ମେଧାବୀ ଅଭାବ, ପାସ୍‌ କଲେ ଜୁଆଙ୍ଗ, କୁଟିଆ କନ୍ଧ ଛାତ୍ରଛାତ୍ରୀ

ପଛ‌ରେ ବଡ଼ କଲେଜ କଳାରେ ସସ୍ମିତା, ବାଣିଜ୍ୟରେ ସୋହେଲ୍‌ ସହରରେ ଟପର୍‌

ଭୁବ‌ନେଶ୍ବର: ବିଜେବି ଯୁକ୍ତ୨ କଲେଜ କଳା, ବାଣିଜ୍ୟ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଜଣେ ବି ହେଲେ ଛତ୍ରଛାତ୍ରୀ ୯୦% ଡେଇଁନାହାନ୍ତି। କଳା ବିଭାଗରେ ଜଣେ ବି ହେଲେ ଶ୍ରେଷ୍ଠ ୨୦ରେ ନାହାନ୍ତି। ଦିନେ ମାଳମାଳ ମେଧାବୀ ସୃଷ୍ଟି କରୁଥିବା ରାଜ୍ୟର ଏହି ମଣିଷ ତିଆରି ଶିକ୍ଷାନୁଷ୍ଠାନ‌ରେ ଏବେ ମେଧାବୀଙ୍କ ଅଭାବ ଦେଖାଦେଇଛି। କେବଳ ବିଜେବି କଲେଜ ନୁହେଁ, ସହରରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ କଲେଜରେ ମେଧାବୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ୯୦% ତ ଦୂରର କଥା ୮୭% ମାର୍କ ରଖିବା ଛାତ୍ରଛାତ୍ରୀଙ୍କ ଲାଗି କାଠିକର ହୋଇପଡ଼ୁଛି। ମାଟ୍ରିକ୍‌ରେ ‘ଏ-୧’ ଗ୍ରେଡ୍‌ ରଖି ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ କଲେଜ ମାଟି ମାଡ଼ିବା ପରେ କିଭଳି ଖରାପ ପ୍ରଦର୍ଶନ କରୁଛନ୍ତି ତାହା ଆଜି ପ୍ରକାଶିତ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରୁ ସ୍ପଷ୍ଟ ଅନୁମେୟ କରାଯାଇପାରେ।

