ଶୀର୍ଷକୁ ଫେରିଲା ବିଜେବି : ଶ୍ରେଷ୍ଠ ଶହେରେ ବିଜେବି କଲେଜର ୮, ବେସିକ୍‌ ସାଇନ୍ସରେ ପାସ୍‌ହାର ଅଧିକ

ଭୁବନେଶ୍ବର : ଯୁକ୍ତ୨ ବିଜ୍ଞାନ ପରୀକ୍ଷା‌ରେ ପୁଣି ଶୀର୍ଷକୁ ବିଜେବି କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)। ଏହାର ଛାତ୍ରଛାତ୍ରୀମାନେ କଲେଜ ପାଇଁ ଏହି ସଫଳତା ଫେରାଇ ଆଣିଛନ୍ତି। ୯୭ ହଜାର ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ଦୁଇଟି ସ୍ଥାନକୁ ଅକ୍ତିଆର କରିନେଇଛନ୍ତି ଏହି ଶିକ୍ଷାନୁଷ୍ଠାନର ଛାତ୍ର ଭବାନୀ ଶଙ୍କର ପଟ୍ଟନାୟକ ଓ ଶୁଭଶ୍ରୀ ମହାପାତ୍ର। ଉଭୟ ଯଥାକ୍ରମେ ୬୦୦ରୁ ୫୫୯ ଓ ୫୫୮ ନମ୍ବର ରଖିଛନ୍ତି। କେବଳ ଏହି ଦୁଇ ଛାତ୍ରଛାତ୍ରୀ ନୁହନ୍ତି, ଗତବର୍ଷ ମାତ୍ର ୩ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ୯୦%ରୁ ଅଧିକ ମାର୍କ ରଖିଥିଲେ। ‌ଏଥର ୭ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ତେବେ କଲେଜର ୮ ଜଣ ଛାତ୍ରଛାତ୍ରୀ ୫୩୬ରୁ ଅଧିକ ନମ୍ବର ରଖି ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇଛନ୍ତି।

ଚଳିତବର୍ଷ କିଛି ସରକାରୀ କଲେଜ ଉନ୍ନତ ପ୍ରଦର୍ଶନ କରିଛନ୍ତି। ବିଜେବି ଓ ‌ବେସିକ୍‌ ସାଇନ୍ସ କଲେଜର ସଫଳତା ଆଗରେ ରହିଛି। ବେସିକ୍‌ ସାଇନ୍ସ କଲେଜର ପାସ୍‌ହାର ବିଜେବି କଲେଜ ତୁଳନାରେ ଅଧିକ ରହିଛି। ଏଠାରେ ପାସ୍‌ହାର ୯୨% ରହିଛି। ପରୀକ୍ଷା ଦେଇଥିବା ୩୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଭୁବନେଶ୍ବରରେ ଥିବା ସରକାରୀ କଲେଜଗୁଡ଼ିକ ମଧ୍ୟରେ ଆଗରେ ରହିଛି। ଯୁକ୍ତ୨ ବିଜ୍ଞାନ କଟ୍‌ ଅଫ୍‌ ମାର୍କରେ ସବୁଠାରୁ ଆଗରେ ରହୁଥିବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର କୌଣସି ବି ଛାତ୍ରଛାତ୍ରୀ ୯୦% ରଖିବାରେ ସଫଳ ହୋଇନାହାନ୍ତି। ଏପରିକି ‌ଶ୍ରେଷ୍ଠ ଶହେରେ ଉକ୍ତ ତିନୋଟି କଲେଜରେ ଜଣେ କି ଦୁଇ ଜଣ ରହିଥିବା ଜଣାପଡ଼ିଛି। ଆଜି ରେଜଲ୍ଟ ପ୍ରକାଶ ପାଉଥିଲେ ମଧ୍ୟ କଲେଜର ଅଧ୍ୟକ୍ଷମାନଙ୍କ ନିକଟରେ ପରୀକ୍ଷା ଫଳ ସମ୍ପର୍କିତ ତଥ୍ୟ ନ ଥିବା କହିଥିଲେ।

ଅନ୍ୟପକ୍ଷରେ କେତେକ ସେଲ୍ଫ ଫାଇନାନ୍ସିଂ କ‌ଲେଜ ପୂର୍ବ ସଫଳତା ଦୋହରାଇଛନ୍ତି। ପୁଣିଥରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଥିବା ୫ଟି କଲେଜର ପାସ୍‌ହାର ଶତ ପ୍ରତିଶତ ହୋଇଛି। ତେବେ ଏଥର ଦୁଇଟି ସେଲ୍ଫ ଫାଇନାନ୍ସିଂ କଲେଜର ଜଣେ ବି ହେଲେ ଛାତ୍ରଛାତ୍ରୀ ପାସ୍‌ ନ କରିବା ଚିନ୍ତା ବଢ଼ାଇଛି। ଏଥର ସହରର ସେଲ୍ଫ ଫାଇନା‌ନ୍ସିଂ କଲେଜର ଛାତ୍ରଛାତ୍ରୀ ପୂର୍ବଭଳି ୯୦%ରୁ ଅଧିକ ମାର୍କ ରଖିପାରି ନ ଥିବା ଜଣାପଡ଼ିଛି।

ଶିକ୍ଷାବିତ୍‌ଙ୍କ ମତରେ କେବଳ ବିଜେବି କିମ୍ବା ବେସିକ୍‌ ସାଇନ୍ସ କଲେଜ ଭଲ ପ୍ରଦର୍ଶନ କଲେ ଯେ ସରକାରୀ ଶିକ୍ଷାନୁଷ୍ଠାନ ଭଲ ପ୍ରଦର୍ଶନ କରୁଛନ୍ତି କହିବା ଠିକ୍‌ ହେବନି। ରାଜଧାନୀରେ ଥିବା ଆହୁରି ୧୨ କଲେଜର ରେଜଲ୍ଟ ଆଶାନୁରୂପ ହୋଇ ନାହିଁ। ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଏବେ ବି ଦୁର୍ବଳ ରହିଛି। ଆଗଭଳି ଆଉ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁନାହାନ୍ତି। ଛାତ୍ରୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର ରମାଦେବୀ ମହିଳା କଲେଜର ଛାତ୍ରୀ ୯୦%ରୁ ଅଧିକ ନମ୍ବର ନ ରଖିବା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ମାଟ୍ରିକ୍‌ରେ ‘ଏ୧’ ଗ୍ରେଡ୍‌ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି। ଏଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

କୃତୀ ପରୀକ୍ଷାର୍ଥୀଙ୍କୁ ନବୀନ, ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଟୁଇଟ୍‌ କରି କହିଛନ୍ତି ଯେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।

ସମ୍ବନ୍ଧିତ ଖବର