ଆଇଆଇଟି ଉଦ୍‌ଘାଟନରେ ପ୍ରଧାନମନ୍ତ୍ରୀ ଅତିଥି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇପାରନ୍ତି

ଭୁବନେଶ୍ୱର: ଡିସେମ୍ବର ୨୪ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ଭୁବନେଶ୍ୱର ଆଇଆଇଟି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଆଇଆଇଟିଗୁଡ଼ିକ ମଧ୍ୟରେ ଆଗରେ ଥିବା ଏହି ଶିକ୍ଷାନୁଷ୍ଠାନ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇଛି। ପ୍ରଶାସନିକ, ଏକାଡେମିକ କୋଠା ସମେତ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କ୍ୟାମ୍ପସକୁ ସବୁଜ ସୁନ୍ଦର କରାଯାଇଛି। ତେଣୁ ଅରୁଗୁଳଠାରେ ପ୍ରତିଷ୍ଠା ହୋଇଥିବା ସ୍ଥାୟୀ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉତ୍ସର୍ଗ କରାଯିବ। ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ନ ଥିଲେ ମଧ୍ୟ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହମତି ପ୍ରକାଶ କରିଥିବା ଆଇଆଇଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ତାହାକୁ ଆଧାର କରି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି। ଗତ ଜୁଲାଇ ମାସ ସୁଦ୍ଧା କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ଦେଉ ନ ଥିବାରୁ ତାହା ଉଦ୍‌ଘାଟିତ ହୋଇପାରୁ ନଥିଲା। ଇତି ମଧ୍ୟରେ ଆଇଆଇଟି କର୍ତୃପକ୍ଷ ତିନି ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ସମୟ ମାଗି ସାରିଲେଣି। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଯୋଜନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନ ଥିଲା। ଏପରିକି ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ କରିବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିବାରୁ ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଉଦ୍‌ଘାଟନ କରିବାକୁ ସମୟ ‌ଦେବେ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇ ପାରି ନଥିଲା। ଏଥର ପ୍ରଧାନମନ୍ତ୍ରୀ ଖୋର୍ଧାରେ ଅନୁଷ୍ଠିତ ହେବାକୁ ଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ଅବସରରେ ଆଇଆଇଟିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଏକପ୍ରକାର ସ୍ଥିର ହୋଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ, ବିଧାୟକଙ୍କୁ ବି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ। କ୍ୟାମ୍ପସର ପ୍ରବେଶ ପଥରେ ଥିବା ମୁଖ୍ୟ ଏକାଡେମିକ୍‌ କୋଠାକୁ ପ୍ରଧାନମନ୍ତ୍ରୀ ଫିତା କାଟି ଉଦ୍‌ଘାଟନ କରିବେ।

୨୦୦୮ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ବର ଆଇଆଇଟିର ନିଜସ୍ବ କ୍ୟାମ୍ପସ ପାଇଁ ୨୦୦୯ ଫେବ୍ରୁଆରି ୧୨ରେ ଅରୁଗୁଳଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରାୟ ଏକ ହଜାର ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ଏହି କ୍ୟାମ୍ପସର କାର୍ଯ୍ୟ ୨୦୧୧ରେ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା। ଗତ ଜୁନ୍‌ ମାସରେ ଭୁବନେଶ୍ବର ଆଇଆଇଟି ସମ୍ପୂର୍ଣ୍ଣ ଭାବେ ସ୍ଥାୟୀ କ୍ୟାମ୍ପସକୁ ଯାଇଥିଲା। ଏବେ ଆଇଆଇଟି କ୍ୟାମ୍ପସର ଏକାଡେମିକ୍‌ କୋଠା ସହ ୮୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ଅତ୍ୟାଧୁନିକ ରୋଷେଇ ଘର, ଜିମ୍‌, ସୋଲାର ଲାଇଟ୍‌, ୨୪ ଘଣ୍ଟିଆ ସୁରକ୍ଷା, ଏଟିଏମ୍‌ ସୁବିଧା, ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ଅଧ୍ୟାପକଙ୍କ ପାଇଁ ୮୦ଟି କ୍ବାର୍ଟର୍ସ, ୪୦ ରୁମ୍‌ ବିଶିଷ୍ଟ ଗେଷ୍ଟ ହାଉସ୍‌, କର୍ମଚାରୀଙ୍କ ପାଇଁ ୪୦ କ୍ବାର୍ଟର୍ସ, ଛୋଟ ବଜାର, ୨୦୦ ସିଟ୍‌ ବିଶିଷ୍ଟ କମ୍ୟୁନିଟି ସେଣ୍ଟର ହୋଇଛି। କ୍ୟାମ୍ପସରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ, ପାରାମେଡିକାଲ ଷ୍ଟାଫ୍‌ ନର୍ସ, କ୍ରିକେଟ୍‌ ପଡ଼ିଆ, ଟେବୁଲ୍‌ ଟେନିସ୍‌ ରୁମ୍‌, ବାସ୍‌କେଟ୍‌ବଲ୍‌ ଓ ଭଲିବଲ୍‌ କୋର୍ଟ ଆଦି ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଗୋଟିଏ ଛାତ୍ରୀ ନିବାସ, ଦୁଇଟି ଛାତ୍ରାବାସ, ନିର୍ଦେଶକଙ୍କ ବାସଭବନ, ‘ଏ’, ‘ବି’ ଓ ‘ଡି’ ଟାଇପ୍‌ କ୍ବାର୍ଟର୍‌, ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର, ଅଡିଟୋରିୟମ୍‌, ସେଣ୍ଟ୍ରାଲ ରିସର୍ଚ୍ଚ ଆଣ୍ଡ ଇନ୍‌ଷ୍ଟ୍ରୁମେଣ୍ଟେସନ ‌ଫାସିଲିଟି, ସେଣ୍ଟ୍ରାଲ ୱାର୍କସପ୍‌, ଲେକଚର‌୍ ହକ୍‌ ଆଦି ପ୍ରତିଷ୍ଠା ହୋଇଛି।

ସମ୍ବନ୍ଧିତ ଖବର