ହଜିଗଲା ପ୍ଲାଷ୍ଟିକ୍‌ମୁକ୍ତ ରାଜଧାନୀ ଯୋଜନା

୧୬ ଦିନରେ ଜବତ ହୋଇଛି ୮୦ କେଜି ପଲିଥିନ୍‌
କାରଖାନାର ଚେର ଖୋଜୁନି ପ୍ରଶାସନ
ସମୁଦାୟ ବର୍ଜ୍ୟରେ ୧୫% ପଲିଥିନ୍‌

ଭୁବନେଶ୍ୱର : ରାଜଧାନୀରେ ପୁଣି ବୃଦ୍ଧି ପାଇଛି ପଲିଥିନ୍‌ ବ୍ୟବହାର। ଗତ କିଛି ମାସ ମଧ୍ୟରେ ରାଜଧାନୀବାସୀ ପୁଣି ପୂର୍ବା‌ବସ୍ଥାକୁ ଫେରି ଆସି ପଲିଥିନ୍‌ ବ୍ୟବହାରକୁ ଆପଣେଇ ନେଇଛନ୍ତି। ଭୁଲି ଯାଇଛନ୍ତି ଯେ ଏହା ଏକ ନିଷିଦ୍ଧ ଦ୍ରବ୍ୟ। ବିଏମ୍‌ସି ପକ୍ଷରୁ ଆଉ ପୂର୍ବଭଳି କଡ଼ାକଡ଼ି ଯାଞ୍ଚ କରାଯାଉ ନଥିବାରୁ ଏବେ ସବୁଠି ପଲିଥିନ୍‌ ବ୍ୟବହାର ଖୁଲମ୍‌ଖୋଲା ଚାଲିଛି। ହାଟ ବଜାର ସବୁଠି ଉଭୟ ଗ୍ରାହକ ଓ ବେପାରୀ ପଲିଥିନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାଜରାସ୍ତାରୁ ସଂଗୃହୀତ ହେଉଥିବା ବର୍ଜ୍ୟରେ ୧୫ ପ୍ରତିଶତ ପଲିଥିନ୍‌ ରହୁଥିବା ଏହାର ଜ୍ବଳନ୍ତ ପ୍ରମାଣ। କେବଳ କିଛି ସପିଂ ମଲ୍ ଓ ଡ୍ରେସ୍‌ ଦୋକାନକୁ ବାଦ୍‌ ଦେଲେ, ସବୁଠି ପଲିଥିନ୍‌ ପ୍ୟାକେଟ୍‌ର ବେଧଡ଼କ ବ୍ୟବହାର କରାଯାଉଛି। ତେଣୁ ରାଜଧାନୀକୁ ପଲିଥିନ୍‌ମୁକ୍ତ କରିବା ଯୋଜନା କେବଳ ଏକ ଭେଳିକି ହୋଇ ରହିଯାଇଛି ବୋଲି ଚର୍ଚ୍ଚା ‌ହେଉଛି।

୨୦୧୮ ମସିହା ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବରକୁ ପ୍ଲାଷ୍ଟିକ୍ ଓ ପଲିଥିନ୍‌ମୁକ୍ତ କରିବା ପାଇଁ ବିଏମ୍‌ସି ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହାପରେ ଧରପଗଡ଼ ଓ ଚଢ଼ଉ କରାଗଲା। ପଲିଥିନ୍‌ ବ୍ୟବହାର କରୁଥିବା ଦୋକାନୀମାନଙ୍କୁ ଜରିମାନା କରାଗଲା। ଏମିତିକି ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଦୁଇଟି କାରଖାନାରେ ମଧ୍ୟ ଚଢ଼ଉ କରାଯାଇଥିଲା ଓ ଜରିମାନା ବାବଦରେ ୫୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହି ଚଢ଼ଉ ପ୍ରାୟ ବର୍ଷେ କାଏମ୍ ରହିଲା। ଫଳରେ ପଲିଥିନ୍‌ ବ୍ୟବହାର ବହୁ ମାତ୍ରାରେ ହ୍ରାସ ପାଇଥିଲା। କିନ୍ତୁ ପରେ ଏହି ଚଢ଼ଉ ଧିମେଇ ଗଲା। ଏହା ପରେ ମହାମାରୀ କରୋନା ଯୋଗୁଁ ଏହି ଚଢ଼ଉ ପୂରା ବନ୍ଦ ହୋଇଗଲା। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ବଜାର ହାଟ ବନ୍ଦ ରହିବାରୁ ପଲିଥିନ୍‌ କଥା ପାସୋର ହୋଇଗଲା। ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ବଜାର ହାଟ ସ୍ବାଭାବିକ ହେବାକୁ କିଛି ସମୟ ଲାଗିଥିଲା। ତେଣୁ ଏହା ମଧ୍ୟରେ ପଲିଥିନ୍‌ କଟକଣା କଥା ସବୁ ସ୍ତରରେ ଭୁଲି ହୋଇଗଲା। ଫଳରେ ୨ବର୍ଷ ପୂର୍ବେ ଯୋଉ କଥା ଥିଲା, ଏବେ ପୁଣି ସେଇ ଅବସ୍ଥା ଫେରି ଆସିଲା। ତେଣୁ ବର୍ତ୍ତମାନ ଖୋଲାଖୋଲି ବଜାରରେ ପଲିଥିନ୍‌ ବିକ୍ରି ହେଉଛି।

