ରାଜଧାନୀରୁ ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ, ବ୍ୟବସାୟୀଙ୍କୁ ୫୦ହଜାର ଟଙ୍କାର ଜରିମାନା

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୨ରୁ ରାଜଧାନୀରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ହେଲାଣି। ହେଲେ ରାଜଧାନୀରେ ଏବେ ବି ପ୍ଲାଷ୍ଟିକ ଗ୍ଲାସ୍‌, ଚାମଚ, ପଲିଥିନ୍ ଉପଲବ୍ଧ ହେଉଛି। ସହିଦନଗରରେ ଏକ ଘରେ ବିଏମ୍‌ସି, ବିଡିଏ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ବାଡ୍‌ ଚଢ଼ଉ କରି ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀ ଜବତ କରିଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ବିଏମ୍‌ସିର ଉଚ୍ଛେଦକାରୀ ଦଳ ଆଜି ଭବାନୀ ମଲ୍‌ ନିକଟରେ ଥିବା ଏକ ଜମିରେ ଗଦା ହୋଇଥିବା କଙ୍କ୍ରିଟ ଆବର୍ଜନା ପାଇଁ ଜରିମାନା କାଟିବାକୁ ଯାଇଥିବା ବେଳେ ଏହା ନିକଟରେ ଥିବା ଏକ ଘରୋଇ ଜମିରେ ଲୋକଙ୍କ ହାବଭାବ ଦେଖି ସନ୍ଦେହ କରିଥିଲେ। ସେଠାରେ ଟ୍ରକ୍‌ ଟ୍ରକ୍ ପ୍ଲାଷ୍ଟିକ ସାମଗ୍ରୀ ଗଦା ହୋଇଥିବାରୁ ଚଢ଼ଉ କରିବାକୁ ବିଡିଏ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୁଲିସର ସହାୟତା ନେଇଥିଲା। ଏହାପରେ ସହିଦନଗରର ପ୍ଲଟ୍‌ ନଂ-୬୩୮ରୁ ନିଷେଧ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀଗୁଡ଼ିକୁ ଜବତ କରିଥିଲା। ଏଥିରେ ୭୪ କାର୍ଟୁନ୍ ପଲିଥିନ୍, ୧୦୩ କାର୍ଟୁନ୍ ଚାମଚ, ୫୩ କାର୍ଟୁନ୍ ଗ୍ଲାସ୍, ଦୁଇ କାର୍ଟୁନ୍ କଣ୍ଟେନର, ୫କାର୍ଟୁନ୍ ଥର୍ମୋକୁଲ୍ ଏବଂ ୨କାର୍ଟୁନ୍ ଷ୍ଟ୍ର’ ଥିଲା। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ଚଢ଼ଉରୁ ଜଣାପଡ଼ିଥିଲା ଯେ ସତ୍ୟ ସୌମ୍ୟ ଦାସଙ୍କ ଘରକୁ ଆଲୋକ କୁମାର ବିଶ୍ବାଳ ନାମକ ବ୍ୟବସାୟୀ ଭଡ଼ାରେ ନେଇ ନିଷେଧ ହୋଇଥିବା ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବସାୟ କରୁଥିଲେ। ସେ ଏହି ପ୍ଲାଷ୍ଟିକ ସାମଗ୍ରୀଗୁଡ଼ିକୁ ଜଗତପୁରସ୍ଥିତ ବୈଷ୍ଣୋ ପ୍ଲାଷ୍ଟ୍, ପ୍ଲଟ୍ ନଂ-୫୮/ଏ, ଫେଜ୍-୨, ଏନ୍.ଆଇ.ଇ ଜଗତପୁରରୁ ଆଣିଥିବା ଜଣାପଡ଼ିଛି। ସ୍କ୍ବାଡ୍‌ ସେଠାରୁ ସାମଗ୍ରୀତକ ଜବତ କରିବା ସହ ଉକ୍ତ ବ୍ୟବସାୟୀଙ୍କଠାରୁ ୫୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।

ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି ଯେ ଏଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ନିଷେଧ ହୋଇଥିବା ପ୍ଲାଷ୍ଟିକ ଓ ପଲିଥିନ୍ ସାମଗ୍ରୀ ଚାଲାଣ ହେଉଥିଲା। ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଜବତ କରାଯାଉଥିଲେ ହେଁ ଏହା କେଉଁଠାରୁ ଆସୁଛି ଜଣା ପଡ଼ୁ ନ ଥିଲା।

ସମ୍ବନ୍ଧିତ ଖବର