ଭୁବନେଶ୍ବରରେ ଯୁକ୍ତ୨ ନାମଲେଖା, ପ୍ରଥମ ଦିନରେ ୧୫୦୦ ସିଟ୍‌ ପୂରଣ

ଭୁବନେଶ୍ବର: ଭୁବନେଶ୍ବରରେ ଥିବା ୬୭ଟି ଯୁକ୍ତ ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଆଜି ୧୫୦୧ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରଥମ ଦିନରେ ଅଳ୍ପ ସଂଖ୍ୟାକ ଛାତ୍ରଛାତ୍ରୀଙ୍କୁ ଡକା ଯାଇଥିଲେ ମଧ୍ୟ କେତେକ କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଳି ଦେଖିବାକୁ ମିଳିଥିଲା। କୋଭିଡ୍‌-୧୯ କଟକଣା ମଧ୍ୟରେ ନାମଲେଖା ପ୍ରକ୍ରିୟ‌ା ଜାରି ରଖିବାକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ରମାଦେବୀ ମହିଳା ମହାବିଦ୍ୟାଳୟ, ବିଜେବି କଲେଜ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ କଲେଜରେ ନିୟମର ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଗହଳି ଭିତରେ ଛାତ୍ରଛାତ୍ରୀ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନାମ ଲେଖାଇଥିଲେ। ମାସ୍କ ପିନ୍ଧିବା, ସାନିଟାଇଜର୍‌ରେ ହାତ ଧୋଇବା, ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ ହୋଇଥିଲା। ଏହା ଜାଣିବା ପରେ ମଧ୍ୟ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିବାରୁ କିଛି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ।

୬୭କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗର ୧୮ ହଜାର ୫୪୪ ସିଟ୍‌ ମଧ୍ୟରୁ ପ୍ରଥମ ଦିନ ୧୫୦୧ଜଣ ନାମ ଲେଖାଇଛନ୍ତି। ବେସିକ୍‌ ସାଇନ୍ସ କଲେଜର ବିଜ୍ଞାନ ବିଭାଗରେ ସର୍ବାଧିକ ୭୦ଜଣ ଛାତ୍ରଛ‌ାତ୍ରୀ ନାମ ଲେଖାଇଥିବା ବେଳେ ବିଜେବି ଜୁନିଅର କଲେଜର କଳା ବିଭାଗରେ ମାତ୍ର ୧୫ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ‌ହୋଇଛି। ରମାଦେବୀ ମହିଳା ମହାବିଦ୍ୟାଳୟର କଳାରେ ୧୧, ବିଜ୍ଞାନରେ ୫୮, ବାଣିଜ୍ୟରେ ୨୩ଜଣ, ରାଜଧାନୀ କଲେଜର ବିଜ୍ଞାନରେ ୫ ଓ ବାଣିଜ୍ୟରେ ୧୭ଜଣ, ଶ୍ରୀ ଜୟଦେବ କଲେଜର କଳାରେ ୩୦ ଓ ବାଣିଜ୍ୟରେ ୧୨ ଜଣ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଧନ୍ଦାମୂଳକ ବିଭାଗରେ ୬୦ ଜଣ ନାମ ଲେଖାଇଛନ୍ତି।

ସେହିପରି ପଟିଆ ରାଜା ମଧୁସୂଦନଦେବ କଲେଜରେ କଳାରେ ୧୨, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’ରେ କଳାରେ ୫୫, ବିଜ୍ଞାନରେ ଜଣେ ଓ ବାଣିଜ୍ୟରେ ୬୩ଜଣ, ମହର୍ଷି ମହିଳା ମହାବିଦ୍ୟାଳୟର କଳାରେ ୨୦ ଓ ବିଜ୍ଞାନରେ ୩୪ ଜଣ, କମଳା ନେହରୁ ମହିଳା ବିଦ୍ୟାଳୟର ବିଜ୍ଞାନରେ ୫୮ ଓ ବାଣିଜ୍ୟରେ ୪୭ଜଣ, ସିଟି ଓମେନ୍ସ କଲେଜର କଳାରେ ୪୨ ଓ ବିଜ୍ଞାନରେ ୨୫ଜଣ, ବିଜୁ ପଟ୍ଟନାୟକ କଲେଜର କଳାରେ ୨୩, ବିଜ୍ଞାନରେ ୧୩ ଓ ବାଣିଜ୍ୟର ୧୬ଜଣଙ୍କ ନାମଲେଖା ହୋଇଛି। ବାକି ଛାତ୍ରଛାତ୍ରୀଙ୍କର ପର୍ଯ୍ୟାୟକ୍ରମେ ନାମଲେଖା ହେବ। କଳା ବିଭାଗରେ ୪ହଜାର ୬୦୮ସିଟ୍‌ ଥିବା ବେଳେ ବିଜ୍ଞାନ ବିଭାଗରେ ୧୧ହଜାର ୩୨୮, ବାଣିଜ୍ୟ ବିଭାଗରେ ୨୩୬୮, ସଂସ୍କୃତରେ ୯୬, ଧନ୍ଦାମୂଳକ ବିଭାଗରେ ୧୪୪ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ଦିନରେ କଳାରେ ୩୧୦, ବିଜ୍ଞାନ‌ରେ ୮୮୬, ବାଣିଜ୍ୟରେ ୧୯୩, ଧନ୍ଦାମୂଳକ ବିଭାଗରେ ୮୦ ଓ ସଂସ୍କୃତରେ ୩୨ସିଟ୍‌ ପୂରଣ ହୋଇଛି।

ସମ୍ବନ୍ଧିତ ଖବର