ରାଜଧାନୀରେ ଯୁକ୍ତ୨ ଫଳ : ଅଧିକାଂଶ କଲେଜରେ ଶତ ପ୍ରତିଶତ, ୮୦୦ ପରୀକ୍ଷାର୍ଥୀ ୯୦% ପାର୍‌

ବିଜେବି, ବେସିକ୍‌ ସାଇନ୍ସର ଉନ୍ନତ ପ୍ରଦର୍ଶନ, ଶିକ୍ଷାନୁଷ୍ଠାନରେ ଶତ ପ୍ରତିଶତ ସଫଳତା

ଭୁବନେଶ୍ବର: ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ରାଜ୍ୟରେ ନୂଆ ଇତିହାସ ସୃଷ୍ଟି କରିଛି। ଏଥିସହ ଭୁବନେଶ୍ବର ଇତିହାସରେ ମଧ୍ୟ ନୂଆ ଫର୍ଦ ଯୋଡ଼ି ହୋଇଛି। ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ମାଧ୍ୟମରେ ମାର୍କ ଦିଆଯାଇଥିବାରୁ ସହରର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ମାଟ୍ରିକ୍‌ ମାର୍କ ଆଧାରରେ ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯାଇଥିବାରୁ ଶେଷ ଖବର ସୁଦ୍ଧା ସହରର ୮୦୦ରୁ ଅଧିକ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଶତାଧିକ ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖିଥିବା ସୂଚନା ମିଳିଛି। ପ୍ରଥମ ଥର ଲାଗି ସମସ୍ତ ସରକାରୀ କଲେଜଗୁଡ଼ିକରେ ମଧ୍ୟ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ବିଜେବି ଜୁନିଅର କଲେଜ ଏଥର ପୁରୁଣା ରେକର୍ଡର ପୁର୍ନରାବୃତ୍ତି କରିଛି। ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‌ କରିଛନ୍ତି। ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି କଲେଜର ୬୦ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଶ୍ରେଷ୍ଠ ସ୍ଥାନଗୁଡ଼ିକ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅକ୍ତିଆର କରି ନେଇଛନ୍ତି। ବିଜେବି ପରି ‌ବେସିକ୍‌ ସାଇନ୍ସ କଲେଜର ଛାତ୍ରଛାତ୍ରୀ ମଧ୍ୟ ସଫଳତା କ୍ଷେତ୍ରରେ ଆଗରେ ରହିଛି। ଏଠାରେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୯୦%ରୁ ଅଧିକ ନମ୍ବର ରଖିବା କ୍ଷେତ୍ରରେ ଏହି କଲେଜର ପିଲାଙ୍କ ସଂଖ୍ୟା ଅଧିକ। ଯାହାକି ଭୁବନେଶ୍ବରରେ ଥିବା ସରକାରୀ କଲେଜଗୁଡ଼ିକ ମଧ୍ୟରେ ଆଗରେ ରହିଛି। ଯୁକ୍ତ୨ ବିଜ୍ଞାନ କଟ୍‌ ଅଫ୍‌ ମାର୍କରେ ସବୁବେଳେ ଆଗରେ ରହୁଥିବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର ପରୀକ୍ଷାର୍ଥୀ ମଧ୍ୟ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି। ଉକ୍ତ କଲେଜଗୁଡ଼ିକର ଅନେକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି।

ଅନ୍ୟପକ୍ଷରେ କେତେକ ସେଲ୍ଫ ଫାଇନାନ୍ସିଂ କ‌ଲେଜ ପୂର୍ବ ସଫଳତା ଦୋହରାଇଛନ୍ତି। ସହରର ସରକାରୀ କଲେଜ ତୁଳନାରେ ସେଲ୍ଫ ଫାଇନା‌ନ୍ସିଂ କଲେଜଗୁଡ଼ିକର ଅଧିକାଂଶ ପିଲା ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏମିତି କିଛି କଲେଜ ରହିଛନ୍ତି ଯାହାଙ୍କର ଜଣେ ବି ପିଲା ୯୦%ରୁ ଅଧିକ ନମ୍ବର ରଖନ୍ତି ନାହିଁ, ସେଭଳି କଲେଜ ବି ଏଥର ସଫଳତା ହାସଲ କରିଛନ୍ତି। ଶିକ୍ଷାବିତ୍‌ଙ୍କ ମତରେ ଏଥର ନିଆରା ପରୀକ୍ଷା ଫଳ ହୋଇଛି। ଏହାକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସାହିତ ହେବା ଉଚିତ ନୁହେଁ। ଏଥିରେ କଲେଜଗୁଡ଼ିକର ସେଭଳି କୌଣସି ବାହାଦୁରି ନାହିଁ। ଦଶମ ମାର୍କ ଆଧାରରେ ସେମାନଙ୍କର ମୂଲ୍ୟାୟନ ହୋଇଛି। ତେଣୁ ସବୁ ପିଲା ପାସ୍‌ କରିବା ସୁନିଶ୍ଚିତ। ମାଟ୍ରିକ୍‌ରେ ‘ଏ-୧’ ଗ୍ରେଡ୍‌ ହାସଲ କରୁଥିବା ଛାତ୍ରଛାତ୍ରୀ ମୁଖ୍ୟତଃ ଭୁବନେଶ୍ବରରେ ଥିବା କଲେଜରେ ପଢ଼ିବାକୁ ଆସିଥାନ୍ତି। ମାଟ୍ରିକ୍‌ ମାର୍କ ଆଧାରରେ ମୂଲ୍ୟାୟନ ହୋଇଥିବାରୁ ଏଥର ମଧ୍ୟ ସେଭଳି ପୂର୍ବ ସ୍ଥିତି ଦୋହରାଇଛନ୍ତି। ଏଭଳି ସଫଳତା ଯୁକ୍ତ୩ ନାମଲେଖା ବେଳେ ସମସ୍ୟା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର