ଚନ୍ଦ୍ରଶେଖରପୁର : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଦେଶର ଗରିବ ମହିଳାଙ୍କୁ କେବଳ ଧୂଆଁରୁ ମୁକ୍ତି ଦେଇ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ, ପରିବାରର ଅର୍ଥନୀତି ଓ ତା ସହିତ ପରିବେଶ ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ପଥ ପରିଷ୍କାର କରିଛି। ଯଥାର୍ଥରେ କହିବାକୁ ଗଲେ ଗରିବ ମହିଳାଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ଏହି ଯୋଜନା ଏକ କ୍ରାନ୍ତି ଆଣିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଆଇଓସିଏଲ୍ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ କନ୍ଫେର୍ନସିଂ ମାଧ୍ୟମରେ ସିଧାସଳଖ କଥାବାର୍ତା କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ମୟୂରଭଂଜ ଜିଲ୍ଲାର ପିଏମ୍ୟୁୱାଇ ହିତାଧିକାରୀ ସୂଚିସ୍ମିତା କବାଟଙ୍କ ସହିତ କଥାବାର୍ତା କରିଥିଲେ। ୬୦ ବର୍ଷରେ ମାତ୍ର ୧୩ କୋଟି ପରିବାରକୁ ଗ୍ୟାସ୍ ପହଞ୍ଚିପାରିଥିବା ବେଳେ ୨୦୧୪ରୁ ୧୮ ମଧ୍ୟରେ ୧୦କୋଟି ଲୋକଙ୍କ ନିକଟକୁ ଏଲ୍ପିଜି ସଂଯୋଗ ପହଞ୍ଚି ପାରିଥିବା ମୋଦି ପ୍ରକାଶ କରିଥିଲେ। ୨୦୨୦ ମଧ୍ୟରେ ୮କୋଟି ବିପିଏଲ୍ ତାଲିକାଭୁକ୍ତ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯିବା ସହିତ ସବୁ ପରିବାରକୁ ଏଲ୍ପିଜି ସଂଯୋଗ ସୁନିଶ୍ଚିତ କରିବା ଦିଗରେ ତାଙ୍କ ସରକାର ନିଷ୍ଠାର ସହିତ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା କେ ଭି ସିଂହଦେଓ, ସଙ୍ଗୀତା ସିଂହଦେଓ, ମହିଳାମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଓ ପିଏମ୍ୟୁୱାଇ ହିତାଧିକାରୀ ଉପସ୍ଥିତ ଥିଲେ।
ମୋଦିଙ୍କୁ ପ୍ରଭାବିତ କଲେ ସୂଚିସ୍ମିତା
ଉଜ୍ଜ୍ୱଳା ଯୋଜନାରେ ଘରକୁ ଏଲ୍ପିଜି ସଂଯୋଗ ନେବା ପରେ ପରିବାରରେ କଣ କଣ ପରିବର୍ତନ ଆସିଛି, ପିଲାଙ୍କ ପାଠପଢ଼ା, ସ୍ୱାସ୍ଥ୍ୟ ଆଦି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଂଜର ସୂଚିସ୍ମିତାଙ୍କ ସହିତ କଥାବାର୍ତା ଆଳରେ ପଚାରି ବୁଝିଥିଲେ। ସୂଚିସ୍ମିତା ମଧ୍ୟ ବେଶ୍ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏହାସହିତ ଏଲ୍ପିଜି ସଂଯୋଗ ଫଳରେ ତାଙ୍କ ପାଖରେ ବେଶ୍ କିଛି ସମୟ ବଳକା ରହୁଛି। ତେଣୁ ଆତ୍ମନିର୍ଭରଶୀଳ ହେବା ପାଇଁ କିଛି କାମ ଯୋଗାଇଦେବାକୁ ସୂଚିସ୍ମିତା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ପରିବାରର ଆର୍ଥିକ ପରିସ୍ଥିତିକୁ ଦୃଢ଼ କରିବା ପାଇ ସବୁ ମହିଳା ଏପରି ଉନ୍ନତ ଚିନ୍ତାଧାର ରଖିବା ଆବଶ୍ୟକ ବୋଲି ମତ ଦେଇଥିଲେ। ନିଜେ ରୋଷେଇ କରି ବିଭିନ୍ନ ସ୍ଥାନକୁ ଖାଦ୍ୟ ପୁଡ଼ିଆ ପହଞ୍ଚାଇବା ସହିତ ଆହୁରି ଅନେକ କାର୍ଯ୍ୟର ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ।