ପୁରୁଣା ଭୁବନେଶ୍ବର: ଆଜି ଅଷ୍ଟମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚତୁର୍ଥୀ କର୍ମ ଅନୁଷ୍ଠିତ ହୋଇଛି। ବିଧି ଅନୁଯାୟୀ ମନ୍ଦିରରେ ସଂଧ୍ୟାଧୂପ ପରେ ରାତି ପ୍ରାୟ ୧୦ଟାରେ ଶ୍ରୀଲିଙ୍ଗରାଜ ଓ ଦେବୀ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନରେ ବସାଇ ବାସୁଦେବ ମନ୍ଦିର ସମ୍ମୁଖସ୍ଥ ବିନ୍ଦୁସାଗର ବ୍ରହ୍ମାଘାଟକୁ ନିଆଯାଇଥିଲା। ସେଠାରେ ଦେବଦେବୀଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ଅନନ୍ତ ବାସୁଦେବଙ୍କ ନିକଟକୁ ଦେବଦେବୀଙ୍କୁ ନିଆଯାଇ ଭୋଗ ଓ ଭେଟ ଆଳତି କରାଯାଇଥିଲା। ସେଠାରୁ ଦେବ ପ୍ରତିମାମାନେ ଭାରତୀ ମଠକୁ ବିଜେ କରଥିଲେ। ସେଠାରେ ଲିଙ୍ଗରାଜଙ୍କ ଭଉଣୀ କାମାକ୍ଷା ଦେବୀ ପରମ୍ପରା ଅନୁଯାୟୀ ନଣନ୍ଦ ଭାବେ ଗଇଣ୍ଠାଳ ଖୋଲିଥିଲେ। ପୂଜା ଓ ଭେଟ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ବରକନ୍ୟା ମନ୍ଦିରକୁ ଫେରିଆସି ବେହରଣ ମଣ୍ଡପରେ ବିଜେ କରିଥିଲେ। ପାଳିଆ କୁଳ ପୁରୋହିତଙ୍କ ଚତୁର୍ଥୀ ହୋମ ପରେ ଠାକୁର ଠାକୁରାଣୀଙ୍କ ନିକଟରେ ମୁଆଁଭୋଗ କରାଯାଇଥିଲା। ଏହାପରେ ଆଡ଼କାଠ ନିକଟରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତ ଓ ପାର୍ବତୀଙ୍କ ପକ୍ଷରୁ ମହାସୁଆର ପତ୍ରୀ ସେବାୟତ କଉଡ଼ି ଖେଳିଥିଲେ। କଉଡ଼ି ଖେଳ ପରେ ଦେବଦେବୀ ଦକ୍ଷିଣୀ ଗୃହକୁ ବିଜେ କରିଥିଲେ। ମନ୍ଦିରରେ ବଡ଼ସିଂହାର ବେଶ, ପଞ୍ଚବକ୍ର, ଆଳତି ପରେ ପହୁଡ଼ ପଡ଼ିଥିଲା।
ଶୀତଳଷଷ୍ଠୀ ଯାତ୍ରାରେ ସହଯୋଗ ପାଇଁ ସମ୍ବର୍ଦ୍ଧନା
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଯାତ୍ରାରେ ବିଭିନ୍ନ ସହଯୋଗ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ‘ପିନାକ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ଅତିଥି ଭାବେ ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, କମିଟି ସଭାପତି ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଉପସଭାପତି ସନତ ମିଶ୍ର, ପ୍ରମୋଦ ମହାପାତ୍ର, ରଶ୍ମି ମହାପାତ୍ର ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର, ନାରାୟଣ ମହାପାତ୍ର, ହେମାଦ୍ରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ଏସିପି, ଲିଙ୍ଗରାଜ ଥାନା ଅଧିକାରୀ, ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଆନ୍ଧ୍ରପ୍ରଦେଶ ସେହେନାଈ, ଢେଙ୍କାନାଳ ମାଦଳ, ଘୋଡ଼ା, ଷଣ୍ଢ, ପୁରୀ ଘଣ୍ଟ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୁରି, ଆଦିବାସୀ ନୃତ୍ୟ, ବନ୍ୟଜନ୍ତୁ ବେଶ, କଣ୍ଢେଇ, ଘୋଡ଼ାନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ, ଦେବଦେବୀ ବେଶ, ବନାଟି ଆଦି ୪୨ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ପୂଜାପଣ୍ଡା ନିଯୋଗ, କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ, ଆପଟିଆ ନିଯୋଗ, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ନୃପେଶ କୁମାର ନାୟକ, ବିରଞ୍ଚି ନାରାୟଣ ମହାସୂପକାର, ଶିବ ପ୍ରସାଦ ରାୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ବାସୁଦେବ ନାଥ ଓ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।