ମତେ ମାରିଦେବେ… ଓଡ଼ିଶା ନେଇଯାଅ

ଚିଠି ପଢ଼ି ଗୁଣ୍ଟୁରରୁ ମହିଳାଙ୍କୁ ଆଣିଲେ ସବ୍ୟସାଚୀ

ଭୁବନେଶ୍ବର: ମାଲିକ କାମ କରାଉଛି। ହେଲେ ଲକ୍‌ଡାଉନ ପରଠୁ ପଇସାଟେ ଦେଉନି। ଟଙ୍କା ମାଗିଲେ ଆମ ମା’ ପୁଅଙ୍କୁ ମାରୁଛି। ଘରୁ ବାହାରିଯାଅ, ନଚେତ୍‌ ଲୋକ ଲଗେଇ ବାହାର କରିଦେବି ବୋଲି ଧମକାଉଛି। ମତେ ଏଠୁ ନେଇଯାଅ, ନହେଲେ ମାରିଦେବେ…। କାଖରେ ୪ ବର୍ଷର ପୁଅର ଫଟୋ ସହ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଘୂରି ବୁଲୁଥିଲା ଜଣେ ମହିଳାଙ୍କ ଏଇ ହାତ ଲେଖା ଚିଠି। ଏହା ଜାଣିବା ପରେ ଅଭିନେତା ସବ୍ୟସାଚୀ ମିଶ୍ର ତୁରନ୍ତ ଉକ୍ତ ମହିଳା ସସ୍ମିତା ବେହେରାଙ୍କ ଫୋନ ନମ୍ବର ସଂଗ୍ରହ କରି କଥା ହେଲେ। ମହିଳାଙ୍କ ଦେହରେ ମାଡ଼ର ଦାଗ ଏବଂ ଏପଟେ ଓଡ଼ିଶାରେ ତାଙ୍କ ଛୋଟ ଝିଅକୁ ସାପ କାମୁଡ଼ି ଦେଇଥିବା କଥା ଶୁଣି, ତୁରନ୍ତ ସେଇ ବସିବା ଜାଗାରୁ ଆରମ୍ଭ ହୋଇଥିଲା ‘ସବ୍ୟସାଚୀ-ମିସନ’।

ଜଗତସିଂହପୁର ତିର୍ତୋଲର ବାସିନ୍ଦା ସସ୍ମିତା ବେହେରାଙ୍କୁ ତାଙ୍କ ସ୍ବାମୀ ୭ ବର୍ଷ ହେଲା ଛାଡ଼ି କୁଆଡ଼େ ଯାଇଛନ୍ତି। ଏଣେ ସସ୍ମିତାଙ୍କ କୋଳରେ ଦୁଇ ସନ୍ତାନ। ତେଣୁ କିଛି ବାଟ ନ ପାଇ ସସ୍ମିତାଙ୍କୁ ପର ଘରେ ପାଇଟି କରିବାକୁ ପଡ଼ିଥିଲା। ଟିକେ ଭଲ ଆୟ ଆଶାରେ ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଜଣେ ବ୍ୟକ୍ତିଙ୍କ ଘରେ କାମ କରିବାକୁ ଚାଲି ଯାଇଥିଲେ ସସ୍ମିତା। ସାଙ୍ଗରେ ତାଙ୍କର ୪ବର୍ଷର ପୁଅ ବି ରହୁଥିଲା। କିଛି ଦିନ ତଳେ ତାଙ୍କ ଝିଅକୁ ଏକ ସାପ କାମୁଡ଼ି ଦେଇଥିବା କଥା ଶୁଣି ଘରକୁ ଫେରିବାକୁ ସସ୍ମିତା ଘର ମାଲିକଙ୍କୁ କହିଲେ। ମାତ୍ର ଘର ମାଲିକ ‌ଟଙ୍କା ଦେବା ବଦଳରେ ମାଡ଼ ମାରିଥିଲେ। ଏପରି ସ୍ଥିତି ଉପୁଜିବା ପରେ ସେ ଏକ ଚିଠି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସବ୍ୟସାଚୀ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ନିରାପଦ ଭାବେ ଓଡ଼ିଶା ଫେରାଇ ଆଣିବାକୁ ଭୁବନେଶ୍ବରରୁ ଏକ ଟ୍ରାଭେଲ୍ସ ସଂସ୍ଥାର ଗାଡ଼ି ଗୁଣ୍ଟୁରକୁ ପଠାଇଥିଲେ। ଯେଉଁଦିନ ଗାଡ଼ିରେ ସସ୍ମିତା ଗୁଣ୍ଟୁରରୁ ବାହାରିଲେ ସେଇଦିନ ସବ୍ୟସାଚୀଙ୍କୁ କହିଲେ, ଭାଇ ଆଜି ମୋ’ର ଜନ୍ମଦିନ। ଏହା ଶୁଣି ସବ୍ୟସାଚୀ ସେଇ ଆସିବା ବାଟରୁ ତାଙ୍କ ପାଇଁ ଏକ ଜନ୍ମଦିନ କେକ୍‌ ଗାଡ଼ି ଚାଳକଙ୍କ ଜରିଆରେ ମଗାଇ କେକ୍‌ କଟାଇଲେ। ଗତକାଲି ରାତିରେ ସସ୍ମିତା ତାଙ୍କ ୪ ବର୍ଷର ପୁଅ ସହ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ସଦସ୍ୟ ସବ୍ୟସାଚୀଙ୍କୁ କୃତଜ୍ଞତା ଅଜାଡ଼ି ଦେଇଛନ୍ତି। ସବ୍ୟସାଚୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯେଗୁଁ ‌ହିଁ ଅନେକ ମୋ’ ଉପରେ ବିଶ୍ବାସ ରଖି ଯୋଗାଯୋଗ କରୁଛନ୍ତି। ସେଇ ବିଶ୍ବାସ ମତେ ପ୍ରେରଣା ଦେଉଛି। ଓଡ଼ିଶା ଫେରିବା ପରେ ତାଙ୍କ ମୁହଁରେ ହସ ଦେଖି ଯେଉଁ ଆନ୍ତରିକ ଆନନ୍ଦ ମିଳୁଛି, ସେଥିରେ କୋଟିନିଧି ମିଳିଯିବା ଭଳି ହୃଦ୍‌ବୋଧ ହେଉଛି। ଏଥିରେ ବ୍ରହ୍ମପୁର ଡିଏସ୍‌ପି ସାର୍ଥକ ରାୟ, ଏସ୍‌ପି ଏବଂ ତିର୍ତୋଲର ନୋଡାଲ ଅଧିକାରୀ ପାର୍ଥସାରଥୀ ଦାସଙ୍କ ସହ ଯୋଗାଯୋଗ କରିବା ପରେ ସେମାନଙ୍କ ସାହାଯ୍ୟ ପାଇଥିବାରୁ ତାଙ୍କୁ ସବ୍ୟସାଚୀ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର