷରୁ ଏଦିଗରେ ନିଆଯାଇଥିବା ପଦକ୍ଷେପ ବେଶ୍‌ ପ୍ରଶଂସନୀୟ।
ହାଇସ୍କୁଲର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ନାୟକ ଯୋଗଦେଇ କ୍ୟାମ୍ପସକୁ ସବୁଜ ସୁନ୍ଦର କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ପି ଟିମ୍‌ ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଉପଦେଷ୍ଟା ସମରେନ୍ଦ୍ର ସାହୁ, ଅରୁଣ କୁମାର ମଲ୍ଲିକ, ଅମିତ୍‌ କୁମାର ଚୌଧୁରୀ, ଦେବୀଦତ୍ତ ତ୍ରିପାଠୀ, ରମା‌କାନ୍ତ ସ୍ବାଇଁ, ଶରତ କୁମାର ସାହୁ, ସୁକାନ୍ତ ଚନ୍ଦ୍ର ପତି, ସାମ୍ବାଦିକ ବିଶ୍ବଜିତ ସାମଲ ପ୍ରମୁଖ ସାମିଲ ହୋଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ କହିଥିଲେ। ‘ସମ୍ବାଦ’ ସାମ୍ବାଦିକ କେଶବ ପାଣି କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ ଗତ ଏକ ମାସ ଧରି ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ଭୁବନେଶ୍ବରରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ହୋଇଛି। ଏହି ସମୟ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୧୩ରୁ ଅଧିକ କାର୍ଯ୍ୟକ୍ରମ କରାଯାଇ ଏକ ହଜାରରୁ ଅଧିକ ଚାରା‌ ରୋପଣ କରାଯାଇଛି। ସାମ୍ବାଦିକ ବିଦ୍ୟାଧର ବାରିକ ସ୍ବାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର