ମୋ ପୁଅକୁ ଫେରାଇ ଆଣ…

ଅସହାୟ ବାପା’ଙ୍କ ଆକୁଳ ନିବେଦନ

ଚନ୍ଦ୍ରଶେଖରପୁର: ପନ୍ଦର ଦିନ ହେବ ମୋ ବଡ଼ ପୁଅର କିଛି ଖୋଜ ଖବର ନାହିଁ। କେଉଁଠି ଅଛି କିପରି ଅଛି, ଭଲରେ ଅଛି ନା ନାହିଁ? ସେ ମୋ’ ପରିବାରର ମଝି ଖୁଣ୍ଟ ଥିଲା। ତା’ ରୋଜଗାରରେ ଆମ ପରିବାର ଚଳୁଥିଲା। ମାତ୍ର ତା’ର କିଛି ପତ୍ତା ମିଳୁନି। ପୁଲିସ୍‌ ପାଖରେ ଯେତେ ନେହୁରା ହେଲେ ବି କିଛି ଫଳ ମିଳୁନି। ଆମେ ବୁଢ଼ାବୁଢ଼ୀ ଏବେ କଣ କରିବୁ। କୋହ ମିଶା ସ୍ୱରରେ ଏମିତି କହି କାନ୍ଦି ପକେଇଥିଲେ ବରମୁଣ୍ଡା ଗୋଦାମ ସାହିରେ ରହୁଥିବା ୪୫ ବର୍ଷୀୟ ବୁଧିରାମ ଜେନା। ଚଳିତ ମାସ ୮ ତାରିଖରୁ ବୁଧିରାମଙ୍କ ବଡ଼ ପୁଅ ଅଜିତ ନିଖୋଜ ହୋଇ ଯାଇଛନ୍ତି। ଜଣେ କୁଶଳୀ ମାର୍ବଲ ମିସ୍ତ୍ରି ଭାବରେ ଅଜିତ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ଠିକାଦାର କୈଳାସଙ୍କ ଅଧୀନରେ ସମ୍‌ ହସ୍ପିଟାଲ୍‌ ଅଞ୍ଚଳର ଏକ ବିଲ୍‌ଡିଂରେ ଅଜିତ୍‌ କାମ କରୁଥିଲେ। ମାତ୍ର ଠିକାଦାର ନିକଟରୁ ସେ ପ୍ରାୟ ୫୨ ହଜାର ଟଙ୍କା ବକେୟା ପାଇବାର ଥିଲା। ବାରମ୍ବାର ମାଗୁଥିଲେ ମଧ୍ୟ କୈଳାସ ଅଜିତଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ଆଦୌ ରାଜି ହେଉନଥିଲା। କାମ ସରିଲେ ଟଙ୍କା ଦେବ କହି ସମୟ ଗଡ଼େଇ ଆସୁଥିଲା ଠିକାଦାର। କିନ୍ତୁ କାମ ସରିଲା ପରେ ମଧ୍ୟ ଟଙ୍କା ଦେଇନଥିଲା। ଓଲଟି ଟଙ୍କା ନଦେଲେ କଣ କରିବୁ କହି ଅଜିତକୁ ଧମକ ଚମକ ଦେଇଥିଲା। ଏହି ରାଗରେ ଅଜିତ କୈଳାସର ଓଡ଼ି-୩୩-୩୪୩୬ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ୍‌କୁ ନିଜ ଘରକୁ ନେଇଆସିଥିଲା। ବକେୟା ଟଙ୍କା ଦେଲାପରେ ଯାଇ ଗାଡ଼ି ଫେରାଯିବ ବୋଲି ଅଜିତ କହିଥିଲା। ମାତ୍ର ଗତ ୮ ତାରିଖ ଦିନ କୈଳାସ କୌଶଳକ୍ରମେ ଆଉ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଅଜିତଙ୍କୁ ଫୋନ୍‌ କରି ରସୁଲଗଡ଼ରେ ଏକ ନୂଆ କାମ ଥିବା କହି ଡକାଇଥିଲା। ଅଜିତ କାମ ଆଶାରେ ସେଠାକୁ ଗଲାପରେ ତାକୁ କିଛି ଦୁର୍ବୃତ୍ତ ମାଡ଼ ମାରି କଳ୍ପନା ଛକ ଓ ସେଠାରୁ ଶାଁପୁର ଗାଁକୁ ଜୋରଜବରଦସ୍ତ ନେଇଯାଇଥିଲେ। ଶାଁପୁର ଗାଁରେ ଠିକାଦାର କୈଳାସ ରହେ। ଏହି ଘଟଣା ପରେ କୈଳାସ ଆଉ ଦୁଇ ଜଣ ଶ୍ରମିକଙ୍କୁ ମୋ ଗାଡ଼ି ନେଇଯିବାର ପରିଣାମ ଅଜିତ୍‌ ଭୋଗିଲା ବୋଲି ତା’ ଘରେ କହିଦେବାକୁ କହିଥିଲା। ସେହିଦିନଠାରୁ ଅଜିତର ପତ୍ତା ମିଳୁନଥିବା ବାପା ବୁଧିରାମ ଅଭିଯୋଗ କରିଛନ୍ତି। ଏନେଇ ବୁଧିରାମ କୈଳାସ ରହୁଥିବା ସ୍ଥାନକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ। ଓଲଟି କୈଳାସ ଲୋକ ଲଗେଇ ବୁଧିରାମଙ୍କୁ ସେଠାରୁ ତଡ଼ି ଦେଇଥିଲେ।

ବୁଧିରାମ ଏହି ଘଟଣା ପରେ ତୁରନ୍ତ କୈଳାସର ଗାଡ଼ିକୁ ଖଣ୍ଡଗିରି ଥାନାରେ ଜିମା ଦେବା ସହିତ ପୁଅର ଅପହରଣ ନେଇ ଏକ ଏଫ୍‌ଆଇଆର୍‌ ଦେଇଥିଲେ। ମାତ୍ର ଖଣ୍ଡଗିରି ପୁଲିସ୍‌ ଘଟଣାର ତଦନ୍ତ କରୁଛି କହି ସମୟ ଗଡ଼େଇ ଚାଲିଥିଲା। ଏପଟେ ଅସହାୟ ବୁଧିରାମ ପୁଅକୁ ଫେରିପାଇବା ଆଶାରେ ଡିସିପିଙ୍କୁ ମଧ୍ୟ ଗତ ୧୫ ତାରିଖରେ ଭେଟିଥିଲେ। ପୁଅକୁ ଖୋଜିବାକୁ ଚେଷ୍ଟା ଚାଲିଛି ବୋଲି ପୁଲିସ୍‌ କହୁଥିଲେ ମଧ୍ୟ ବୁଧିରାମଙ୍କ ଆଖିରେ ଲୁହ ରହୁନି। ପନ୍ଦର ଦିନ ହେବ ପୁଅର କୌଣସି ସୂଚନା ନମିଳିବାରୁ ବାଧ୍ୟହୋଇ ଆଜି କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେ। ଜଣେ ଦିନ ମଜୁରିଆ ଭାବରେ କାମ କରୁଥିବା ବୁଧିରାମଙ୍କ ପାଇଁ ବଡ଼ ପୁଅ ଅଜିତ୍‌ ହେଉଛି ଆଶାବାଡ଼ି ସଦୃଶ। ଆଉ ଦୁଇ ପୁଅ ବର୍ତ୍ତମାନ ଘରେ ଅଛନ୍ତି। ବଡ଼ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବୁଧିରାମ ଏବଂ ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି। ଯଦି ପୁଅର କିଛି ହୋଇଯାଏ ତେବେ ଆମେ ବୁଢ଼ା ବୁଢ଼ୀ ଦୁଇଜଣ ମଧ୍ୟ ଆଉ ଏ ଦୁନିଆରେ ରହିବୁନି ବୋଲି କହି ବିଳପି ହେଉଛନ୍ତି ବୁଧିରାମ। ଅସହାୟ ବୁଧିରାମଙ୍କୁ ନ୍ୟାୟ ମିଳିବା ନେଇ ପୁଲିସ୍‌ ପ୍ରଶାସନ ସହଯୋଗ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର