ରାଜଧାନୀରେ ବହୁ ପ୍ଲେ ସ୍କୁଲରେ ତାଲା, ଦୋହଲି ଗଲାଣି ସ୍କୁଲ୍‌ମାନଙ୍କର ଆର୍ଥିକ ସ୍ଥିତି

ବିଦ୍ୟୁତ୍‌ ବିଲ୍‌ ପଇଠ ଲାଗି ନୋଟିସ୍‌, ଘର ଭଡ଼ା ଦେଇ ପାରୁନାହାନ୍ତି ସ୍କୁଲ୍‌ କର୍ତୃପକ୍ଷ

ଭୁବନେଶ୍ବର: ମହାମାରୀ କରୋନା ବିଗାଡ଼ି ଦେଇଛି ଶିକ୍ଷା ବ୍ୟବସ୍ଥା। ୭ ମାସ ହେଲା ସ୍କୁଲ୍‌ ବନ୍ଦ। ଉଭୟ ସରକାରୀ ଓ ଘରୋଇ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ। ତେବେ ଶିକ୍ଷାଦାନ ଭଳି ବିଦ୍ୟାଳୟଗୁଡ଼ିକର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଗଲାଣି। କରୋନା ଛୋଟ ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥିବାବେଳେ ପ୍ଲେ ସ୍କୁଲ ଓ ଘରୋଇ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି।

ବିଦ୍ୟାଳୟ ବନ୍ଦ ଥିବାରୁ ପିଲାଙ୍କଠାରୁ ମାସିକିଆ ଫି’ ଆଦାୟ ହୋଇପାରୁନାହିଁ। ଏମିତିକି ୨୦୨୦-୨୧ ଶିକ୍ଷା ବର୍ଷ ଲାଗି ରାଜଧାନୀର ୫୦ରୁ ଅଧିକ ସ୍କୁଲରେ ନାମ ଲେଖା ହୋଇପାରିନାହିଁ। କିନ୍ତୁ ସ୍କୁଲ୍‌ ଚାଲୁ କି ନ ଚାଲୁ ବିଦ୍ୟୁତ୍‌ ଶୁଳ୍କ ପଇଠ କରିବାକୁ ନୋଟିସ୍ ମିଳିଲାଣି। ନଚେତ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି। କେତେକ ବିଦ୍ୟାଳୟର ବିଦ୍ୟୁତ୍‌ ସଂଯୋଗ ବି କାଟି ଦିଆଯାଇଛି। କେବଳ ଛୋଟ ବିଦ୍ୟାଳୟ ନୁହେଁ, ରାଜଧାନୀର କେତେକ ନାମୀ ବିଦ୍ୟାଳୟକୁ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ ନୋଟିସ୍‌ ଆସିଛି। ସେହିଭଳି ସ୍କୁଲ ବସ୍‌ ଚାଲୁ କି ନ ଚାଲୁ ରୋଡ୍‌ ଟ୍ୟାକ୍ସ ଭରିବାକୁ ପଡ଼ୁଛି। ନ ହେଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଲେଣି ବିଭାଗୀୟ କର୍ତ୍ତୃପକ୍ଷ। ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ପ୍ଲେ ସ୍କୁଲଗୁଡ଼ିକ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିକ୍ଷାନୁଷ୍ଠାନ ତିଆରି କରିଥିବା ମାଲିକମାନେ ଏବେ ଘର ଭଡ଼ା ଦେଇପାରୁ ନାହାନ୍ତି। ସ୍କୁଲ ବନ୍ଦ ଥିବାରୁ କର୍ତ୍ତୃପକ୍ଷ ଅଭିଭାବକମାନଙ୍କଠାରୁ ମାସିକ ଦରମା ଆଦାୟ କରିପାରୁ ନାହାନ୍ତି। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କେୟାରଟେକର୍ (ଧାଇ ମା’)ମାନଙ୍କୁ ଦରମା ଦେଇପାରୁନାହାନ୍ତି। ସ୍ଥିତି ଏମିତି ହେଲାଣି ଯେ ସହର ଉପକଣ୍ଠରେ ଥିବା କିଛି ସ୍କୁଲର ମାଲିକମାନେ ଆସବାବପତ୍ର, ଖେଳଣା ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ଶାଗ ମାଛ ଦରରେ ବିକ୍ରି କରି ଏବର୍ଷ ଲାଗି ସ୍କୁଲ୍‌ରେ ତାଲା ମାରି ଦେଇଛନ୍ତି। ମଞ୍ଚେଶ୍ବର, ରସୁଲଗଡ଼, ଚକେଇସିଆଣି, ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ସହିଦନଗର, ଗଙ୍ଗନଗର, ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଛତୁ ଫୁଟିଲା ପରି ଖୋଲିଥିବା ପ୍ଲେ ସ୍କୁଲ ବନ୍ଦ ହେବାକୁ ବସିଲାଣି।

କରୋନା ସଂକ୍ରମଣ ହ୍ରାସ ପାଉଥିବା କାରଣରୁ ସ୍କୁଲଗୁଡ଼ିକ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି। ମାତ୍ର ଏହା ଘରୋଇ ପ୍ରାଥମିକ ବିଦ୍ୟାଳୟ ଓ ପ୍ଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଶ୍ବସ୍ତି ଦେଇପାରିନାହିଁ। କାରଣ ପ୍ଲେ ସ୍କୁଲ ତଥା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ଷେତ୍ରରେ କଟକଣା ବଳବତ୍ତର ରହିବା ଏକପ୍ରକାର ଥୟ। କାରଣ ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ‌ଖୋଲିବାକୁ ଅନୁମତି ଦେବେ ନାହିଁ। ସେହିଭଳି ଅଭିଭାବକମାନେ ମଧ୍ୟ କରୋନା ନ ହଟିବା ପର୍ଯ୍ୟନ୍ତ ପିଲାଙ୍କୁ ପ୍ଲେ ସ୍କୁଲ୍‌କୁ ଛାଡ଼ିବେ ନାହିଁ। ତେଣୁ ବିନା ରୋଜଗାରରେ ମାସକୁ ମାସ ଭଡ଼ା‌ ଆକାରରେ ଲକ୍ଷାଧିକ ଟଙ୍କା ଗଣିବାକୁ ମାଲିକମାନେ ଉଚିତ ମଣୁନାହାନ୍ତି। ବରଂ ସ୍ଥିତିରେ ସୁଧାର ଆସିବା ପରେ ୨୦୨୧-୨୨ ଶିକ୍ଷାବର୍ଷରୁ ପୁଣି ଥରେ ସେମାନେ ବିଦ୍ୟାଳୟ ଖୋଲିବା ଉପରେ ଚିନ୍ତା କରିବେ ବୋଲି ବହୁ ସ୍କୁଲ ମାଲିକ କହିଛନ୍ତି।

ସମ୍ବନ୍ଧିତ ଖବର