ଭୁବନେଶ୍ବରରେ ରୋଡ୍‌ ‌ସୋ’ କରିବେ ମୋଦୀ

୫ଟି ଲୋକସଭା ନିର୍ବାଚନମଣ୍ଡଳୀର ନେତା, କର୍ମୀ ‌ଯୋଗ ଦେବେ, ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖରେ ଓଡ଼ିଶା ଆସିବେ। ସକାଳ ୧୦ଟାରେ ସେ ସମ୍ବଲପୁରରେ ଦଳୀୟ ସଭାରେ ଉଦ୍‌ବୋଧନ ଦେବେ। ତାହା ପ‌େର ଛତିଶଗଡ଼ ଯାଇ ଦୁଇଟି ଜନସଭାରେ ଯୋଗ ଦେଇ ଅପରାହ୍ନ ୫ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ବରମୁଣ୍ଡା ପଡ଼ିଆରେ ଦଳୀୟ ସମାବେଶର ଆ‌ୟୋଜନ କରାଯାଇଛି। ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ‌େରାଡ୍‌ ସୋ’ କରି ବରମୁଣ୍ଡା ଅଭିମୁଖେ ଯିବେ। ବିମାନବନ୍ଦର ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରେ ବାମ ପାର୍ଶ୍ବ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ରୋଡ୍‌ ସୋ’ କରି ବରମୁଣ୍ଡା ପଡ଼ିଆରେ ମୋଦୀ ପହଞ୍ଚିବେ।

ରୋଡ୍‌ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରମୁଣ୍ଡା ପଡ଼ିଆରେ ଯେତିକି ଲୋକଙ୍କ ସମାବେଶ କରାଯିବ ରୋଡ୍‌ ସୋ’ରେ ମଧ୍ୟ ସେତିକି ଲୋକଙ୍କୁ ସାମିଲ କରାଯିବ। ରୋଡ୍‌ ସୋ’କୁ ଅଧିକ ପ୍ରଭାବୀ ଢଙ୍ଗରେ କରିବା ପାଇଁ ବିଜେପି କର୍ମକର୍ତ୍ତା ଓ ପ୍ରାର୍ଥୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି। ଏହାକୁ ଆକର୍ଷଣୀୟ କରିବାକୁ ପାରମ୍ପରିକ ବାଦ୍ୟ, ପାଇକ ଆଖଡ଼ା, ଦଣ୍ଡନାଚ, ସମର କଳା ଆଦି ପ୍ରଦର୍ଶନ କରାଯିବ। ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରର ଲୋକସଭା ନିର୍ବାଚନମଣ୍ଡଳୀ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରମୁଣ୍ଡାସ୍ଥିତ ସଭା ସ୍ଥଳକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଦୀଙ୍କ ରୋଡ୍‌ ସୋ’ ଓ ସଭା ଏକାମ୍ର ନିର୍ବାଚନମଣ୍ଡଳୀରେ ହେଉଥିବାରୁ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ରାତିରେ ବିଜେପି ନେତା ଓ କର୍ମୀମାନଙ୍କ ସହ ବୈଠକ କରି ଆବଶ୍ୟକ ପ୍ରସ୍ତୁତି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବନ୍ଦୋବସ୍ତକୁ ‌େନଇ କମିସନରେଟ ପୁଲିସ ଓ ଏସପିଜି ମଧ୍ୟରେ ଆଜି ସନ୍ଧ୍ୟାରେ ଆଲୋଚନା ହୋଇଛି। ବରମୁଣ୍ଡା ସଭା ଓ ରୋଡ ସୋ ପାଇଁ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ବିମାନବନ୍ଦରରୁ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯିବ। ଯେଉଁଠି ଏହି ସବୁ ରାସ୍ତାକୁ ଗଳି ରାସ୍ତା ସଂଯୋଗ କରୁଥିବ ସେଠାରେ ଟ୍ରାଫିକ ପୁଲିସ ମୁତୟନ ହେବେ। ସେହିପରି ଭାରୀଯାନଗୁଡିକୁ କଟକର ମଙ୍ଗୁଳି ଓ ଖୋର୍ଧା ନିକଟରୁ ଡାଇଭର୍ସନ୍ କରାଯିବ। ଛୋଟ ଭାରୀଯାନଗାଡିକୁ ପିତାପଲ୍ଲୀ, ଚନ୍ଦକା, ବାଲିକୁଦା ନିକଟରୁ ଡାଇଭର୍ସନ କରାଯିବ। ଏହା ଛଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଲାଟୁନ ଫୋର୍ସ ଓ ୧୨୦ ପୁଲିସ ଅଫିସର ନିୟୋଜିତ ହେବେ। ଆଜିର ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଏସପିଜି ଆଇଜି ଯଶୋବନ୍ତ ଜେଠୱା, ଡିସିପି ଅନୁପ ସାହୁ ଓ ଟ୍ରାଫିକ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର