ଭୁବନେଶ୍ବର: ପାଠପଢ଼ା ମାତ୍ର ମାଟ୍ରିକ୍‌। କିନ୍ତୁ ଜାଲ୍‌ କମ୍ପାନି ଖୋଲି ଅଧିକ ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ନିବେଶକଙ୍କୁ ଚୂନ ଲଗାଉଥିଲା। ଏଭଳି ଜଣେ ସାଇବର ଠକକୁ ଭୁବନେଶ୍ବର ସାଇବର ଥାନା ପୁଲିସ ବାଲେଶ୍ବରରୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡ଼ାର ପ୍ରମୋଦ ମହାନ୍ତି। ବାଲେଶ୍ବରରେ ଶଶୁରଘରେ ରହୁଥିବା ପ୍ରମୋଦ ରାଜ୍ୟ ବାହାରୁ ପରିଚାଳିତ କୌଣସି ବଡ଼ ସାଇବର ଠକ ଗ୍ୟାଙ୍ଗ୍‌ରେ ମୋହରା ବୋଲି ସନ୍ଦେହ କରାଯାଉଛି। ଠକ ପ୍ରମୋଦ ନାଁରେ ଥିବା କମ୍ପାନିର ଆକାଉଣ୍ଟ୍‌କୁ ସାଇବର ପୁଲିସ ଫ୍ରିଜ୍‌ କରିଛି ଏବଂ ସେଥିରେ ୮ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଆଜି ପ୍ରମୋଦକୁ କୋର୍ଟ ଚାଲାଣ କରାଯାଇଛି। ବଡ଼ କଥା ହେଉଛି ଠକ ପ୍ରମୋଦକୁ ମୋହରା କରିଥିବା ଗ୍ୟାଙ୍ଗ୍‌କୁ ଠାବ କରିବାକୁ ପୁଲିସ ତଦନ୍ତ ଜାରି ରହିଛି ବୋଲି ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି।      
ଚଳିତ ମାସ ୭ ତାରିଖ ଦିନ ଅଭିଯୋଗକାରୀ ମିଲନ୍‌ ବେହେରାଙ୍କ ହ୍ବାଟ୍‌ସ୍‌ଆପ୍‌କୁ ଏକ କଲ୍‌ ଆସିଥିଲା। ନିଜକୁ ସେୟାର୍‌ ମାର୍କେଟ୍‌ ବ୍ରୋକର୍‌ ତଥା ଏକ୍ସପର୍ଟ ବୋଲି ପରିଚୟ ଦେଇ ସାଇବର ଠକ କଥା ହୋଇଥିଲା। ମାସିକ ୭ ପ୍ରତିଶତ ରିଟର୍ଣ୍ଣ ଦେବାକୁ ପ୍ରଲୋଭିତ କରି ଠକ ମିଲନ୍‌ଙ୍କୁ ନିବେଶ କରିବାକୁ ପ୍ରବର୍ତ୍ତାଇଥିଲା।

Advertisment

ମିଲନ୍‌ ରାଜି ହେବା ପରେ ଠକ ତାଙ୍କୁ ଏକ ଲିଙ୍କ୍‌ ପଠାଇଥିଲା ଏବଂ ପରେ ତାଙ୍କୁ ଏକ ଗ୍ରୁପ୍‌ରେ ‌ଯୋଡ଼ିଦେଲା। ଲୋଭର ବଶବର୍ତ୍ତୀ ହୋଇ ମିଲନ୍‌ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ବିନିଯୋଗ କରିଦେଲେ। କିନ୍ତୁ ପରେ କିଛି ବି ରିଟର୍ଣ୍ଣ ନ ପାଇବାରୁ ଠକାମିର ଶିକାର ହୋଇଥିବା ଜାଣିଲେ। ସାଇବର ଥାନାରେ ଅଭିଯୋଗ ହେବା ମାତ୍ରେ ମିଲନ୍‌ ଟଙ୍କା ପଠାଇଥିବା ଆକାଉଣ୍ଟ୍‌କୁ ନେଇ ଖୋଳତାଡ଼ କରାଯାଇଥିଲା। ଉକ୍ତ ଆକାଉଣ୍ଟଟି ବୈ‌ଷ୍ଣବୀ ଏଣ୍ଟରପ୍ରାଇଜର୍ସ କମ୍ପାନି ନାଁରେ ଓ ପ୍ରମୋଦଙ୍କ ମାଲିକାନାରେ ଥିବା ଜଣାପଡ଼ିଥିଲା। କିନ୍ତୁ ସେତେବେଳକୁ ସେଥିରୁ ୪ ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍‌ସଫର୍‌ ହୋଇସାରିଥିଲା। ପୁଲିସ ଉକ୍ତ ଆକାଉଣ୍ଟକୁ ଫ୍ରିଜ୍‌ କରିଥିଲା ଏବଂ ପ୍ରମୋଦକୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଦିଲ୍ଲୀରୁ ପରିଚାଳିତ ଏକ ଗ୍ୟାଙ୍ଗ୍‌ ପ୍ରମୋଦକୁ କୌଣସିମତେ ଟ୍ରାପ୍‌ କରି ଏହି ଖେଳ କରୁଥିଲା। ପ୍ରମୋଦ ଓଡ଼ିଶା ପାଇଁ କେବଳ ଜଣେ ମୋହରା ଥିଲା। ଠକ ଗ୍ୟାଙ୍ଗ୍‌ ପ୍ରମୋଦ ନାଁରେ ଜାଲ୍‌ କମ୍ପାନି କରିଥିଲେ। ପୂର୍ବରୁ ଏହି ଆକାଉଣ୍ଟରେ ଆହୁରି ଅଧିକ ଥର ଟ୍ରାଞ୍ଜାକ୍‌ସନ୍‌ ହୋଇଛି। ପ୍ରାୟ ୪ଟି ରାଜ୍ୟରୁ ବିଭିନ୍ନ ଆକାଉଣ୍ଟ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଏହି ଆକାଉଣ୍ଟକୁ ଆସିଛି ଏବଂ ଏଥିରୁ ଟ୍ରାନ୍‌ସଫର୍‌ ହୋଇଛି।  

ସୂଚନାଯୋଗ୍ୟ ଯେ ଅନୁରୂପ ଠକେଇ ଅଭିଯୋଗରେ ୧୮ ତାରିଖ ଦିନ ସାଇବର ଥାନା ପୁଲିସ କୋରାପୁଟ ଓ ଖୋର୍ଦ୍ଧାରୁ ୩ଜଣଙ୍କୁ ବାନ୍ଧିଥିଲା। ମଞ୍ଚେଶ୍ବରର ସୌମ୍ୟ ନାୟକଙ୍କୁ ୧୦ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଧୂର୍ତ୍ତମାନେ ହେଲେ କୋରାପୁଟ ଜୟପୁରର ସିଦ୍ଧାର୍ଥ ପୂଜାରୀ, ବିବେକ ସିଂ ଓ ଖୋର୍ଦ୍ଧାର ଅବିନାଶ ସାହୁ। ବେଙ୍ଗାଲୁରୁରେ ଜାଲ୍‌ କମ୍ପାନି ଖୋଲି ଏମାନେ ପୁଞ୍ଜିନିବେଶ ନାଁରେ ଲୋକଙ୍କୁ ଠକୁଥିଲେ। ଏହି ମାମଲାରେ ପାଖାପାଖି ଦେଢ଼ କୋଟି ଟଙ୍କା ଠକେଇ ହୋଇଛି ଏବଂ ଆହୁରି ୩/୪ଜଣ ଗିରଫ ହେବେ ବୋଲି ସୂଚନା ମିଳିଛି।