ସୂଚନାନୁସାରେ, ଚଳିତ ବର୍ଷ ଜାନୁଆରିରେ ବିଏମ୍‌ସି ପକ୍ଷରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚଢ଼ଉ କରାଯାଇଥିଲା। ନିଷିଦ୍ଧ ପଲିଥିନ୍‌ ପ୍ରସ୍ତୁତ କରୁଥିବା ଅଭିଯୋଗରେ ସେମାନଙ୍କଠାରୁ ୫୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ଏବେ କରୋନା କଟକଣା କୋହଳ ହେବା ପରେ ପୁଣି ନଭେମ୍ବରରୁ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ପ୍ରାୟ ୮୦ କେଜି ପଲିଥିନ୍ ଜବତ କରାଯାଇଛି। ବାସ୍ତବରେ ଏହା ବ୍ୟବହାର ହେଉଥିବା ପରିମାଣରୁ ବହୁ କମ୍। ୨୦୧୮ରୁ ଆଜି ପର୍ଯ୍ୟନ୍ତ ମୋଟ ପ୍ରାୟ ୧୦.୮୧୭ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ଜବତ ହୋଇଥିବା ବେଳେ ୧୫ ଲକ୍ଷ ୪୭ ହଜାର ୮ଶହ ୫୦ ଟଙ୍କା ଆଦାୟ ହୋଇଛି। ୨୦୧୯ ବର୍ଷରେ ସର୍ବାଧିକ ୮.୧୮୪ ମେଟ୍ରିକ୍‌ ଟନ୍ ପ୍ଲାଷ୍ଟିକ୍ ଜବତ ହୋଇଥିଲା। କିନ୍ତୁ ସେହି ଆକଳନ ଅନୁସାରେ ନଭେମ୍ବରରୁ ହୋଇଥିବା ଯାଞ୍ଚରେ ପଲିଥିନ୍‌ ଜବତ ମାତ୍ରା ଢ଼େର୍‌ କମ୍।

ଏନେଇ ବିଏମ୍‌ସିର ଡେପୁଟି କମିସନର୍ (ପରିମଳ) ଶୁଭେନ୍ଦୁ ସାହୁଙ୍କ କହିବା କଥା ପ୍ରଥମ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନ, ରାଜମହଲ, କଳ୍ପନା, ସିଆର୍‌ପି, ଫାୟାର ଷ୍ଟେସନ୍‌, ଜୟଦେବବିହାର, ଆଚାର୍ଯ୍ୟବିହାର ଆଦି ଅଞ୍ଚଳରୁ ବ୍ୟବସାୟୀଙ୍କଠାରୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯାଇଥିଲେ ବି ଜରିମାନା ଆଦାୟ କରାଯାଇନାହିଁ। କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀଙ୍କୁ ସାମାନ୍ୟ କୋହଳ କରାଯାଇଛି। କିନ୍ତୁ ଚେତାବନୀ ଦିଆଯାଇଛି। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଚଢ଼ଉ ବେଳେ ପୁଣି ଜରିମାନା ଆଦାୟ କରାଯିବ।

ପରିବେଶବିତ୍ ସୁନ୍ଦରନାରାୟଣ ପାତ୍ର ଏ ନେଇ ଅସନ୍ତୋଷ ପ୍ରକାଶ କରି ପୁଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି। ତାଙ୍କ କହିବା କଥା, ବର୍ତ୍ତମାନ ଭୁବନେଶ୍ବରରୁ ଯେତିକି କଠିନ ବର୍ଜ୍ୟବସ୍ତୁ ବାହାରୁଛି, ସେଥିମଧ୍ୟରୁ ପ୍ରାୟ ୧୫ ପ୍ରତିଶତ କେବଳ ପ୍ଲାଷ୍ଟିକ୍। ତେଣୁ ପ୍ରଶାସନ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ କରୋନା ପାଇଁ ବର୍ତ୍ତମାନ ପିପିଇ କିଟ୍‌ର ବ୍ୟବହାର ବଢ଼ୁଛି। ଏହା ବିଘଟନ ବା କ୍ଷୟ ହେବା ସମ୍ଭବ ନୁହେଁ। ତେଣୁ ବ୍ୟବହାର ପରେ ଏହାକୁ ନଷ୍ଟ କରିବା ପାଇଁ ନିୟମ କରିବାକୁ ସେ କହିଛନ୍ତି। ସେହିଭଳି ଅନ୍ୟ କିଛି ବୁଦ୍ଧିଜୀବୀଙ୍କ କହିବା କଥା କେବଳ ଦୋକାନୀଙ୍କ ଉପରେ ଦାଉ ସାଧିଲେ ହେବ ନାହିଁ। ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନ୍ୟାୟରେ ପୁଲିସ ଓ ପ୍ରଶାସନ କେବଳ ଦୋକାନୀଙ୍କୁ ଟାର୍ଗେଟ୍‌ କରି କାମ ଚଳେଇ ନେଉଛି। ମାତ୍ର ଅସଲ ଖଳନାୟକ ହେଉଛନ୍ତି କାରଖାନା। ସେଠିକୁ ପ୍ରଶାସନର ହାତ ପାଉନାହିଁ। ସେହିଭଳି ବାହାରୁ ଆସୁଥିବା ପଲିଥିନ୍ ବନ୍ଦ କରିବାକୁ ହେବ। ଏଥିପାଇଁ ସ୍ବତନ୍ତ୍ର ଚଢ଼ଉର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ପଲିଥିନ୍‌ରେ ଜିନିଷପତ୍ର ନେଉଥିବା କିଛି ଗ୍ରାହକଙ୍କୁ ମଧ୍ୟ ଜରିମାନା କରିବା ଜରୁରି। ହେଲେ ଲୋକଙ୍କ ମଧ୍ୟରେ ଭୟ ରହିବ ଓ ଏହା କିଛି ମାତ୍ରାରେ ପଲିଥିନ୍‌ ବ୍ୟବହାର ଉପରେ ଅଙ୍କୁଶ ଲଗାଇପାରିବ।

ସମ୍ବନ୍ଧିତ ଖବର