ବିଳମ୍ବ ହେଉଛି ଉତ୍କଳ ଓ ରମାଦେବୀ ବିଶ୍ବବିଦ୍ୟାଳୟ ଯୁକ୍ତ୩ ପରୀକ୍ଷା ଫଳ, ଚିନ୍ତାରେ ୭୦ ହଜାର ପରୀକ୍ଷାର୍ଥୀ

ବେସିକ୍‌ ସାଇନ୍ସ ଯୁକ୍ତ ୩ ପରୀକ୍ଷା ଫଳ, ଶଶିକାନ୍ତ ମହାପାତ୍ର କଲେଜ ଟପର୍‌

ଭୁବନେଶ୍ବର : ଏପ୍ରିଲରୁ ପରୀକ୍ଷା ସରିଲାଣି। ତଥାପି ପ୍ରକାଶ ପାଉନି ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ। କେବେ ବାହାରିବ ତାହାକୁ ଅନେଇ ବସିଛନ୍ତି ଅଧା ଓଡ଼ିଶାର ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ। ପରୀକ୍ଷା ଫଳ ପ୍ରକାଶ ପାଉ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନେଇ ଆଶଙ୍କା ବଢ଼ିଛି।

ଇତିମଧ୍ୟରେ ରାଜ୍ୟରେ ଥିବା ପ୍ରମୁଖ ସ୍ବୟ˚ଶାସିତ ମହାବିଦ୍ୟାଳୟ, ଅନ୍ୟ ବିଶ୍ବବିଦ୍ୟାଳୟ ଅଧୀନ ଡିଗ୍ରି କଲେଜ ରେଜଲ୍ଟ ବାହାରି ସାରିଛି। ସେଠାକାର ଛାତ୍ରଛାତ୍ରୀ ପିଜି ସମେତ ଅନ୍ୟ ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ କଲେଣି। ତେବେ ଉତ୍କଳ ଓ ରମାଦେବୀ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏପର୍ଯ୍ୟନ୍ତ ବାହାରି ପାରିନି। କେବେ ବାହାରିବ ସେନେଇ କେହି କିଛି କହିପାରୁ ନାହାନ୍ତି। ଖୁବ୍‌ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ ବୋଲି ଦୁଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶ ତଥା ରାଜ୍ୟର କେତେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେଲାଣି। କେତେକ ବିଶ୍ବବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଲାଗି ବି ଆବେଦନ ଆରମ୍ଭ ହେଲାଣି। ଜୁନ୍‌ ଶେଷ ସୁଦ୍ଧା ଆବେଦନ ପ୍ରକ୍ରିୟା ସରିଯିବ। ତେବେ ଏହି ଦୁଇ ବିଶ୍ବବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରି ନ ଥିବାରୁ ସେମାନେ ଆବେଦନ କରିପାରୁ ନାହାନ୍ତି। ଏପ୍ରିଲରେ ପରୀକ୍ଷା ସାରି ମେ’ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଉଭୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଶିକ୍ଷା କ୍ୟାଲେଣ୍ତରରେ ଲେଖି ଦେଇଛନ୍ତି। ତେବେ ତାହାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଛି।

୨୦୧୮ରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ଫଳ ଏପ୍ରିଲ ୨୩ରେ ପ୍ରକାଶ ପାଇଥିଲା। ଏଥର ୫୦ ଦିନ ବିଳମ୍ବ ହେଲାଣି। ଯାହାକୁ ନେଇ ପରୀକ୍ଷା ଦେଇଥିବା ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏବେ ଚିନ୍ତାରେ। କେବେ ଫଳ ବାହାରିବ ତାହା ଜାଣିବା ଲାଗି ବାରମ୍ବାର ବିଶ୍ବବିଦ୍ୟାକୁ ଦୌଡ଼ୁଛନ୍ତି। ପରୀକ୍ଷା ଫଳ ପ୍ରକାଶ ନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝିଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

ରମାଦେବୀ ବିଶ୍ବବିଦ୍ୟାଳୟରେ ବି ସମାନ ଅବସ୍ଥା। ଏହା ଅଧୀନରେ ଥିବା ୪୬ଟି ଯୁକ୍ତ୩ ମହିଳା ଡିଗ୍ରି କଲେଜରେ ପରୀକ୍ଷା ସରିବାକୁ ଦୁଇ ମାସ ବିତିଗଲାଣି। ତଥାପି ଫଳ ବାହାରୁନି। ଗତବର୍ଷ ମଧ୍ୟ ବିଳମ୍ବ(ଜୁନ୍‌ ୧୮)ରେ ରେଜଲ୍ଟ ବାହାରିଥିଲା। ଏଥର ମେ’ ମାସ ଭିତରେ ବାହାର କରିବେ ବୋଲି କହିଥିଲେ। ତେବେ ତାହା ସମ୍ଭବପର ହୋଇନାହିଁ। ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆସନ୍ତା ୧୭ କିମ୍ବା ୧୮ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।

ବେସିକ୍‌ ସାଇନ୍ସ ଯୁକ୍ତ ୩ ପରୀକ୍ଷା ଫଳ, ଶଶିକାନ୍ତ ମହାପାତ୍ର କଲେଜ ଟପର୍‌

ଭୁବନେଶ୍ବର : ବେସିକ୍‌ ସାଇନ୍ସ କଲେଜର ଯୁକ୍ତ୩ ଶେଷ ବର୍ଷ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପରୀକ୍ଷା ଦେଇଥିବା ୧୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। କଲେଜର ପାସ୍‌ହାର ୯୭.୮ ପ୍ରତିଶତ ରହିଛି। ୧୬୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ପଦାର୍ଥ ବିଜ୍ଞାନ ବିଷୟର ଛାତ୍ର ଶଶିକାନ୍ତ ମହାପାତ୍ର ସର୍ବାଧିକ ୯୦.୧୪ ପ୍ରତିଶତ ମାର୍କ ରଖି ଯୁକ୍ତ୩ ବିଜ୍ଞାନରେ କଲେଜ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ନେଇ ବେସିକ୍‌ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ତା କୁହନ୍ତି, ପ୍ରତିଥର ପରି ଏଥର କଲେଜର ପିଲାମାନେ ଭଲ ପରୀକ୍ଷାଫଳ କରିଛନ୍ତି। ୧୬୯ଜଣ ଛାତ୍ରଛାତ୍ରୀ ଅନର୍ସରେ ଡିଷ୍ଟିଙ୍କସନ୍‌ ସହ ପ୍ରଥମ ଶ୍ରେଣୀରେ ପାସ୍‌ କରିବା ଖୁସିର ବିଷୟ। ଅଗକୁ ପିଲାମାନେ ଯେପରି ପୂର୍ବ ସଫଳତା ଦୋହରାଇବେ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। କ୍ଲାସରେ ପାଠପଢ଼ା ସହ ଖେଳକୁଦରେ କଲେଜର ଛାତ୍ରଛାତ୍ରୀ ସବୁବେଳେ ଦକ୍ଷତା ପ୍ରତିପାଦନ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର