ପ୍ଲଟ୍‌ ନଂ ୧୧୧୯ର ଝୁମୁରି

ଭୁବନେଶ୍ବର: ଝୁମୁରି..। ହୋଇପାରେ ନାଁ’ଟିଏ। ହେଲେ କିଛି ଯୁବକଙ୍କ ପାଇଁ ସେ ଥିଲା ସ୍ନେହ ଓ ଦରଦ ମିଶା ଉଦାହରଣଟିଏ। ଗତକାଲି ସେଇ ୮ବର୍ଷର ମାୟା ତୁଟି ଯାଇଛି। ଝୁମୁରି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛି। ତେବେ ସକାଳୁ ସଂଜ ଯାଏଁ ତା’ର ଭୋ’ ଭୋ’‌େର ଆଦରପଣକୁ ପଢ଼ି ପାରୁଥିବା କିଛି ଯୁବକ କିନ୍ତୁ ଏଯାବତ୍‌ ତାକୁ ପାସୋରି ପାରୁନାହାନ୍ତି। ଅନ୍ୟମାନଙ୍କ ଆଖିରେ ସେ ହୁଏତ ଥିଲା ବୁଲା କୁକୁର। ଅଥଚ ସେଇ ଯୁବ ସାଥୀଙ୍କ ପାଇଁ ସେ ଥିଲା ଅତି ଆପଣାର। ବୋଧହୁଏ କଥାଟା ହାସ୍ୟାସ୍ପଦ ଲାଗୁ ଥାଇପାରେ। ମାତ୍ର ଗୋଟେ ବୁଲା କୁକୁର ପାଇଁ ଯେ ଏତେ ଦରଦ ଥାଇପାରେ, ଜାଗମରାସ୍ଥିତ ଜଗମୋହନ ନଗର ପ୍ଲଟ୍‌ ନମ୍ବର ୧୧୧୯/୬ରୁ ତାହା ବାରି ହୋଇପଡ଼ୁଥିଲା। ଝୁମୁରି ମଣିଷ ନଥିଲା। ମାତ୍ର ମଣିଷଠୁ ବି କମ୍‌ ନଥିଲା। ତା’ର ନିଆରାପଣ ପାଇଁ ସେ ପାଲଟି ଯାଇଥିଲା ସେହି ଯୁବସାଥୀଙ୍କର ପରିବାରର ସଦସ୍ୟ। ସବୁ‌ଦିନ ପରି ଆଜି ତା’ ଭୋ ଭୋ ରଡ଼ି ଶୁଭି ନଥିଲା। ବିଷାକ୍ତ ଖାଦ୍ୟ ଅବା ସାପ କାମୁଡ଼ାରେ ତା’ର ମୃତ୍ୟୁ ହୋଇଯାଇଥିଲା। ଯେବେ ସକାଳୁ ତା’ର ଭୋ ଭୋ ନଶୁଣି ସିନୁ ବାହାରକୁ ଆସନ୍ତି, ଦେଖନ୍ତି ଝୁମୁରି ମରି ପଡ଼ିଛି। ଏହା ଜାଣିବା ପରେ ଯେମିତି ମ୍ରିିୟମାଣ ହୋଇପଡ଼ିଥିଲେ ସମସ୍ତେ। ଝୁମୁରିକୁ ଅଗଣାରେ ଶୁଆଇ ଫୁଲ ମାଳ ଚଢ଼ାଇ ଧୂପ ଦେଇ ଧଳା‌ ପୋଷାକ ପିନ୍ଧି ଶୋକ ପାଳିଥିଲେ। ଖାଲି ସେତିକି ନୁହେଁ, ଝୁମୁରିର ବିୟୋଗରେ ତା’ ଶବ ନିକଟରେ ଭଜନ ଗାଇଥିଲେ। ତାକୁ ନେଇ ବରମୁଣ୍ଡାରେ ପୋତିଦେଇ ମାଟି ଦେଇଥିଲେ। ହୁଏତ କେହି ଏହାକୁ ସେମାନଙ୍କର ପାଗଳାମି କହୁଥାଇପାରେ, କିନ୍ତୁ ଝୁମୁରିର ଦିନଚର୍ଯ୍ୟାକୁ ଝୁରି ହେବାର ଏଇ ଅବକାଶ ବ୍ୟକ୍ତ କରୁଥିଲା, ସେ ତାଙ୍କର କେତେ ନିଜର ଥିଲା।

ସଂପୃକ୍ତ ପ୍ଲଟ୍‌ରେ ମେସ୍‌ କରି ରହୁଥିବା ଦୁର୍ଗେଶ, ବିଶ୍ବଭୂଷଣ, ବୁଦ୍ଧଦେବ, ରଂଜନ, ଚନ୍ଦନ, ଶିବପ୍ରସାଦ ଓ ରମାକାନ୍ତଙ୍କ ଭିତରେ ସେ ପାଲଟି ଯାଇଥିଲା ଜଣେ ସଦସ୍ୟା। ବୁଲା କୁକୁର ହେଲେ ହେଁ ଏମାନେ କେବେ ଖାଇବା ପରେ ବଳି ପଡ଼ୁଥିବା ମାଂସର ଅଇଁଠା ହାଡ଼ ଦେଇ ଝୁମୁରିକୁ ସନ୍ତୁଷ୍ଟ କରୁନଥିଲେ। ବରଂ ମାଂସ କିଣା ‌େ‌ବଳେ ଝୁମୁରି ବରାଦରେ ବି କିଣା ଯାଉଥିଲା। ଝୁମୁରି ବି ମନ ଚିହ୍ନିଥିଲା। ‌ପ୍ଲଟ୍‌ରେ ଯଦି ଚିହ୍ନା ବ୍ୟକ୍ତିଙ୍କ ଛଡ଼ା ଆଉ କେହି ପଶିବାକୁ ଚେଷ୍ଟା କରୁଥିଲା, ତାକୁ ପ୍ରବେଶ କରାଇ ଦେଉ ନଥିଲା। ଯେବେଠୁ ଏଠାରେ ଝୁମୁରି ରହିଛି ସେବେଠୁ କେବେ ଏ ପ୍ଲଟ୍‌ରେ ଚୋରିର ନା ଗନ୍ଧ ବି ନଥିଲା। ଏବେ ସିନା ସେ ନାହିଁ, କିନ୍ତୁ ଏମିତି ଝୁମୁରିମାନେ ଯେ ଛାପ ଛାଡ଼ି ଦେଇ ପାରନ୍ତି, ଏ ଘଟଣା ଥିଲା ତା’ର ନିଚ୍ଛକ ଉଦାହରଣ।

ସମ୍ବନ୍ଧିତ ଖବର