ବାଣୀବିହାର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଇଁ ବୈଠକ: ହାତରେ ସମୟ କମ୍‌, କିନ୍ତୁ ଯୋଜନା ଲମ୍ବା

ଭୁବନେଶ୍ବର: ୨୦୧୮ ଅଗଷ୍ଟ ୭ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକାଠି ହୋଇଥିଲେ ଅନେକ ପୁରାତନ ଛାତ୍ରଛାତ୍ରୀ। ଲମ୍ବା ଚଉଡ଼ା ଏଜେଣ୍ଡା ପ୍ରସ୍ତୁତ କରିଥିଲେ। ବର୍ଷକ ଯାଏ ଜାକଜମକର ସହ ଉତ୍ସବ ପାଳନ କରିବାକୁ ସ୍ଥିର ହୋଇଥିଲା। ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହ ୭ସୂତ୍ରୀ କାର୍ଯ୍ୟକ୍ରମ ପାଇଁ ଏକାଧିକ କମିଟି ଗଠନ ହୋଇଥିଲା।‌

ଏହାକୁ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଗଣଦୌଡ଼ ସହ ହାତଗଣତି ୩ଟି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପରେ ସମସ୍ତେ ସବୁ ଭୁଲି ଗଲେ। ଏବେ ନଭେମ୍ବର ୨୭ରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ହେବାକୁ ଯାଉଥିବା ବେଳେ ହଠାତ୍‌ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ନଭେମ୍ବର ୨୩ରୁ ୨୭ ଯାଏ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବ ପାଳନ କରିବାକୁ ସ୍ଥିର ହୋଇଛି। ଏହି ଉତ୍ସବକୁ କିଭଳି ପାଳନ କରାଯିବ, ସେନେଇ ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହୋଇଛି। ଗତବର୍ଷ ‌ବୈଠକରେ ଯେଉଁ ବିଷୟରେ ଆଲୋଚନା ହୋଇଥିଲା ଆଜି ବି ସମାନ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି। କିନ୍ତୁ ହାତରେ ଆଉ ମାତ୍ର ୨୨ ଦିନ ଥିବା ବେଳେ ପ୍ରସ୍ତାବଗୁଡ଼ିକ କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଗତଥର ପରି ଏଥର ମଧ୍ୟ ପ୍ଲାଟିନମ୍‌ ଜୁବୁଲି ସ୍ମରଣିକା ପ୍ରକାଶ, କଫି ଟେବୁଲ୍‌ ପୁସ୍ତକ, ସା˚ସ୍କୃତିକ ସନ୍ଧ୍ୟା, ମେମୋରିଆଲ୍‌ ଲେକଚର, କ୍ୟାଲେଣ୍ତର/ଡାଏରି ପ୍ରକାଶ, ପୁରାତନ ଛାତ୍ରଛାତ୍ରୀଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିବା, ଆଲୁମିନି ମିଟ୍‌ ଆଦି କରିବାକୁ ପୁରାତନ ଛାତ୍ରଛାତ୍ରୀ ପ୍ରସ୍ତାବ ରଖିଛନ୍ତି। ଏଥିସହ ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ପ୍ଲାଟିନମ୍‌ ଜୟନ୍ତୀ ୱେବ୍‌ସାଇଟ୍‌, ପୁରାତନ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ପ୍ଲାଟିନମ୍‌ ଜୟନ୍ତୀ ଭବନ, ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାଠାରୁ ଆଜି ପର୍ଯ୍ୟନ୍ତ ଇତିହାସକୁ ନେଇ କ୍ଷୁଦ୍ର ଫିଲ୍ମ ପ୍ରସ୍ତୁତ କରିବାକୁ ବି ପ୍ରସ୍ତାବ ଦିଆଯାଇଛି। ଆଲୁମିନି ଇନୋଭେସନ ଫଣ୍ଡ୍‌, ଆଲୁମିନି ବିଲଡିଂ, ଆଲୁମିନି ୱେବସାଇଟ୍‌ ଓ ଆଲୁମିନି ଫେଲୋସିପ୍‌, ଆଲୁମିନି ଚେୟାର ପ୍ରତିଷ୍ଠା ନେଇ ମଧ୍ୟ କେତେଜଣ ପୁରାତନ ଛାତ୍ର ପ୍ରସ୍ତାବ ରଖିଛନ୍ତି। କିନ୍ତୁ କେତେଜଣ ପୁରାତନ ଛାତ୍ରଛାତ୍ରୀ ୨୦୧୮ରେ ନିଆଯାଇଥିବା ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୈଠକରେ ହେଉଥିବା ଆଲୋଚନା କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ। ବଡ଼ କଥା ହେଉଛି ଯେ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏଥର ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏଥର ସେ ଦୁଇ ଥର ‌ବୈଠକରେ ଯୋଗ‌ଦେଇ ସାରିଲେଣି। ଆଜିର ବୈଠକରେ ଯୋଗଦେଇ ଶ୍ରୀ ସାହୁ କହିଛନ୍ତି ଯେ ଏଠାରେ ଶିକ୍ଷା ଗ୍ରହଣ କରିଥିବା ବହୁ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବଡ଼ବଡ଼ ପଦରେ ରହିଛନ୍ତି। ସମସ୍ତଙ୍କ ସହଯୋଗ ରହିଲେ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ଉତ୍ସବ ସଫଳ ହେବ। ବୈଠକରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ଅବସରପ୍ରାପ୍ତ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ, ସାମ୍ବାଦିକ ସନ୍ଦୀପ ମିଶ୍ର, ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେଲିନ୍‌ ମହାନ୍ତି, ପୂର୍ବତନ ପ୍ରଶାସକ ଦାମୋଦର ପ୍ରଧାନୀ, ପୂର୍ବତନ ଛାତ୍ର ସ˚ସଦ ସଭାପତି ଚିନ୍ମୟ ସାହୁ, ପ୍ରକାଶ ତ୍ରିପାଠୀ, ତନ୍ମୟ ସ୍ବାଇଁ, ମନୋଜ ବିଶ୍ବାଳ, ରାଜେଶରାଜ ସ୍ବାଇଁ, ମହେଶ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ପିଜି କାଉନସିଲ୍‌ ଅଧ୍ୟକ୍ଷ ସବିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର