ଯୁକ୍ତ୩ ଷଷ୍ଠ ‌ସେମିଷ୍ଟର୍‌ ପରୀକ୍ଷା ଝା‌ମେଲା, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା‌ ଯୁକ୍ତ୩(ସ୍ନାତକ) କଲେଜଗୁଡ଼ିକର ଷଷ୍ଠ ସେମିଷ୍ଟର୍‌ ପରୀକ୍ଷାକୁ ନେଇ ବିବାଦ ଦେଖାଦେଇଛି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ହଷ୍ଟେଲ ଖୋଲିବନି କି ପାଠପଢ଼ା ହେବନି। ତେବେ ଏହି ସମୟ ମଧ୍ୟରେ ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସ୍ନାତକ ପାଠ୍ୟକ୍ରମର ୬ଷ୍ଠ‌ ସେମିଷ୍ଟର୍‌ ପରୀକ୍ଷା ଜୁନ୍‌ ୨୦ରୁ ବିଭିନ୍ନ ବିଶ୍ବବିଦ୍ୟାଳୟ କରିବେ ବୋଲି ବିଜ୍ଞପ୍ତି ଜାରି କରିସାରିଛନ୍ତି। ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ସେମାନଙ୍କ ଯୁକ୍ତି ହେଉଛି ଯେ ଗୋଟିଏ କଲେଜରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନେ ହଷ୍ଟେଲରେ ରହି ପଢ଼ୁଛନ୍ତି। କରୋନା ଯୋଗୁଁ ଯଦି ହଷ୍ଟେଲ ଖୋଲିବ ନାହିଁ, ତେବେ ଛାତ୍ରଛାତ୍ରୀ କେଉଁଠି ରହି‌ବେ? ପଢ଼ିବେ କେମିତି? ପରୀକ୍ଷା ଦେବେ କେମିତି? ଯଦି ବି ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଏ, ତେବେ ବାହାରେ ରହି ପଢ଼ୁଥିବା ପିଲାମାନେ କେମିତି ପରୀକ୍ଷା ଦେବେ। ଘର ମାଲିକମାନେ ସେମାନଙ୍କୁ ପୂରାଇବେ ନାହିଁ? ରାଜ୍ୟ ଭିତରେ ଓ ବାହାରେ ବହୁ ଛାତ୍ରଛାତ୍ରୀ ରହୁଥିବାରୁ ସେମାନଙ୍କ ମଧ୍ୟରୁ କାହାକୁ କରୋନା ହୋଇ ନଥିବ ବୋଲି କିଏ କହିପାରିବ। ଏବେ ବିନା ଲକ୍ଷଣରେ ବି କରୋନା ପଜିଟିଭ୍‌ ଆସୁଥିବା ଜଣାପଡ଼ିଛି। ତେଣୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ନଦେଇ ତରବରିଆ ଭାବେ ପରୀକ୍ଷା କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ।

ଏହାକୁ ନେଇ ଆଜି କଟକ ଓ ଭୁବନେଶ୍ବରର ୬ଟି ମହିଳା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆନ୍ଦୋଳକୁ ଓହ୍ଲାଇଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ଇମର୍ତ୍ତିଦେବୀ ମହିଳା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟର ଓ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଛାତ୍ରୀମାନେ ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବିଶ୍ବବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ ଅଧ୍ୟକ୍ଷା ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଉଚ୍ଚଶିକ୍ଷା ବିଭାଗକୁ ଏନେଇ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୬ଟାରେ ଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର