ଭୁବନେଶ୍ୱର: ରାଜ୍ୟ ସରକାର ଅକ୍ଟୋବର ୨ରୁ ୫ମହାନଗର ନିଗମ ସମେତ ପୁରୀକୁ ପ୍ଲାଷ୍ଟିକ୍ ନିଷିଦ୍ଧ ସହର କରିବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏବେ ରାଜ୍ୟର ସବୁଠୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ବାହାରୁଥିବା ଭୁବନେଶ୍ୱର ପାଇଁ ଏହା ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରକୁ ପଲିଥିନ୍ ମୁକ୍ତ କରିବା ପାଇଁ ବିଏମ୍ସି ଦୀର୍ଘ ବର୍ଷ ହେଲା ଯୋଜନା କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନି। ଏପରିସ୍ଥିତିରେ ପ୍ଲାଷ୍ଟିକ୍ ନିଷିଦ୍ଧ କରିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ହିସାବ କହୁଛି ଯେତିକି କଠିନ ବର୍ଜ୍ୟବସ୍ତୁ ଦିନକୁ ବାହାରୁଛି ତାହାର ୫% ପ୍ଲାଷ୍ଟିକ୍ ବର୍ଜ୍ୟ। ଏହି ହିସାବରେ ଭୁବନେଶ୍ୱରରେ ଦିନକୁ ପ୍ରାୟ ୫୮୦ଟନ୍ ଆବର୍ଜନା ବାହାରୁଥିବାବେଳେ ଏହାର ୫% ଅର୍ଥାତ୍ ୨୯ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ବାହାରିବା କଥା। କିନ୍ତୁ ଏବେ ଦିନକୁ ୪୨ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ବାହାରୁଛି। ରାଜଧାନୀରେ ପ୍ଲାଷ୍ଟିକ୍ ବ୍ୟାନ୍ କରିବାରେ ପ୍ରଶାସନ ଫେଲ୍ ମାରିଥିବାରୁ ରାଜଧାନୀ ଏବେ ପ୍ଲାଷ୍ଟିକ୍ମୟ ହୋଇଗଲାଣି। ରାଜଧାନୀରେ ପ୍ଲାଷ୍ଟିକ୍ ବ୍ୟବହାର ଏବଂ ଏହାର ପରିଚାଳନା ଉପରେ ନିୟନ୍ତ୍ରଣ ନଥିବାରୁ ରାସ୍ତାଘାଟରୁ ଆରମ୍ଭ କରି ଡ୍ରେନ୍, ଡମ୍ପିଂୟାର୍ଡ ପର୍ଯ୍ୟନ୍ତ ସବୁଠି କୁଢ଼କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା। ରାଜଧାନୀର ସମସ୍ତ ଡ୍ରେନ୍ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ଯୋଗୁଁ ଚୋକ୍ ହୋଇ ରହୁଥିବାରୁ ପୂରା ସହର ଜଳମଗ୍ନ ହୋଇଯାଉଛି। କେବଳ ଏତିକି ନୁହେଁ ଗାଈ, ଷଣ୍ଢ, କୁକୁର, ଘୁଷୁରି ପଲିଥିନ୍ ଖାଇ ମୃତ୍ୟୁବରଣ କରୁଛନ୍ତି। ଏହି ସଂଖ୍ୟା ବର୍ଷକୁ ୧୦୦ରୁ ଅଧିକ ଟପିଯାଉଛି।
ରାଜ୍ୟ ସରକାର ପ୍ଲାଷ୍ଟିକ୍ ନିଷିଦ୍ଧ ନେଇ ଘୋଷଣା କରିବା ପରେ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ରାଜଧାନୀରେ ୫୦ ମାଇକ୍ରନ୍ରୁ କମ୍ ପଲିଥିନ୍ ନିଷିଦ୍ଧ କରାଯାଇଛି। ଏହାବାଦ୍ ଯେଉଁମାନେ ପଲିଥିନ୍ ଓ ପ୍ଲାଷ୍ଟିକ୍ ଉତ୍ପାଦନ କିମ୍ବା ବିକ୍ରି କରୁଛନ୍ତି ସେମାନଙ୍କୁ ବିଏମ୍ସିରେ ପଞ୍ଜୀକୃତ ହେବାକୁୁ କୁହାଯାଇଛି। ମାସକୁୁ ୪ହଜାର ଟଙ୍କା ଦେବାକୁ ନିୟମ ହୋଇଛି। ଯିଏ ନିୟମ ନମାନିବେ ତାଙ୍କଠାରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହାବ୍ୟତୀତ ଭୁବନେଶ୍ୱରକୁ ‘ସଂପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ’ ସହର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ଲାଷ୍ଟିକ୍ ବ୍ୟାନ୍ ହେଲେ ଏହାବଦଳରେ କେଉଁ ସାମଗ୍ରୀ ବ୍ୟବହାର ହେବ, ଏହା ଯେପରି ପର୍ଯ୍ୟାପ୍ତ ମିଳିବ, ପ୍ଲାଷ୍ଟିକ୍ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ ହେବ, ଜରିମାନା ଆଦାୟ ହେବ ସେନେଇ ଆଲୋଚନା ହେଉଛି। ପଲିଥିନ୍ ବ୍ୟାନ୍ ହେଲେ କାଗଜ ଠୁଙ୍ଗା, ଝୋଟ ବ୍ୟାଗ୍, କପଡ଼ା ବ୍ୟାଗ୍ ଯେପରି ପର୍ଯ୍ୟାପ୍ତ ପରିମାଣରେ ମିଳିବ ସେଥିପାଇଁ ବିଭିନ୍ନ ସଂସ୍ଥା ଓ ସ୍ୱୟଂ ସହାୟକ ସଂସ୍ଥା ସହ ଆଲୋଚନା କରାଯିବ। ଯେପରି ଲୋକ ପଲିଥିନ୍ ବ୍ୟାଗ୍ ପ୍ରତି ଆକୃଷ୍ଟ ନହେବେ ସେଥିପାଇଁ ଯୋଜନା କରାଯାଉଛି। ଆବଶ୍ୟକସ୍ଥଳେ ଅକ୍ଟୋବର ୨ ପୂର୍ବରୁ ଭୁବନେଶ୍ୱରକୁ ପଲିଥିନ୍ ମୁକ୍ତ ସହର କରାଯିବ। ଅପରପକ୍ଷେ ରାଜଧାନୀରେ ଏବେ ୧୦ରୁ ଅଧିକ ପଲିଥିନ୍ ଏବଂ ପ୍ଲାଷ୍ଟିକ୍ ଉତ୍ପାଦନକାରୀ ସଂସ୍ଥା ଥିଲେ ହେଁ ଏହାକୁ ତୁରନ୍ତ ବନ୍ଦ କରା ନଗଲେ ପଲିଥିନ୍ ନିଷିଦ୍ଧ କେବଳ ଏକ ପ୍ରହେଳିକା ହେବ।