ପ୍ରାର୍ଥିପତ୍ର ଦାଖଲ କଲେ ସନ୍ତୋଷ

ଜଟଣୀ: ଜଟଣୀ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସକାଳ ୧୦ଟା ବେଳେ ଜଟଣୀ ଖୁଦୁପୁର ପଡ଼ିଆରେ ଶ୍ରୀ ଜେନା ତାଙ୍କ ସମର୍ଥକଙ୍କ ସହ ଏକାଠି ହୋଇଥିଲେ। ପ୍ରବଳ ଖରାକୁ ଖାତିର ନ କରି ବିରାଟ ପଟୁଆରାରେ ଦଳୀୟ କର୍ମୀ, ନେତା, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ନାମାଙ୍କନ ଦାଖଲ କରିବାକୁ ବାହାରିଥିଲେ। ଶୋଭାଯାତ୍ରା ସମୟରେ ବାଜା, ବାଣ, ରୋଷଣୀ ଓ ପାରମ୍ପରିକ ନୃତ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଶ୍ରୀ ଜେନା ପ୍ରଥମେ ଜଟଣୀର ସାଇ ମନ୍ଦିର, ଡମଣେଇ ମନ୍ଦିରରେ ପୂଜାର୍ଚ୍ଚନା କରି କୁଦିଆରି ଦେଇ ଭୁବନେଶ୍ବର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଶୋଭାଯାତ୍ରା ସମୟରେ ପତ୍ନୀ ବିନିତା ଜେନା, ସାଂସଦ ପ୍ରାର୍ଥୀ ୟାସିର୍ ନୱାଜ୍, ସଂଗ୍ରାମ କେଶରୀ ରାଉତରାୟ, ଦିବାକର ମଙ୍ଗରାଜ, ଅଶୋକ ମଙ୍ଗରାଜ, ରାଜୀବ ପଟ୍ଟନାୟକ, ଜୟପ୍ରକାଶ ତ୍ରିଭେଦୀ, ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ଯୁବ, ଛାତ୍ର, ମହିଳା, କାଉନସିଲର, ସରପଞ୍ଚ ପ୍ରମୁଖ ଉପସ୍ଥିତଥିଲେ। ନାମାଙ୍କନ ଦାଖଲ ଅବସରରେ ଶ୍ରୀ ଜେନା କହିଛନ୍ତି, ‘‘ଜଟଣୀ ନିର୍ବାଚନମଣ୍ଡଳୀର ବିକାଶ ମୋର ଲକ୍ଷ୍ୟ। ବିଗତ ୩୦ବର୍ଷ ହେଲା ଜଟଣୀବାସୀଙ୍କ ସହ ସୁଖଦୁଃଖରେ ଛାଇ ଭଳି ରହିଆସିଛି। ନିର୍ବାଚନମଣ୍ଡଳୀରେ ଲୋକମାନଙ୍କର ଅନେକ ମୌଳିକ ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରୁନି।’’ ତେଣୁ ତାଙ୍କୁ ଥରେ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି।

 ସବୁଠୁ ଉଚ୍ଚଶିକ୍ଷିତ
ଶ୍ରୀ ଜେନା ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୫୫ହଜାର ୫ଶହ ଟଙ୍କା ଓ ୧୦ଟି ଭିନ୍ନ ଭିନ୍ନ ବ୍ୟାଙ୍କରେ ୨ଲକ୍ଷ ୪୨ହଜାର ଟଙ୍କା ରହିଛି। ତାଙ୍କ ନାଁରେ ୩ଟି ଏଲ୍‌ଆଇସି ବଣ୍ଡ ରହିଥିବା ବେଳେ ଥାନାରେ କୌଣସି ଅାପରାଧିକ ମାମଲା ନାହିଁ। ୨୪୨.୭୭ ଗ୍ରାମର ସୁନା ବ୍ୟାଙ୍କରେ ବନ୍ଧା ପଡ଼ିଛି ଓ ୫ଗ୍ରାମର ସୁନା ତାଙ୍କ ପାଖରେ ଅଛି, ଯାହାର ମୂଲ୍ୟ ୩୬ହଜାର ୩ଶହ ଟଙ୍କା। ଘର ପାଇଁ ସେ ୩୬ଲକ୍ଷ ୬୩ହଜାର ଟଙ୍କାର ବ୍ୟାଙ୍କ ଋଣ କରିଛନ୍ତି। ତାଙ୍କ ନାଁରେ ସମୁଦାୟ ୭କୋଟି ୯ଲକ୍ଷ ୧୩ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅନ୍ୟ ପ୍ରାର୍ଥୀଙ୍କଠାରୁ ଅଧିକ ଥିବା ବେଳେ ସେ ବିଏ ଏଲ୍‌ଏଲ୍‌ବି କରିଛନ୍ତି। ସେହିପରି ପତ୍ନୀ ବିନିତା ଜେନାଙ୍କ ପାଖରେ ନଗଦ ୩୨ହଜାର ୪୦୦ ଟଙ୍କା ଥିବା ବେଳେ ତାଙ୍କ ନାଁରେ ସମୁଦାୟ ୭କୋଟି ୨୨ଲକ୍ଷ ୪୬ହଜାର ଟଙ୍କାର ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର