ବହୁତଳ ପାର୍କିଂ: ଦୁଇଥର ଟେଣ୍ଡର ହେଲା, କେହି ନେଲେନି

ଚିନ୍ତାରେ କର୍ତ୍ତୃପକ୍ଷ, ବନ୍ଦ ହେବ ବେଆଇନ ପାର୍କିଂ

ଭୁବନେଶ୍ବର: ସହରର ପାର୍କିଂ ସମସ୍ୟା ସମାଧାନ କରିବାକୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ଦୁଇ ବହୁତଳ କାର୍‌ ପାର୍କିଂ(ଏମ୍‌ଏଲ୍‌ସିପି)ରେ ଅଚଳାବସ୍ଥା ଜାରି ରହିଛି। ଏହାର ପରିଚାଳନା କରୁଥିବା ଦୁଇ ଠିକା ସଂସ୍ଥା ଚାଲିଯିବା ପରେ ଆଉ କେହି ନିଲାମ ନେଉ ନାହାନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ଏହାର ପରିଚାଳନା ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର ହୋଇଥିଲା। କିନ୍ତୁ କୌଣସି ସଂସ୍ଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଦ୍ବାରା ଧାର୍ଯ୍ୟ ସର୍ତ୍ତ ଅନୁସାରେ ଠିକା ନ ନେବାରୁ ବିଏସ୍‌ସିଏଲ୍‌ ପୁଣି ଥରେ ଟେଣ୍ଡର ଡାକିଥିଲା। ଉଭୟ ସହିଦନଗର ଓ ରାଜମହଲ ଏମ୍‌ଏଲ୍‌ସିପି ପାଇଁ ଟେଣ୍ଡର ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖ ରହିଥିଲା‌। ହେଲେ କେହି ଆବେଦନ କରିନଥିବାରୁ ଚିନ୍ତା ବଢ଼ିଛି। ଏହି ଏମ୍‌ଏଲ୍‌ସିପି କଡ଼ରେ ନିୟମିତ ବେଆଇନ ପାର୍କିଂ ହେଉଥିବାରୁ ଏଠାରେ କେହି ଗାଡ଼ି ରଖୁନାହାନ୍ତି। ଏଣୁ ପ୍ରଥମେ ବେଆଇନ ପାର୍କିଂ ବନ୍ଦ କରିବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି।

ଗତ ବର୍ଷ ଅଗଷ୍ଟ ମାସରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଡାକିଥିବା ଟେଣ୍ଡରର ଶେଷ ତାରିଖ ସେପ୍ଟେମ୍ବର ୨୧ ରହିଥିଲା। ଏଥିରେ କୌଣସି ଠିକା ସଂସ୍ଥା ଚୟନ ହୋଇ ହୋଇ ପାରିନଥିଲେ। ପ୍ରାୟ ୭ ମାସ ପରେ ଅର୍ଥାତ୍‌ ୨୦୨୪ ମସିହା ମାର୍ଚ୍ଚ ମାସରେ ପୁଣି ଥରେ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିଲେ। ଗତ ବର୍ଷ ଅଗଷ୍ଟ ମାସରୁ ବିଏସ୍‌ସିଏଲ୍‌ ଏହାର ପରିଚାଳନା କରି ଆସୁଛି। ୨୦୨୨ ନଭେମ୍ବର ମାସରେ ଉଭୟ ଏମ୍‌ଏଲ୍‌ସିପି କାର୍ଯ୍ୟକ୍ଷମ ହୋଇଥିଲା। ରାଜମହଲ ପ୍ରକଳ୍ପରେ ୬ଟି ଫ୍ଲୋର୍‌ରେ ୩୪୬ କାର୍‌ ଓ ୫୭୦ବାଇକ୍‌ ଏକ ସମୟରେ ପାର୍କ ହୋଇପାରିବା ବ୍ୟବସ୍ଥା ରହିଛି। ତୃତୀୟ ମହଲାଟି କେବଳ ବାଣିଜ୍ୟିକ ସଂସ୍ଥାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ମାସକୁ ୧କୋଟି ୭୪ ଲକ୍ଷ ହିସାବରେ ଏହାକୁ ଏସ୍‌ଏନ୍‌ ଏଣ୍ଟରପ୍ରାଇଜର୍ସ ଠିକା ନେଇଥିଲା। କିନ୍ତୁ ବ୍ୟବସାୟ ନ ହେବାରୁ ସଂସ୍ଥା ଛାଡ଼ି ଚାଲି ଯାଇଥିଲା। ଏଣୁ ଏହାର ଏହାର ସର୍ବନିମ୍ନ ଲାଇସେନ୍ସ ଫି’ ୧ କୋଟିକୁ ଖସାଇ ଦିଆଯାଇଥିଲା। ୫ ବର୍ଷ ପର୍ଯ୍ୟନ୍ତ ଠିକା ଦିଆଯିବାକୁ ଯୋଜନା ହୋଇଥିବା ବେଳେ ୨ ବର୍ଷରେ ଥରେ ୫ ପ୍ରତିଶତ ଦର ବଢ଼ିବା ପାଇଁ ଧାର୍ଯ୍ୟ ହୋଇଥିଲା। ତଥାପି ଏଥିରେ କେହି ଭାଗ ନେଇ ନାହାନ୍ତି ବା ଆବେଦନ କରିନାହାନ୍ତି।

ସେହିଭଳି ସହିଦନଗର ପ୍ରକଳ୍ପରେ ଏକ ସମୟରେ ୧୭୬ କାର୍‌ ଓ ୩୯୯ ବାଇକ୍‌ ପାର୍କ ହୋଇପାରିବ। ମାସକୁ ୬୮ ଲକ୍ଷ ହିସାବରେ ଏହାକୁ ମଲ୍ଟି‌ପ୍ଲେକ୍ସ ସଲ୍ୟୁସନ ଠିକା ନେଇଥିଲା। କିନ୍ତୁ ଏ ସଂସ୍ଥା ମଧ୍ୟ ଛାଡ଼ି ଚାଲି ଯିବାରୁ ଏହାର ଦର ବର୍ଷକୁ ସର୍ବନିମ୍ନ ଲାଇସେନ୍ସ ଫି ୨୫ ଲକ୍ଷକୁ ଖସାଇ ଦିଆଗଲା। ଏହି ଫି’ ତିନିମାସକୁ ଥରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଗଲା। ତିନିମାସରେ ଏହି ଦେୟ ଦାଖଲ କରି ନପାରିଲେ ୮ ପ୍ରତିଶତ ଅଧିକ ଦେବାକୁ ଚୁକ୍ତି ରହିଥିଲା। କିନ୍ତୁ ଏଥିରେ ମଧ୍ୟ କେହି ଭାଗ‌ ନେଲେ ନାହିଁ। ପୂର୍ବରୁ ମଧ୍ୟ ଏଭଳି ସର୍ତ୍ତ ରହିଥିଲା। କିନ୍ତୁ ଉଭୟ ଠିକା ସଂସ୍ଥା ବେପାର ହେଉନଥିବା ଦର୍ଶାଇ ଚୁକ୍ତି ମୁତାବକ ଟଙ୍କା ଜମା କରୁନଥିଲେ। ବିଏସ୍‌ସିଏଲ୍‌ ୫ ମାସର ଦେୟ ଛାଡ଼ି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା।

ଉଭୟ ଏମ୍‌ଏଲ୍‌ସିପି କଡ଼ରେ ବେଆଇନ ପାର୍କିଂ ହେଉଥିବାରୁ ଏହା ଭିତରେ ଲୋକ ଗାଡ଼ି ରଖୁନଥିବାରୁ ବେପାର ହେଉନଥିବା ଦର୍ଶାଯାଇଛି। ପୂର୍ବରୁ ଅନେକ ବାର ଏଠାରେ ବେଆଇନ ପାର୍କିଂ ହଟାଇବାକୁ ଉଦ୍ୟମ ହୋଇଥିଲା। ପାଖଆଖରେ ଗାଡ଼ି ରଖିଲେ ଠିକା ସଂସ୍ଥା ଜରିଆରେ ଗାଡ଼ି ଉଠାଇ ନିଆଯାଉଥିଲା। ଜରିମାନା ଦେଇ ମାଲିକ ଗାଡ଼ି ମୁକାଳୁଥିଲା। କିନ୍ତୁ ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଲା। ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା। ଶେଷରେ ସ୍ଥିତି ଏଭଳି ହେଲା ଯେ, କାର୍ଯ୍ୟାନୁଷ୍ଠାନ କୋହଳ କରିଦିଆଗଲା। କିନ୍ତୁ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଏବେ ବେଆଇନ ପାର୍କିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର