ମୋ ଗୋଡ଼ ଠିକ୍‌ କରିଦିଅ, ମୁଁ ଘର ଚଳେଇବି

ଭୁବନେଶ୍ୱର: ମତେ ଭଲ କରିଦିଅ। ମୋ ଗୋଡ଼ ଠିକ୍‌ କରିଦିଅ। ମୁଁ ଦୋକାନ କରିବି, ଘର ଚଳେଇବି। ହାଇଟେକ୍‌ ମେଡିକାଲ୍‌ର ୫୬ ନଂ ବେଡ୍‌ରେ ନିସ୍ତେଜ ହୋଇ ପଡ଼ିଥିବା ଶରତ ଜୁଆଙ୍ଗ ମୁହଁରୁ ଶୁଭୁଥିଲା ଏହି ନିଃସହାୟ ଭାଷା। ୧୮ ବର୍ଷୀୟ ଭେଣ୍ଡିଆ ଶରତଙ୍କ ଗୋଡ଼ ଦୁଇଟି ଅଚଳ ହେବା ପରେ ତାଙ୍କ ପରିବାର ଯେମିତି ମଉନ ହୋଇଯାଇଛନ୍ତି।
ଶରତଙ୍କ ବାପା ବନ ଜୁଆଙ୍ଗ ଆଦିବାସୀ ହୋଇଥିବା ବେଳେ ମୂଲ ଲାଗି ପରିବାର ଚଳାନ୍ତି। ଜଙ୍ଗଲ ଉପରେ ହିଁ ଅଧିକାଂଶ ସମୟ ନିର୍ଭର କରୁଛନ୍ତି। ମାତ୍ର ପୁଅ ଯେବେଠୁ କତରାଲଗା ହୋଇଛି ସେବେଠୁ ବନ ଜୁଆଙ୍ଗ ବି ନିଃସହାୟ ପାଲଟିଯାଇଛନ୍ତି। ଶରତ ଆଜକୁ ୮ମାସ ତଳେ ପାଖ ଜଙ୍ଗଲକୁ ଛେଳି ନେଇ ଚରାଇବାକୁ ଯାଇଥିଲେ। ଛେଳି ଚରୁଥିବା ବେଳେ ସେ କୁସୁମ ମଞ୍ଜି ସଂଗ୍ରହ ନିଶାରେ ଗଛକୁ ଚଢ଼ି ଯାଇଥିଲେ। ଗଛରୁ ଓହ୍ଲାଇବା ବେଳେ ଗଳି ପଡ଼ିବାରୁ ତଳେ ଅଣ୍ଟା ମାଡ଼ ହୋଇ ଚେତା ବୁଡ଼ିଗଲା। ତେଣୁ ବାପା ତାଙ୍କୁ ନେଇ କେଉଁଝର ବଡ଼ ମେଡିକାଲ୍‌ରେ ଭର୍ତି କରିଥିଲେ। ଚିକିତ୍ସାର ୩ ଦିନ ପରେ ଶରତ ଚେତା ଫେରି ପାଇଥିଲେ। ତେବେ ଟଙ୍କା ଅଭାବରୁ ଆଉ ଚିକିତ୍ସା ନକରି ଜଙ୍ଗଲ ଦେବୀଙ୍କୁ ପୂଜିଲେ। ହେଲେ ଶରତ ଧୀରେଧୀରେ କୋମାକୁ ଚାଲିଗଲେ। ଯେତେ ଔଷଧ ଖାଇଲେ ବି ସୁସ୍ଥ ହୋଇପାରିନଥିଲେ। ଏହା ଭିତରେ ୮ ମାସ ବିତିଯାଇଥିବାରୁ ଶରତ ଗଭୀର ଯନ୍ତ୍ରଣା ଅନୁଭବ କଲେ। ଗୋଡ଼ ନିଶ୍ଚଳ ହୋଇଗଲା। ତେଣୁ ୫ଦିନ ତଳେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର କହିଲେ, ବହୁ ଡେରି ହୋଇଗଲାଣି ଆଉ ଭଲ ହେବନି। ଏମିତି ନିରାଶ ହେବା ପରେ ତାଙ୍କୁ ଜୁଟିଥିଲେ ସମାଜସେବୀ ଲକ୍ଷ୍ମଣ ରାଓ। ସେ ଶରତଙ୍କୁ ନେଇ ହାଇଟେକ୍‌ ମେଡିକାଲ୍‌ରେ ଭର୍ତି କରିଥିଲେ ହେଁ ଚିକିତ୍ସା ପାଇଁ ୩ଲକ୍ଷରୁ ଊର୍ଧ୍ୱ ଟଙ୍କାର ଆବଶ୍ୟକତା ରହିଥିବାରୁ ଏନେଇ ବନ ଜୁଆଙ୍ଗ ପୁଅର ଚିକିତ୍ସା ପାଇଁ ସହଯୋଗ ଲୋଡ଼ିଛନ୍ତି। ବଦାନ୍ୟ ବ୍ୟକ୍ତିମାନେ ତାଙ୍କୁ ମୋବାଇଲ୍‌ ନଂ ୮୪୫୬୮୪୯୪୯୩ରେ ଯୋଗାଯୋଗ କରି ପାରିବେ ନଚେତ ତାଙ୍କ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଆକାଉଣ୍ଟ୍‌ ୫୪୩୬୧୦୧୧୦୦୦୦୬୬୧ରେ ସହାୟତା ରାଶି ଦେଇପାରିବେ। ।

ସମ୍ବନ୍ଧିତ ଖବର