ଜୋର ଧରିଲା ଯୁକ୍ତ୩ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ବାତିଲ୍‌ ଦାବି, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ରମାଦେବୀ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଦୁଇ ସପ୍ତାହ ଘୁଞ୍ଚାଇଲେ, ଜୁଲାଇ ୭ରୁ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ କଲେଜର ପରୀକ୍ଷା

ଭୁବନେଶ୍ବର: ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନ ଯୁକ୍ତ୩ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷାକୁ ନେଇ ରାଜ୍ୟବ୍ୟାପୀ ଶିକ୍ଷାର୍ଥୀ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ଜୁନ୍‌ ଶେଷ ସପ୍ତାହରୁ ପରୀକ୍ଷା ଆରମ୍ଭ କରିବାକୁ ଅଧିକାଂଶ ବିଶ୍ବବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଯାହାକୁ ଆଧାର କରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍କଳ ଓ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରେଭେନ୍ସା‌ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ଉଦ୍ଦେଶ୍ୟରେ ପରୀକ୍ଷା ବାତିଲ୍‌ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ବିପିୟୁଟି ଓ ଭିଏସ୍‌ଏସ୍‌ୟୁଟିର ପରୀକ୍ଷା ବାତିଲ୍‌ ଦାବି ମଧ୍ୟ ଜୋର୍‌ ଧରିଛି।

କରୋନା ସମୟରେ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପୂର୍ବାହ୍ନରେ ରାଜ୍ୟର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୪୮ଟି ଯୁକ୍ତ ୩ କଲେଜର ଛାତ୍ରୀମାନେ ଦ୍ବିତୀୟଥର ପାଇଁ କ୍ୟାମ୍ପସ ସମ୍ମୁଖ‌ରେ ବସିଥିଲେ। ଅପରାହ୍‌ଣ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ନ ଉଠିବା ପରେ କୁଳପତି ପଦ୍ମଜା ମିଶ୍ର ଛାତ୍ରୀଙ୍କୁ ବୁଝାସୁଝା କରିବା ସହ ପରୀକ୍ଷା ଘୁଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍‌ଣ‌ରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ଯୁକ୍ତ ୩ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ଦୁଇ ସପ୍ତାହ ଘୁଞ୍ଚାଇ ଦିଆଯାଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି। ଜୁଲାଇ ଦ୍ବିତୀୟ ସପ୍ତାହରୁ ଏହି ପରୀକ୍ଷା ଆରମ୍ଭ ହୋଇପାରେ। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରୀକ୍ଷା ବାତିଲ୍‌ କରିବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଜୁଲାଇ ୭ରୁ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ଆରମ୍ଭ ହେବ। ୭ରୁ ୧୩ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଓ ୧୪ରୁ ୨୩ ତାରିଖ ମଧ୍ୟରେ ଥିଓରି ପରୀକ୍ଷା ହେବ। ୨୮ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟ ନିକଟରେ ପ୍ରୋଜେକ୍ଟ ପେପର୍‌ ଓ ମାର୍କ ପହଞ୍ଚିବା ଆବଶ୍ୟକ। ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ପରୀକ୍ଷା ବାତିଲ କରିବାକୁ ଦାବିପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ବିପିୟୁଟି ପରୀକ୍ଷା ନିଷ୍ପତ୍ତି ନେଇ ୟୁନାଇଟେଡ୍‌ ବିପିୟୁଟି ଷ୍ଟୁଡେଣ୍ଟ ଆସୋସିଏସନ୍‌(ୟୁନାଇଟେଡ୍‌ ବିଏସ୍‌ଏ) ପ୍ରତିବାଦ କରିଛି। ରାଜ୍ୟରେ ସ୍ଥିତି ସ୍ବାଭାବିକ ହୋଇ ନଥିବା ବେଳେ କିଭଳି ପରୀକ୍ଷା ହେବ ବୋଲି ଆସୋସିଏସନ୍‌ର ସଭାପତି ରାଜେଶ ପାଣି କହିଛନ୍ତି।

ସମ୍ବନ୍ଧିତ ଖବର