ବଡ଼ କଥା ହେଉଛି, କଳା ବିଭାଗର ଶ୍ରେଷ୍ଠ ୨୦ ଓ ବାଣିଜ୍ୟ ବିଭାଗ‌ରେ ୯୦%ରୁ ଅଧିକ ନମ୍ବର ରଖିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୁବନେଶ୍ବରର ମାତ୍ର ଦୁଇ ଜଣ ରହିଛନ୍ତି। କଳା ବିଭାଗରେ ରମାଦେବୀ, ରାଜଧାନୀ, ମହର୍ଷି, ଏକାମ୍ର, ଦେବରାୟ, ବିଜୁ ପଟ୍ଟନାୟକ ପରି କଲେଜର ଛାତ୍ରଛାତ୍ରୀ ଯେତେବେଳେ ଫେଲ୍‌ ମାରିଛନ୍ତି, ପଟିଆସ୍ଥିତ ରାଜା ମଧୁସୂଦନ ଦେବ କଲେଜର ଛାତ୍ରୀ ସସ୍ମିତା ଜେନା ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ସେ ୬୦୦ରୁ ୫୩୩ ମାର୍କ ରଖି ଟପର୍‌ ତାଲିକାର ୭ ନମ୍ବର ସ୍ଥାନରେ ରହିଛନ୍ତି। ଭୁବନେଶ୍ବର ତଥା ଖୋର୍ଧା ଜିଲ୍ଲାରେ ଏକମାତ୍ର ପରୀକ୍ଷାର୍ଥୀ ଭାବେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇବା ସହ ଟପର୍‌ ହୋଇଛନ୍ତି।ବାଣିଜ୍ୟ ବିଭାଗରେ ବି ତଦ୍ରୂପ ଅବସ୍ଥା। ବିଜେବି, ରମାଦେବୀ, ମହର୍ଷି କଲେଜର ଜଣେ ବି ହେଲେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖି ପାରିନାହାନ୍ତି। ରାଜଧାନୀ କଲେଜର ସୋହେଲ୍‌ ଇଜାଜ୍‌ ୬୦୦ରୁ ୫୫୧ ନମ୍ବର ରଖି ଟପର୍‌ ତାଲିକାର ୮ ନମ୍ବର ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୩୧ଜଣଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ୩ଜଣ ରହିଛନ୍ତି। ସୋହେଲଙ୍କ ବ୍ୟତୀତ ଖୋର୍ଧା ଜିଲ୍ଲାରୁ ପ୍ରାଣନାଥ କଲେଜର ସୁମନ ଦତ୍ତ ୫୪୩ ନମ୍ବର ରଖି ୧୯ତମ ଓ ମଦନପୁରସ୍ଥିତ ନିସ୍‌ କଲେଜର ନୁପୁର ରାମ୍‌ ୫୪୦ ମାର୍କ ରଖି ୨୯ତମ ସ୍ଥାନରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଟପର‌୍‌ ତାଲିକାରେ ଭୁବନେଶ୍ବରର ଆଉ କୌଣସି କଲେଜର ଛାତ୍ରଛାତ୍ରୀ ନାହାନ୍ତି। ଗତବର୍ଷ ରମାଦେବୀ କଲେଜର ଜଣେ ଛାତ୍ରୀ କଳା ବିଭାଗରେ ଟପର‌୍‌ ହୋଇଥିବା ବେଳେ ଏଥର ଏହି କଲେଜର କୌଣସି ଛାତ୍ରୀ ଶ୍ରେଷ୍ଠ ତାଲିକାରେ ନାହାନ୍ତି। ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ମଧ୍ୟ ବିଜେବି ଓ ରମାଦେବୀ କଲେଜରେ ହ୍ରାସ ପାଇଛି। ଆଗଭଳି ଆଉ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରୁନାହାନ୍ତି।

ଶିକ୍ଷାବିତ୍‌ଙ୍କ ମତରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି। ଭିତ୍ତିଭୂମି ସୁଦୃଢ଼ ନ ଥିବା ଦର୍ଶାଇ କଲେଜଗୁଡ଼ିକ ‌ଖସି ଯାଉଛନ୍ତି। ତେବେ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷା ମିଳିବା କଥା, ତାହା ହୋଇପାରୁନାହିଁ। ପିଲାମାନେ କ୍ଲାସକୁ ନ ଆସିଲେ ଆଗଭଳି ଦଣ୍ଡ ବିଧାନ ହେଉନି। ଯେଉଁଥିପାଇଁ ମାଟ୍ରିକ୍‌ରେ ଭଲ ପ୍ରଦର୍ଶନ କରି ଭୁବନେଶ୍ବରକୁ ଆସିବା ପରେ ପିଲାଙ୍କ ମନ ବଦଳି ଯାଉଛି। ପାଠପଢ଼ା ଅପେକ୍ଷା ସେମାନେ ସିନେମା ହଲ୍‌, ପାର୍କ, ସପିଂ ମଲ୍‌ରେ ଅଧିକ ସମୟ କାଟୁଛନ୍ତି। ଅଭିଭାବକଙ୍କ କଟକଣା ନ ଥିବାରୁ କ୍ଲାସ ସରିବା ପରେ ସେମାନେ ନିଜ ଇଚ୍ଛା ଅନୁଯାୟୀ କାମ କରୁଛନ୍ତି। ଆକଟ କରିବାକୁ କେହି ନାହାନ୍ତି। ପାଠପଢ଼ା ପ୍ରତି ଅଧିକ ଗୁରୁତ୍ବ ଦେଉନଥିବାରୁ ଏଭଳି ରେଜଲ୍ଟ ହେଉଛି। ଏବେ ସମୟ ଆସିଛି ଅବିଭାବକ ଓ ଅଧ୍ୟାପକ, ଅଧ୍ୟାପିକାମାନେ ପିଲାଙ୍କ ଉପରେ ନଜର ରଖିବା ଆବଶ୍ୟକ।

ବ୍ୟାଙ୍କିଙ୍ଗ୍ କରିବାକୁ ଲକ୍ଷ୍ୟ
ବାପା, ମା’ ଗରିବ ହୋଇଥିବାରୁ ମୋ ପାଠପଢ଼ା ଖର୍ଚ୍ଚ ବହନ କରିପାରି ନଥିଲେ। ଯେଉଁଥିପାଇଁ ପଟିଆସ୍ଥିତ ଅପାଙ୍କ ଘରେ ରହି ପଢ଼ୁଥି‌ଲି। ଯେତିକି ସମୟ ପଢ଼ୁଥିଲି ଭଲ ଭାବେ ଅଭ୍ୟାସ କରୁଥିଲି। ମୋ’ ସଫଳତାର ପ୍ରଥମ ଶ୍ରେୟ ଭଉଣୀ ମାନସୀ ସାମଲଙ୍କୁ ଦେବି। ଯାହାଙ୍କ ଉପଦେଶ ‌ଯୋଗୁଁ କଳାରେ ୫୩୩ ମାର୍କ ରଖି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଲି। ସଫଳତାର ଅନ୍ୟତମ ଶ୍ରେୟ କଲେଜର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେବି। ଅନ୍ୟ କୌଣସି ସାଙ୍ଗଙ୍କ ନୋଟ୍‌ ଉପରେ ଭରସା ନ କରି ନିଜେ ନୋଟ ପ୍ରସ୍ତୁତ କରି ପଢ଼ିଥିଲି। ଇଂରାଜୀ ବିଷୟ ଉପରେ ଗୁରୁତ୍ବ ଦେଇଥିଲି। ଆଗକୁ ବ୍ୟାଙ୍କିଙ୍ଗ୍‌ କରିବାକୁ ଲକ୍ଷ୍ୟ ରଖିଛି।
ସସ୍ମିତା ଜେନା, ରାଜା ମଧୁସୂଦନ ଦେବ କଲେଜ, ପଟିଆ

କିସ୍‍ର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଉଭୟ କଳା ଓ ବାଣିଜ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ବିୟୁଟି ପ୍ରଧାନ ସର୍ବାଧିକ ୮୩ ପ୍ରତିଶତ ଓ ବାଣିଜ୍ୟରେ ବାସନ୍ତୀ ମାରାଣ୍ଡି ୮୩ ପ୍ରତିଶତ ନମ୍ବର ରଖିଛନ୍ତି। କିସ୍‍ରେ ପଢ଼ୁଥିବା ଜୁଆଙ୍ଗ, କୁଟିଆ କନ୍ଧ ଓ ଖଡ଼ିଆ ଆଦି ଆଦିମ ଜନଜାତିର ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଆଦିମ ଜନଜାତି ବର୍ଗର ଛାତ୍ରଛାତ୍ରୀ କଳା ଓ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଜଣ ଆଦିମ ଜନଜାତି ଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିସ୍‍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିଛନ୍ତି।

ତଥ୍ୟ ଲୁଚାଇଲେ କଲେଜ
ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଥିଲେ ମଧ୍ୟ ସହରରେ ଥିବା ଅଧିକାଂଶ କଲେଜ ତଥ୍ୟ ଲୁଚାଇଥିଲେ। କେତେ ପିଲା ପରୀକ୍ଷା ଦେଇଥିଲେ? କେତେ ପିଲା ପାସ୍‌ କଲେ? ପାସ୍‌ହାର କେତେ ରହିଲା? କିଏ ଟପର୍‌ ହେଲେ ସେନେଇ ‘ସମ୍ବାଦ’ ପକ୍ଷରୁ କଲେଜଗୁଡ଼ିକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଧ୍ୟକ୍ଷମାନେ ତଥ୍ୟ ଦେଇ ନଥିଲେ। ରାଜଧାନୀ କଲେଜ, ରମାଦେବୀ ମହିଳା କଲେଜ, ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, ଦେବରାୟ କଲେଜ, ବିଜୁ ପଟ୍ଟନାୟକ କଲେଜ, ଏକାମ୍ର କଲେଜ, ସତ୍ୟସାଇ ମହିଳା କଲେଜ ଅଧ୍ୟକ୍ଷଙ୍କ ରାତି ପର୍ଯ୍ୟନ୍ତ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶନିବାର କହିବୁ ବୋଲି ଅଧ୍ୟକ୍ଷମାନେ କହିଥିଲେ। ତେବେ ବିଜେବି କଲେଜରେ ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ପହଞ୍ଚି ନ ଥିବା କର୍ତୃପକ୍ଷ ସୂଚନା ଦେଇଥିଲେ।ଏବେ ପ୍ରଶ୍ନ ଉଠୁଛି ଯେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବା ପରେ ରାଜ୍ୟର ସମସ୍ତ କଲେଜ କର୍ତୃପକ୍ଷ ସେମାନଙ୍କ ଫଳାଫଳ ତଥ୍ୟ ଦେଇଥିଲେ। ତେ‌ବେ ଭୁବନେଶ୍ବରରେ ଥିବା କଲେଜଗୁଡ଼ିକର ଅଧ୍ୟକ୍ଷମାନେ କାହିଁକି ତଥ୍ୟ ଦେଲେ ନାହିଁ, ନା ଭଲ ରେଜଲ୍ଟ ହୋଇନଥିବାରୁ ତଥ୍ୟ ଲୁଚାଇବାକୁ ଚାହିଁଲେ।

ଜୁପିଟର କଲେଜ
ବିଜ୍ଞାନରେ ଉଲ୍ଲେଖନୀୟ ସଫଳତା ପରେ ବାଣିଜ୍ୟ ବିଭାଗରେ ମଧ୍ୟ ‘ଜୁପିଟର ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ୍‌’ ଉଲ୍ଲେଖନୀୟ କୃତିତ୍ବ ହାସଲ କରିଛି। କଲେଜ୍‌ର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ସହ ୬୮ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଭିଷେକ ମିଶ୍ର ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି କଲେଜରେ ଟପର ହୋଇଛନ୍ତି। କଲେଜର ପରିଚାଳନା କମିଟି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ‌ଏହି ସଫଳତାର ଶ୍ରେୟ ଦେଇଛନ୍ତି।

ସତ୍ୟଭାମା ଦେବୀ ଶ୍ରବଣବାଧିତ କଲେଜ
ସତ୍ୟଭାମା‌ ଦେବୀ ଶ୍ରବଣବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ରେ ୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୬୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ ଜଣ ପ୍ରଥମ ଶ୍ରେଣୀ, ୪୩ ଜଣ ଦ୍ବିତୀୟ ଶ୍ରେଣୀ ଓ ୪ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଏକ୍ସ ରେଗୁଲାର ପରୀକ୍ଷାରେ ୧୧ରୁ ୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସିଟି ଓମେନ୍ସ କଲେଜ
ସିଟି ଓମେନ୍‌ସ କଲେଜ୍‌ରେ +୨ କଳାରେ ୨୧୯ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍‌ହାର ୯୪ପ୍ରତିଶତ ରହିଛି। ୧୧ଜଣ ପ୍ରଥମ, ୫୦ ଦ୍ବିତୀୟ, ୧୪୫ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ଜଣ କୃତକାର୍ଯ୍ୟ ହୋଇପାରିନାହାନ୍ତି।

କମଳା ନେହେରୁ ମହିଳା କଲେଜ
କଳା ବିଭାଗରେ ପରୀକ୍ଷା ଦେଇଥିବା ୨୩୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୬ଜଣ ପ୍ରଥମ, ୭୩ ଜଣ ଦ୍ବିତୀୟ, ୧୦୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ପାସ୍‌ହାର ୮୫% ରହିଛି। ସେହିପରି ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୬୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣ ପ୍ରଥମ, ୧୧ ଜଣ ଦ୍ବିତୀୟ, ୩୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର