ଶିହରଣ ଖେଳାଇଲା ‘ଆହେ ନୀଳଶଇଳ’ : ଗଜପତି ରାମଚନ୍ଦ୍ର ଦେବଙ୍କ ଅମର ଗାଥା, ଜଗନ୍ନାଥଙ୍କ ପାଇଁ କରିଥିଲେ ଧର୍ମ ତ୍ୟାଗ

ଭୁବନେଶ୍ବର: ଓଡ଼ିଆ ଜାତିର ଆତ୍ମା ତଥା ଭକ୍ତର ଠାକୁର ଜଗନ୍ନାଥଙ୍କ ଲୀଳା ସବୁକାଳେ ରହସ୍ୟମୟ। କେତେବେଳେ ସେ ଓଡ଼ିଆ ଜାତିର ସ୍ବାଭିମାନ ରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ତ କେତେବେଳେ ତାଙ୍କୁ ସୁରକ୍ଷା ଦେବାକୁ ଓଡ଼ିଆ ଜାତି କେତେ ତତ୍ପର, ତାହାର ପରୀକ୍ଷା ନେଇଛନ୍ତି। ମୋଗଲ ଶାସନ କାଳରେ ଏମିତି ଏକ ଘଟଣାକ୍ରମରେ ଗଜପତି ମହାରାଜ ରାମଚନ୍ଦ୍ର ଦେବଙ୍କୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜଗନ୍ନାଥ ଆଗ ନା ଧର୍ମ ଆଗ? ଏହି ଜଟିଳ ସ୍ଥିତିର ମୁକାବିଲା କରିଥିଲେ ଗଜପତି ରାମଚନ୍ଦ୍ର ଦେବ। ତେବେ ସ୍ବାଭାବିକ ଭାବେ ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ଯାଇ ଗଜପତି ରାମଚନ୍ଦ୍ର ଦେବ ନିଜ ଧର୍ମ ତ୍ୟାଗ କରିଥିଲେ। ସବୁଦିନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଅଧିକାର ହରାଇଥିଲେ ବି ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ସେ ଚିରକାଳ ଓଡ଼ିଆ ଜାତି ପାଇଁ ଅମର ହୋଇଗଲେ। ରାମଚନ୍ଦ୍ର ଦେବଙ୍କ ଏହି ସଂଘର୍ଷର କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ‘ଆହେ ନୀଳଶଇଳ’ ଦର୍ଶକଙ୍କୁ ଶିହରିତ କରିଥିଲା।

ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ ଥାଆନ୍ତି ଗଜପତି ରାମଚନ୍ଦ୍ର ଦେବ। ଷୋଡ଼ଶ ଶତାବ୍ଦୀରୁ ଉତ୍କଳର ସ୍ବାଧୀନତା ଅସ୍ତମିତ ହୋଇସାରିଥିଲେ ମଧ୍ୟ ମୋଗଲ ସମ୍ରାଟ ଆକବରଙ୍କ ସେନାପତି ମାନସିଂହ ଶ୍ରୀଜଗନ୍ନାଥଙ୍କ ପାଇଁ କେବଳ ଖୋର୍ଦ୍ଧାର ରାଜନୈତିକ ସ୍ବାଧୀନତା ଘୋଷଣା କରିଥାନ୍ତି। ତେଣୁ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କର ସେବା, ସମ୍ମାନ ଓ ସୁରକ୍ଷାର ଦାୟିତ୍ବ ଥାଏ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ହାତରେ। ସେହି ସମୟରେ କଟକର ନାଏବ ନିଜାମ୍‌ ଥାଏ ହିନ୍ଦୁ ବିରୋଧୀ ତକୀ ଖାଁ। ଓଡ଼ିଆ ଜାତିର ଆସ୍ଥା ଓ ଅସ୍ମିତାର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ଓ ତାଙ୍କ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ଓଡ଼ିଶାର ଗର୍ବ ଓ ଦମ୍ଭକୁ ଚୁନା କରି‌ଦେବା ଥିଲା ତକୀ ଖାଁର ଏକମାତ୍ର ଲକ୍ଷ୍ୟ। ସେହି ଲକ୍ଷ୍ୟ ପୂରଣ ପାଇଁ ସେ ସେନା‌ପତି ବକ୍ସି ଭ୍ରମରବରଙ୍କ ସହଯୋଗରେ ଖୋର୍ଦ୍ଧାଗଡ଼ ଦଖଲ କରେ। ରାଜା ରାମଚନ୍ଦ୍ର ଦେବ ବନ୍ଦୀ ହୁଅନ୍ତି।

ତାଙ୍କ ମୁକ୍ତି ପାଇଁ ତକୀ ଖାଁ ନିକଟରେ ପହଞ୍ଚନ୍ତି ଲକ୍ଷ୍ମୀ ପରମଗୁରୁ। ରାମଚନ୍ଦ୍ର ଦେବ ଧର୍ମ ପରିବର୍ତ୍ତନ କରିବା ସହ ଭଉଣୀ ରଜିଆକୁ ବିବାହ କଲେ ତାଙ୍କୁ ମୁକ୍ତି ମିଳିବ ବୋଲି କଠିନ ସର୍ତ୍ତ ରଖେ ତକୀ ଖାଁ। ନଚେତ ଜଗନ୍ନାଥଙ୍କ ସମେତ ଶ୍ରୀମନ୍ଦିରକୁ ଭାଙ୍ଗି ଦେବାକୁ ଧମକ ଦିଏ। ରାଜାଙ୍କ ସମ୍ମୁଖରେ ରହେ ଦୁଇଟି ରାସ୍ତା ‘ଧର୍ମ’ ଓ ‘ଜଗନ୍ନାଥ’। ସେଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଶେଷରେ ରାଜା ଧର୍ମ ତ୍ୟାଗ କରନ୍ତି। ରଜିଆକୁ ବିବାହ କରନ୍ତି ଓ ଧର୍ମ ତ୍ୟାଗ କରି ଗଜପତିରୁ ପାଲଟିଯାଆନ୍ତି ‘ହାପିଜ୍‌ କଦର୍‌ ବେଗ୍‌’। ଏପଟେ ମହାରାଣୀ ଲଳିତାଙ୍କ ମନରେ ବିଷମଞ୍ଜି ବୁଣନ୍ତି ବିଶ୍ବାସଘାତକ ସେନାପତି ବକ୍ସି ଭ୍ରମରବର। ଗଜପତି ରାମଚନ୍ଦ୍ର ଦେବଙ୍କୁ ଜଗନ୍ନାଥ ଦର୍ଶନ କରିବାକୁ ଦିଅନ୍ତି ନାହିଁ। ତେବେ ରାଜାଙ୍କ ଠାକୁର ଦର୍ଶନ ପାଇଁ ଲକ୍ଷ୍ମୀ ପରମଗୁରୁ ସିଂହଦ୍ବାର ନିକଟରେ ପତିତପାବନଙ୍କ ମୂର୍ତ୍ତି ପ୍ରତିଷ୍ଠା କରନ୍ତି।

ଏତିକିରେ ତକୀ ଖାଁର ମନ ବୁଝେନି। ପୁଣି ଶ୍ରୀମନ୍ଦିର ଆକ୍ରମଣ ପାଇଁ ପ୍ରସ୍ତୁତି କରେ ସେ। ବିଚଳିତ ହୋଇଉଠନ୍ତି ରାଜା ରାମଚନ୍ଦ୍ର ଦେବ। ଆକ୍ରମଣ ପୂର୍ବରୁ ଠାକୁରଙ୍କୁ ଶ୍ରୀମନ୍ଦିରରୁ ନେଇ ଚିଲିକା ଟାପୁସ୍ଥିତ ହେନ୍ତାଳବଣରେ ଲୁଚାଇ ରଖନ୍ତି। ଜଗନ୍ନାଥଙ୍କୁ ନପାଇ ଅଧିକ କ୍ରୋଧିତ ହୁଏ ତକୀ ଖାଁ। ପୁଣି ରଚନା କ‌ରେ ଷଡ଼୍‌ଯନ୍ତ୍ର। ମହାରାଣୀ ଲଳିତାଙ୍କ ଦ୍ବାରା ଠାକୁରଙ୍କ ନବକଳେବର କରିବାକୁ ପ୍ରସ୍ତୁତି ଆରମ୍ଭ ହୁଏ। ଏ ଖବର ପାଇ ରାଜା ଠାକୁରଙ୍କୁ ‌ଶ୍ରୀମନ୍ଦିରକୁ ଫେରାଇ ଆଣିବାକୁ ଉଦ୍ୟମ କରନ୍ତି। ହେଲେ ତକୀ ଖାଁର ନିର୍ଦ୍ଦେଶରେ ରାଜାଙ୍କ ଉପରେ ପ୍ରବଳ ଆକ୍ରମଣ ହୁଏ।

ଏଥର ଆଗକୁ ମାଡ଼ି ଆସନ୍ତି ଖୋର୍ଦ୍ଧାର ପାଇକଗଣ। ମୋଗଲଙ୍କୁ ମାତ୍‌ ଦେଇ ସେମାନେ ପୁଣି ଜଗନ୍ନାଥଙ୍କୁ ବଡ଼ ଦେଉଳରେ ଅବସ୍ଥାପିତ କରନ୍ତି। ହେଲେ ରାଜା ଆଉ ମନ୍ଦିରକୁ ଯାଆନ୍ତି ନାହିଁ। ଓଡ଼ିଆ ଜାତିର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କର ସୁରକ୍ଷା ପାଇଁ ବିଶ୍ବାସଘାତକତା, ବନ୍ଧୁଦ୍ରୋହ, ଲୋକାପବାଦ ଓ ଲାଞ୍ଛନା ମଧ୍ୟରେ ଗଜପତି ରାମଚନ୍ଦ୍ର ଦେବଙ୍କର ନିଃସଙ୍ଗ ଓ ନିରବଛିନ୍ନ ସଂଗ୍ରାମକୁ ନେଇ ନାଟକ ‘ଆହେ ନୀଳଶଇଳ’ ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା।

ଚକ୍‌ଲେଟ୍‌ ପ୍ରଡ୍‌କସନ୍‌ ଆୟୋଜିତ ଏହି ବହୁପ୍ରତୀକ୍ଷିତ ନାଟକର ଆଜି ଥିଲା ଉଦ୍‌ଘାଟନୀ ସନ୍ଧ୍ୟା। ଏହି ନାଟକର ପ୍ରଯୋଜନା ଭାର ନେଇଥିଲେ ଖିମ୍‌ଜୀ ଜୁଏଲର୍ସ। ଏହି ନାଟକ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା। ଏମିତିକି ସମସ୍ତ ସିଟ୍‌ ପୂରଣ ହୋଇଯାଇଥିଲା। ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନାଟକ ପ୍ରସ୍ତୁତିରେ ମଞ୍ଚ, ଟେଲିଭିଜନ, ସିନେମାର କଳାକାରମାନେ ନିଖୁଣ ଅଭିନୟ କରିଥିଲେ। ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆହେ ନୀଳଶଇଳ’କୁ ନାଟ୍ୟ ରୂପ ଦେଇଥିଲେ ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା। ଲାଲା ବିରେନ୍‌ ରାୟ ନିର୍ଦ୍ଦେଶନା ଦେଇଥିଲେ। ନାଟକରେ ଗଜପତି ଚରିତ୍ରରେ ଲରେନ୍ସ ବେହେରା, ମହାରାଣୀ ଲଳିତା ଭୂମିକାରେ ସୋଫିଆ ଆଲାମ୍‌, ତକୀ ଖାଁ ଭାବେ ପ୍ରକାଶ ଜେନା, ରଜିଆ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ, ମନୀଷା ରଥ, ରାଜେନ୍ଦ୍ର ସ୍ବାଇଁ, ଶମ୍ଭୁ ହୋତା, ଆଶିଷ, ହାଡ଼ୁ, ଗୋବିନ୍ଦ ମହାପାତ୍ର, ଚିନ୍ମୟ, ଉମାକାନ୍ତ, ପାର୍ଥସାରଥୀ, ରଘୁନାଥ ବେହେରା, ଆର୍‌ଜେ କେପି, ସୁନୀଲ ପଢ଼ିହାରି, ସୁଜିତ୍‌ କୁମାର, ବିପ୍ରାଜ୍ଞ ନାୟକ, ପ୍ରଭାତ, କିଶୋର, ଚିତ୍ରସେନ ଓ ଆଲୋକ ଅଭିନୟ କରିଥିଲେ। ଗୀତିକାର ଗୁରୁ ଶତପଥୀଙ୍କ ଗୀତ ଓ ସୌମିତ୍ରୀ ପଲେଇଙ୍କ ସଙ୍ଗୀତ ନିର୍ଦ୍ଦେନାରେ ଋତୁରାଜ୍‌, ଶ୍ରୀଚରଣ, ନାଜିଆ ଆଲାମ୍‌, ଅଭିଜିତ୍‌ ଓ ଶଶାଙ୍କ କଣ୍ଠଦାନ କରିଥିଲେ।

ବିଷୟବସ୍ତୁ ସଙ୍ଗୀତରେ ସୌମିତ୍ରୀ, ଶ୍ରୀକାନ୍ତ, ସତ୍ୟ ଓ ପ୍ରଚ୍ଛଦପଟରେ ଶକ୍ତି ପ୍ରସାଦ ମିଶ୍ର ସହଯୋଗ କରିଥିଲେ। ସହ ନିର୍ଦ୍ଦେଶକ ଅନନ୍ତ, ଜିତେନ୍ଦ୍ର, ସୁବାସ ସହଯୋଗ କରିଥିଲେ। ୮, ୯ ଓ ୧୦ ତାରିଖ ସନ୍ଧ୍ୟା ୬ଟାରେ ଏହି ନାଟକ ଆରମ୍ଭ ହେବ।

ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ ପରିବାରର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ଦିନେଶ ଖିମ୍‌ଜୀ, କିଶୋର ଖିମ୍‌ଜୀ ଓ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

ଓଡ଼ିଆଙ୍କ ଶ୍ରେଷ୍ଠ ସମ୍ପଦ ମହାପ୍ରଭୁ ଜଗନ୍ନାଥ

ଆଜି ରବୀନ୍ଦ୍ର ମଣ୍ଡପରେ ମଚଂସ୍ଥ ନାଟକ ‘ଆହେ ନୀଳଶଇଳ’ରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ ଓଡ଼ିଶାରେ ବହୁତ ସମ୍ପଦ ଅଛି। କିନ୍ତୁ ଆମର ‌ଶ୍ରେଷ୍ଠ ସମ୍ପଦ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଏହି ସମ୍ପଦକୁ ସୁରକ୍ଷିତ ରଖି ପାରିଲେ ଆମେ ସବୁ କିଛି କରିପାରିବା। ଜଗନ୍ନାଥଙ୍କୁ ନେଇ ଯଦି ଏକାଠି ହୋଇ ପାରୁଛେ, ଅନ୍ୟ ସମସ୍ୟାଗୁଡ଼ିକ ପାଇଁ କାହିଁକି ଏକାଠି ହୋଇ ପାରୁନାହୁଁ? ସାରା ଭାରତ ପାଇଁ ମହାପ୍ରଭୁ ମହୋଷୌଧୀ ଭଳି କାମ ଦେଇ ପାରିବେ। ଭାରତ ଜାତି, ଧର୍ମ, ବର୍ଣ୍ଣକୁ ନେଇ ଭାଗ ଭାଗ ହେବାକୁ ବସିଛି। ରାଜ‌ନୀତିକୁ ବ୍ୟକ୍ତିଗତ ଜମିଦାରିରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି। ସେସବୁ ଦୃଷ୍ଟିରୁ ଜଗନ୍ନାଥଙ୍କର ଏହି ନାଟକ ଏକ ଭିନ୍ନ ଦୃଷ୍ଟିରୁ ଉତ୍ସାହିତ ଓ ପ୍ରଭାବିତ କରିବ। ନାଟକ ଦେଖିଲା ପରେ ସମସ୍ତେ ଅନୁଭବ କରିଥିବେ ଯେ ଓଡ଼ିଶାର ଶ୍ରେଷ୍ଠ ସମ୍ପଦ ଜଗନ୍ନାଥ। ଜଗନ୍ନାଥ ସାରା ଭାରତକୁ ବାଟ ଦେଖାଇବେ।

‘ସାରା ଦୁନିଆର ରକ୍ଷକ ଯିଏ…ନିଜ ରକ୍ଷା ପାଇଁ ଧାଉଁଛି ସିଏ’

ନାଟକ ‘ଆହେ ନୀଳଶଇଳ’ ସବୁଦୃଷ୍ଟିରୁ ଉଚ୍ଚକୋଟୀର ହୋଇଥିଲା। ନାଟକର ପ୍ରଥମ ଦିନରେ ପୂରା ପ୍ରେକ୍ଷାଳୟ ଦର୍ଶକପୂର୍ଣ୍ଣ ରହିଥିଲା। ଓଡ଼ିଶାର ଆଗଧାଡ଼ିର ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାରମାନେ ନାଟକ ଉପଭୋଗ କରିଥିଲେ। ନାଟକର ଏକ ଗୀତ ‘ସାରା ଦୁନିଆର ରକ୍ଷକ ଯିଏ…ନିଜ ରକ୍ଷା ପାଇଁ ଧାଉଁଛି ସିଏ’ ଦର୍ଶକଙ୍କୁ ଆଖି‌ରେ ଲୁହ ଭରି ଦେଇଥିଲା। ମୋଗଲ ଆକ୍ରମଣରୁ ରକ୍ଷା କରିବା ପାଇଁ ଗଜପତି ଠାକୁରଙ୍କୁ ଶ୍ରୀମନ୍ଦିରରୁ ନେଇ ଯାଉଥିବା ବେଳର ଏହି ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ହୋ ଭକତେ…ହୋ

ଓଡ଼ିଆ ଭାବାବେଗ ସହ ଜଡ଼ିତ ଶ୍ରଜଗନ୍ନାଥ। ଆଜି ପତିତପାବନଙ୍କ ଉପରେ ପରିବେଷଣ ହେଉଥିବା ନାଟକରେ ପ୍ରତିଟି ଓଡ଼ିଆ ନିମଗ୍ନ ହୋଇଯାଇଥିଲେ। ନାଟକରେ ପଣ୍ଡାଙ୍କ ‘ହୋ ଭକତେ… ହୋ’ ଡାକରେ ‘ଓ’ କରୁଥିଲେ ଦର୍ଶକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜୟ ଧ୍ବନି ଶୁଣି ଜୟଗାନ କରୁଥିଲେ ଦର୍ଶକ। ସତେକି ରବୀନ୍ଦ୍ର ମଣ୍ଡପ ପାଲଟି ଯାଇଥିଲା ବଡ଼ଦାଣ୍ଡ। ଏଭଳି ନିଆରା ପରିବେଶ ସମସ୍ତଙ୍କୁ ରୋମାଞ୍ଚିତ କରିଥିଲା। ପଣ୍ଡାଙ୍କ ମଜାଳିଆ କଥାରେ ଦର୍ଶକ ହସୁଥିଲେ। ଗଜପତି ମହାରାଜାଙ୍କ ଦୁଃଖରେ ଆଖିରୁ ଲୁହ ନିଗାଡ଼ୁଥିଲେ। ମହାପ୍ରଭୁ ପୁନର୍ବାର ରତ୍ନ ସିଂହାସନକୁ ଯିବା ବେଳେ ଖୁସିରେ ଆତ୍ମହରା ହୋଇଯାଇଥିଲେ ଦର୍ଶକ। ଭାବ, ଭକ୍ତି, ପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର