ଯୁକ୍ତ୨ କଟ୍‌ ଅଫ୍‌ ମାର୍କ: ଭୁବନେଶ୍ବରରେ ବିଜେବି ଆଗରେ

ଭୁବନେଶ୍ବର: ମାଟ୍ରିକ୍‌ ପରେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଥାଏ ଭୁବନେଶ୍ବରରେ ରହିବେ। ଭଲ କଲେଜରେ ପଢ଼ିବେ। ବିଜେବି ନ ହେଲେ ରମାଦେବୀ, ରାଜଧାନୀ, ବେସିକ୍‌ ସାଇନ୍ସ, ମହର୍ଷି କଲେଜରେ ସିଟ୍‌ ମିଳିଗଲେ ଭାଗ୍ୟ ବଦଳିଯିବ। କମ୍‌ ଖର୍ଚ୍ଚରେ ପଢ଼ି ପାରିବେ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବି ନେଇପାରିବେ। ତେବେ ବିଗତ କିଛି ବର୍ଷ ହେଲା ସହରର ନାମକରା କଲେଜର ପାସ୍‌ହାର ଉତ୍ସାହଜନକ ହେଉ ନଥିବାରୁ ତାହାର ସିଧାସଳଖ ପ୍ରଭାବ ନାମଲେଖା ଉପରେ ପଡ଼ୁଛି। ଯାହାକି ଯୁକ୍ତ୨ ପ୍ରଥମ ପର୍ଯ୍ୟୟ କଟ୍‌-ଅଫ୍‌ ମାର୍କ ତାଲିକାରେ ଦେଖିବାକୁ ମିଳିଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଭଲ ରେଜଲ୍ଟ କରୁଥିବା ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଟ୍‌ ଅଫ୍‌ ମାର୍କ ଏଥର ବୃଦ୍ଧି ପାଇ ନାହିଁ।

୨୦୨୦ ପରି ଏଥର ବି ରେଭେନ୍ସା କଲେଜ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି। ବିଜେବି କଲେଜର କଟ୍‌ ଅଫ୍‌ ମ‌ାର୍କ କଳା, ବିଜ୍ଞାନ ବିଭାଗରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ବାଣିଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ବିଜେବି ବ୍ୟତୀତ ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ବେସିକ୍‌ ସାଇନ୍ସ କଲେଜ, ରମାଦେବୀ ମହିଳା କଲେଜ, କଳାରେ ରମାଦେବୀ ମହିଳା କଲେଜ, ରାଜଧାନୀ କଲେଜ ଓ ବାଣିଜ୍ୟ ବିଭାଗରେ ରାଜଧାନୀ କଲେଜ ରହିଛି। ଆଉ କୌଣସି ବି କଲେଜ ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ସ୍ଥାନ ପାଇପାରି ନାହାନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବିଜ୍ଞାନରେ ଭଲ ରେଜଲ୍ଟ କରୁଥିବା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ଆଶାନୁରୂପ ନୁହେଁ। ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ କଟ୍‌-ଅଫ୍‌ ମାର୍କ ତାଲିକାରେ ରାଜ୍ୟର ଅନ୍ୟାନ୍ୟ ସହରର ସେଲ୍ଫ ଫାଇନାନ୍ସିଂ କଲେଜ ରହିଥିଲେ ମଧ୍ୟ ଭୁବନେଶ୍ବରର ବିଭିନ୍ନ କଲେଜ ନାଁ ନାହିଁ। ତେବେ ସମସ୍ତ କଲେଜର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ୨୦୨୦ ତୁଳନାରେ ୮ରୁ ୧୫% ପର୍ଯ୍ୟନ୍ତ କମ୍‌ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର