୩୬ହଜାର ବୁଥ ଓ ୫୦ ହଜାର ଗାଁରେ ବିଜେପି ଆୟୋଜନ କରିବ ମନ କି ବାତ
ଚନ୍ଦ୍ରଶେଖରପୁର : ରାଜଧାନୀର ପଟିଆ ଅଞ୍ଚଳର ଶିଖରଚଣ୍ଡୀ ନଗରରେ ଆଜି ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିର ମନ କି ବାତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ରାଜନୀତିରୁ ଊର୍ଧ୍ୱକୁ ଉଠି ଦେଶରେ ସକାରାତ୍ମକ ମନୋଭାବ ତିଆରି କରିବାକୁ ନେତୃତ୍ୱ ନେଇଛନ୍ତି। ମହିଳା ସଶକ୍ତୀକରଣ, ଲୋକମାନଙ୍କର ପଦ୍ମ ସମ୍ମାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ପାଞ୍ଚ ଜଣଙ୍କୁ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇଁ ଚୟନ କରାଯାଇଛି। ଏଥିପାଇଁ ଶ୍ରୀ ପ୍ରଧାନ ରାଜ୍ୟ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାରରେ ସାଧାରଣ ଲୋକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଛି। ଯାହାକି ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ୩୬ ହଜାର ବୁଥରେ ଓ ଆଗାମୀ ଦିନରେ ରାଜ୍ୟର ୫୦ ହଜାର ଗାଁରେ ଏକାଠି ମିଶି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବାର ଅଭିଯାନ ଆରମ୍ଭ କରାଯିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ସ୍ଥାନୀୟ ଜନତାଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିବା ଦେଖାଯାଇଥିଲା। ନିକଟରେ ବିଜେପିରେ ମିଶିଥିବା ବରିଷ୍ଠ ସିନେ ଅଭିନେତା ମିହିର ଦାସ, ଲେଖାଶ୍ରୀ ସାମନ୍ତସିଂହାର, ପୀତାମ୍ବର ଆଚାର୍ଯ୍ୟ, ସମୀର ମହାନ୍ତି, ଦିଲ୍ଲୀପ ମହାନ୍ତି, ମାନସୀ ସୁନ୍ଦରାୟ ପାଢ଼ୀ, ହରେକୃଷ୍ଣ ଖୁଣ୍ଟିଆ ତଥା ବହୁ ସାମାଜିକ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/RAJ-MANKI-BAAT.jpg)