ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଳମାଳ ଗାଇଡ୍‌ଲାଇନ୍‌। କେଉଁଭଳି ଗାଡ଼ିରେ ଯିବେ, କେମିତି ସୁରକ୍ଷିତ ଫେରିବେ,‌ କ୍ୟାମ୍ପସରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ତା’ ଉପରେ ସିବିଏସ୍‌ଇ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବର୍ଷତମାମ ସ୍କୁଲ କର୍ତ୍ତୃପକ୍ଷଙ୍କୁ ‌ଚିଠି ଲେଖାଯାଉଛି। ବିଜ୍ଞପ୍ତି ବି ପ୍ରକାଶ ପାଉଛି। ହେଲେ କାର୍ଯ୍ୟକାରୀ ହେଉଛି କି ନାହିଁ, ଯାଞ୍ଚ କରିବାକୁ କେହି ନାହିଁ। ଫଳରେ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଯାଉଛି। ବିଶେଷକରି ପିଲାଙ୍କୁ ସ୍କୁଲ ନେବା ଆଣିବା ବେଳେ ଚରମ ବିଶୃଙ୍ଖଳା ଦେଖିବାକୁ ମିଳୁଛି।

Advertisment

ମାଳମାଳ ଗାଇଡ୍‌ଲାଇନ୍‌, ତଦାରଖ କରିବାକୁ କେହି ନାହିଁ
ଜରିମାନା ପରେ ବି ଚେତା‌ ପଶୁନି
କଟକଣା ମାନୁନାହାନ୍ତି ଗାଡ଼ି ଚାଳକ
ଚିନ୍ତା ପ୍ରକଟ କଲା ଓଡ଼ିଶା ପୁଲିସ

ନିୟମ ଅନୁଯାୟୀ, ସ୍କୁଲ ବସ୍‌ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କ ପରିବହନ କରାଗଲେ, ଉକ୍ତ ଗାଡ଼ିକୁ ଜବତ କରାଯିବ। ଗାଡ଼ି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଦିନ ଠିକ୍‌ଠାକ୍‌ ଚାଲିବା ପରେ ଏବେ ପୁଣି ପିଲାଙ୍କୁ ବିପଦ ସଂକୁଳ ଅବସ୍ଥାରେ ଅଟୋ, ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି କରି ନିଆଯାଉଛି। ଫଳରେ ପିଲା ଅଣନିଃଶ୍ବାସୀ ହେବା ଭଳି ସ୍ଥିତି ଉପୁଜୁଛି। ଗାଡ଼ିରେ ଯେତିକି ସିଟ୍‌ ରହିଛି, ତା’ଠାରୁ ଢେର୍‌ ଅଧିକ ପିଲାଙ୍କୁ ବସାଯାଉଛି। କିଛି ଗାଡ଼ିରେ ପିଲା ଓହଳି ଯିବାର ଭୟାନକ ଦୃଶ୍ୟ ମଧ୍ୟ ନଜରକୁ ଆସୁଛି।

ଏଇ ସପ୍ତାହରେ ‘ସମ୍ବାଦ’ର ଏକାଧିକ ଟିମ୍‌ ୟୁନିଟ୍‌-୧, ୟୁନିଟ୍‌-୯, ସତ୍ୟନଗର, ଖାରବେଳନଗର, ଚନ୍ଦ୍ରଶେଖରପୁର, ୟୁନିଟ୍‌-୮, କିଟ୍‌ ଛକ, ମଞ୍ଚେଶ୍ବର ପ୍ରଭୃତି ଅଞ୍ଚଳରେ ନଜର ରଖିଥିବା ବେଳେ ଏମିତି କିଛି ଅବ୍ୟବସ୍ଥାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା। ସେପଟେ ସ୍କୁଲ ପିଲାଙ୍କ ପରିବହନକୁ ନେଇ ଓଡ଼ିଶା ପୁଲିସର ଚିନ୍ତା ବଢ଼ି ଯାଇଛି। ଥରେ କି’ ଦୁଇଥର ନୁହେଁ, ବାରମ୍ବାର ତାଗିଦ୍‌ ସତ୍ତ୍ବେ ସ୍କୁଲ ପିଲାଙ୍କ ପରିବହନ ଲାଗି ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବେ ପାଳନ କରାଯାଉ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। କେତେକ କ୍ଷେତ୍ରରେ ସ୍କୁଲ କର୍ତ୍ତୃପକ୍ଷ ନିୟମକୁ ହେୟଜ୍ଞାନ କରୁଥିବା ବେଳେ ଅଧିକାଂଶ ସମୟରେ ଅଭିଭାବକଙ୍କ ଯୋଗୁଁ ପିଲାଙ୍କ ଜୀବନ ବାଜିରେ ଲାଗୁଛି। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରାଯାଇ ସଚେତନ କରିବାକୁ ପ୍ରୟାସ ହୋଇଛି। କୁହାଯାଇଛି ଯେ ସ୍କୁଲ ପିଲାମାନଙ୍କ ଯାତାୟତ ପାଇଁ ନିୟୋଜିତ ଯାନଗୁଡ଼ିକ ଅନେକ ସମୟରେ ଆବଶ୍ୟକ କ୍ଷମତାଠାରୁ ଅଧିକ ପିଲାଙ୍କୁ ନେବା ଆଣିବା କରୁଛନ୍ତି। ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ, ପିଲାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ। ବିପଜ୍ଜନକ ଅବସ୍ଥାରେ ପିଲାଙ୍କ ସ୍କୁଲ ଯାତାୟା‌ତ ଉପରେ ରୋକ୍ ଲଗାନ୍ତୁ।

publive-image

କିଛି ଦିନ ତଳେ ଭୁବନେଶ୍ବର ଡିସିପି ପ୍ରତୀକ୍‌ ସିଂ ମଧ୍ୟ ଏକ କାର୍ଯ୍ୟକ୍ରମରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ପିଲାଙ୍କ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ସ୍କୁଲ କର୍ତ୍ତୃପକ୍ଷଙ୍କର ଯେତିକି ଦାୟିତ୍ବ, ଅଭିଭାବକଙ୍କଠାରୁ ତା’ଠାରୁ ଅଧିକ। ବିପଜ୍ଜନକ ଭାବେ ପିଲାଙ୍କୁ ସ୍କୁଲ ପଠାନ୍ତୁ ନାହିଁ। ଗାଡ଼ିକୁ ଭଲ ଭାବେ ଯାଞ୍ଚ କରନ୍ତୁ। କମିସନରେଟ୍‌ ପୁଲିସ ପକ୍ଷରୁ ଏବେ ସହରର ସ୍କୁଲଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ୧୮ ବର୍ଷ ବୟସରୁ କମ୍‌ ପିଲା ଗାଡ଼ି ନ ଚଲାଇବା, ସ୍କୁଲ ବସ୍‌ର ଫିଟ୍‌ନେସ୍‌, ଡ୍ରାଇଭରଙ୍କ ସମସ୍ତ ତଥ୍ୟ ରଖିବା ଆଦି ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଯଦି କୌଣସି ଅଟୋ କିମ୍ବା ଛୋଟ ଯାନରେ ଛାତ୍ରଛାତ୍ରୀ ଯାତାୟାତ କରୁଥି‌ବେ, ତାହା ବେଆଇନ। କେବଳ ସ୍କୁଲ ବସ୍‌ କିମ୍ବା ସ୍କୁଲ ପରମିଟ୍‌ ଥିବା ଗାଡ଼ିରେ ପିଲାଙ୍କୁ ନେବା ଆଣିବାର ନିୟମ ରହିଛି। ସିଟ୍‌ଠାରୁ ଅଧିକ ପିଲାଙ୍କୁ ନବାଆଣିବା କରୁଥିବା ଦେଖାଗଲେ ସାଙ୍ଗେ ସାଙ୍ଗେ ଗାଡ଼ିକୁ ଜବତ କରାଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏପରିକି, ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି। ଗତ ଏପ୍ରିଲରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ଉପରେ ଚଢ଼ଉ କରାଯାଇଥିଲା। ଏଥିରେ ହଜାରରୁ ଅଧିକ ଗାଡ଼ିଠାରୁ ଜରିମାନା ଆଦାୟ ହୋଇଥିଲା। ଏବେ ପୁଣିଥରେ ଚଢ଼ଉ ଲାଗି ଯୋଜନା ଚାଲିଛି।

କୁଆଡ଼େ ଗଲା ଶିଶୁ ସୁରକ୍ଷା ନୀତି?

୨୦୧୪ ଅଗଷ୍ଟ ୨୩ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିଲା ଶିଶୁ ସୁରକ୍ଷା ନୀତି। କୁହାଯାଇଥିଲା ଯେ ଛାତ୍ରଛାତ୍ରୀ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ବ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର। ଗ୍ରୀଷ୍ମକାଳୀନ ଶିକ୍ଷା, ବସ୍‌ରେ ଯିବା, ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ସମୟରେ ପିଲାଙ୍କ ସୁରକ୍ଷା ପ୍ରତି ପ୍ରଧାନ ଶିକ୍ଷକମାନେ ଗୁରୁତ୍ବ ଦେବେ। ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସୁଦୃଢ଼ କରିବା, ପାଚେରି ନିର୍ମାଣ, ଖେଳ ପଡ଼ିଆ, ଶ୍ରେଣୀଗୃହକୁ ସୁଦୃଢ଼ କରିବା, ଶୌଚାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା, ସ୍କୁଲ ପରିବହନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଶିଶୁ ସୁରକ୍ଷା ନିୟମଗୁଡ଼ିକୁ କ୍ୟାମ୍ପସରେ ଲେଖିବା, ବାହାରକୁ ବୁଲି ଯିବା ସମୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜଣେ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନେବେ। ଶିଶୁଙ୍କ ସୁରକ୍ଷା ସମ୍ପର୍କରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯିବ ବୋଲି ଉଲ୍ଲେଖ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ସଠିକ୍‌ ଭାବେ ଲାଗୁ ହୋଇପାରିନି।