କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ, ପାଥୋଲୋଜିରେ ଦିଆଯାଉଛି ଭୁଲ୍‌ ରିପୋର୍ଟ!

ତ୍ରୁଟି ସୁଧାରିବାକୁ ନୋଟିସ୍ ପରେ ନୋଟିସ୍, ଫଳ ଶୂନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜିରେ ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ପିପିପି ମୋଡ୍‌ରେ ହସ୍ପିଟାଲ୍‌ରେ ହେଉଥିବା ଉଚ୍ଚମାନର (ହାଇଏଣ୍ଡ) ନମୁନା ପରୀକ୍ଷାରେ ବ୍ୟାପକୁ ତ୍ରୁଟି ହେଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କଠାରୁ ଆରମ୍ଭ ହସ୍ପିଟାଲର ଡାକ୍ତର ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହାନ୍ତି। ତ୍ରୁଟିରେ ସୁଧାର ଆଣିବାକୁ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ ସଂସ୍ଥାକୁ ତାଗିଦ୍ କରୁଥିଲେ ହେଁ ସଂସ୍ଥା କୌଣସି ପ୍ରକାର ସୁଧାର ଆଣୁ ନଥିବା କର୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା କରାଯାଉଛି। ମାତ୍ର ପୂର୍ବରୁ କାର୍ଯ୍ୟ କରୁଥିବା ବ୍ୟବସ୍ଥାର ଠିକ୍ ଭାବେ ପରିଚାଳନା ହୋଇପାରୁନାହିଁ। ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ହାଇଏଣ୍ଡ ନମୁନା ପରୀକ୍ଷା କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପିପିପି ମୋଡ୍‌ରେ ‘ଟେକ୍‌ମେଡ୍‌’ ସଂସ୍ଥା ସହିତ ଚୁକ୍ତି ହୋଇଛି। ୨୦୧୬/୧୭ ମସିହାରେ ଏହି ସଂସ୍ଥା କ୍ୟାପିଟାଲ ହସ୍ପିଟାଲରେ ନିଜର ସେବା ଆରମ୍ଭ କରିଥିଲା। ସଂସ୍ଥା ଏବେ ଟିଏସ୍‌ଏଚ୍‌, ଟି୩, ଟି୪, ଏଚ୍‌ବିଏ୧ସି ଭଳି ହାଇଏଣ୍ଡ ପରୀକ୍ଷା କରୁଛି। କିଛିଦିନ ଠିକ୍ ସେବା ମିଳିବା ପରେ ପରବର୍ତୀ ସମୟରେ ସଂସ୍ଥା ବିରୋଧରେ ରୋଗୀଙ୍କ ପୁଳାପୁଳା ଅଭିଯୋଗ ଆସିଥିଲା। ନମୁନା ପରୀକ୍ଷା ରିପୋର୍ଟ ଯଥେଷ୍ଟ ତାରତମ୍ୟ ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଥିଲା। ଏପରିକି ହସ୍ପିଟାଲର ଜଣେ ତତ୍କାଳୀନ ଡାକ୍ତରଙ୍କ ପରିବାରଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ନମୁନା ରିପୋର୍ଟରେ ତାରତମ୍ୟ ଦେଖାଯାଇଥିଲା। ଏହି ଘଟଣାକୁ ନେଇ ସଂପୃକ୍ତ ଡାକ୍ତରଜଣକ ଭୀଷଣ କ୍ଷୁବ୍ଧ ହୋଇଥିଲେ।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ସଂସ୍ଥାକୁ ଆଜିକୁ ମିଶାଇ ସମୁଦାୟ ୩ଥର ନୋଟିସ୍ ଜାରି କରାଗଲାଣି। ପୂର୍ବରୁ ଜଣେ ନିର୍ଦେଶକଙ୍କ ଅମଳରେ ଗୋଟିଏ ନୋଟିସ୍ ଜାରି ହୋଇଥିବା ବେଳେ ଏବେ କିଛିଦିନ ଭିତରେ ୨ଥର ନୋଟିସ୍ ଜାରି କରାଯାଇଛି। ସେବାରେ ସୁଧାର ଆଣିବା ସହିତ ଅବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯିବାକୁ ଏହି ନୋଟିସ୍ ଜାରି ହୋଇଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହା ସତ୍ତ୍ବେ ସଂପୃକ୍ତ ସଂସ୍ଥା କୌଣସି ସୁଧାର ଆଣୁ ନାହିଁ। ହାଇଏଣ୍ଡ ପରୀକ୍ଷା ପାଇଁ ସଂସ୍ଥା ନିକଟରେ ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ସଂଖ୍ୟକ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏପରିକି ସଂପୃକ୍ତ ସଂସ୍ଥା ରୋଗୀଙ୍କ ଓପିଡି ଟିକେଟ୍ ନମ୍ବର ଓ କ’ଣ ପରୀକ୍ଷା କରାଗଲା, ତାହାର କେବଳ କାଗଜପତ୍ର ହସ୍ପିଟାଲରେ ଦାଖଲ କରୁଥିବାରୁ ଏଥିରେ ଅନିୟମିତକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି କର୍ତୃପକ୍ଷ ବିଚାର କରୁଛନ୍ତି। ଏହାସହ ହସ୍ପିଟାଲର ପାଥୋଲୋଜି ବିଭାଗରେ ବହୁ ସଂଖ୍ୟାରେ ଘର ଏକ ସଂସ୍ଥାକୁ ପରୀକ୍ଷା ନାଁରେ ପ୍ରଦାନ କରିବାକୁ ନେଇ ଅନେକ ନାପସନ୍ଦ କରିଛନ୍ତି। ମାତ୍ର ସଂପୃକ୍ତ ସଂସ୍ଥା ଉପରେ ହସ୍ପିଟାଲ କର୍ତୃପକ୍ଷଙ୍କ କୌଣସି କର୍ତୃତ୍ବ ନ ଥିବାରୁ କେବଳ ନୋଟିସ୍ ଜାରି କରିବା ଛଡ଼ା ଅନ୍ୟ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି କର୍ତୃପକ୍ଷ।

‘ଟେକ୍‌ମେଡ୍‌’ ସଂସ୍ଥାର କ୍ୟାପିଟାଲ ହସ୍ପିଟାଲର ଲ୍ୟାବ୍ ଇନ୍‌ଚାର୍ଜ ରଶ୍ମିରଂଜନ ସ୍ବାଇଁ କହିଛନ୍ତି, ପୂର୍ବରୁ ଥିବା ମ୍ୟାନେଜମେଣ୍ଟ ଟିମ୍‌ରେ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଗତ ୨ତାରିଖରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସମୟ ଭିତରେ ତାଙ୍କ ନିକଟରେ ରିପୋର୍ଟକୁ ନେଇ କୌଣସି ଅଭିଯୋଗ ଆସିନାହିଁ। ଗତ ୧୯ ତାରିଖରେ ହସ୍ପିଟାଲ ପକ୍ଷରୁ ଶେଷଥର ଲାଗି ୧୫ମିନିଟ୍‌ ବିଳମ୍ବରେ ସେଣ୍ଟର ଖୋଲାଯିବାକୁ ନେଇ ନୋଟିସ୍ ଆସିଥିଲା। ହସ୍ପିଟାଲ କର୍ତୃପକ୍ଷଙ୍କ ତୃତୀୟ ନୋଟିସ୍‌ ତାଙ୍କ ନିକଟରେ ପହଞ୍ଚି ନାହିଁ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ହାଇଏଣ୍ଡ ପରୀକ୍ଷାଗୁଡ଼ିକ ପିପିପି ମୋଡ୍‌ରେ ହସ୍ପିଟାଲରେ ଚାଲୁଛି। ଏଥିରେ ହସ୍ପିଟାଲ କର୍ତୃପକ୍ଷଙ୍କ କୌଣସି ଭୂମିକା ନାହିଁ। ସଂପୃକ୍ତ ସଂସ୍ଥା ଠିକଣା ଢଙ୍ଗରେ ଏହାର ପରିଚାଳନା କରିପାରୁ ନାହିଁ। ବାରମ୍ବାର ନୋଟିସ୍ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେବାରେ କିଭଳି ସୁଧାର ଆସିପାରିବ ଓ ଅବ୍ୟବସ୍ଥା ଦୂର ହୋଇପାରିବ, ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଦିଆଯିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର