ଭୁବନେଶ୍ବର: ଓଡ଼ିଶା ଗସ୍ତ ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରୁ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୨,୮୭୧ କୋଟି ଟଙ୍କାରେ ୪ଟି ଲେଖାଏଁ ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ଶିଳ୍ପ, ସମ୍ବଳ ସମୃଦ୍ଧ ଓ ଆଦିବାସୀ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରେଳ ନେଟୱାର୍କକୁ ମଜବୁତ ହେବ। ଉଦ୍‌ଘାଟିତ ହେବାକୁ ଥିବା ୪ଟି ପ୍ରମୁଖ ପ୍ରକଳ୍ପଗୁଡ଼ିକ ହେଉଛି ୨୫.୩୯୪ କିମିର ଲାଞ୍ଜିଗଡ ରୋଡ୍-ଆମ୍ବାଡୋଲା-ଡୋଇକାଲୁ ରେଳ ସେକ୍ସନ, ଯାହାକି ବିଜୟନଗରମ୍‌-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ଏକ ଅଂଶ। ଏହାର ଆନୁମାନିକ ମୂଲ୍ୟ ୪୩୨ କୋଟି ରହିଛି।

Advertisment

 ସେହିପରି କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନର ୨୨.୯୪ କିମି। ଯେଉଁଥିରେ ୨୬୦ କୋଟି ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି ସହ ଏହି ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ମାଲ ପରିବହନକୁ ସହଜ କରିବ। ବୁଢାପଙ୍କ-ସଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ୪୦.୬୨ କିମି ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ସେକ୍ସନ। ୫୪୦ କୋଟି ଟଙ୍କାରେ ଏହାକୁ ନିର୍ମାଣ କରାଯାଇଛି। ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର ୧୨.୫ କିମିର ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ ପ୍ରାୟ ୨୩୯ କୋଟି ବିନିମୟରେ ନିର୍ମାଣ ହୋଇଛି। ଏହାଦ୍ୱାରା ଓଡ଼ିଶା ଓ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ପାଇବ।

ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ୪ଟି ପ୍ରକଳ୍ପ ମଧ୍ୟରେ ସିଜୁ ଓ ପାରାଦୀପ କୋଚିଂ ୟାର୍ଡ ମଧ୍ୟରେ ୭କିମି ଫ୍ଲାଏଓଭର ନିର୍ମାଣ। ପ୍ରାୟ ୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ଭୂପୃଷ୍ଠ କ୍ରସିଂକୁ ଦୂର କରିବା ସହ ଭାରତର ପ୍ରମୁଖ ବାଣିଜ୍ୟ ହବ୍‌ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ଓ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବ। ଏହାବ୍ୟତୀତ ୧୮.୫୧ କିମି ପାରାଦୀପ-ବଡବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ। ପ୍ରାୟ ୩୦୦ କୋଟି ଟଙ୍କାରେ ଏହା ନିର୍ମାଣ ହେବ। ୧୫୨ କୋଟି ଟଙ୍କାରେ ୧୦.୯୩ କିମି ଏମ୍‌ସିଆରଏଲ୍‌ ଆଭ୍ୟନ୍ତରୀଣ କରିଡର ଫେଜ୍‌-୧ର ଦୋହରୀକରଣ, ୭୪୮ କୋଟି ଟଙ୍କା ଖର୍ଚ୍ଚରେ ୪୧.୯ କିମିର ଜୟପୁର-ନବରଙ୍ଗପୁର ନୂତନ ଲାଇନ। ଏହି ପ୍ରକଳ୍ପଗୁଡ଼ିକ ନିଯୁକ୍ତି, ବାଣିଜ୍ୟ ଓ ଗତିଶୀଳତାକୁ ପ୍ରୋତ୍ସାହିତ କରିବ। ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବ।

ପୁଲିସ ଛାଉଣୀରେ ସାରା ସହର, ନାଇଟ୍‌ ବ୍ଲକିଂ, ହୋଟେଲ୍‌ ଚେକିଂ କଡ଼ାକଡ଼ି

ଭୁବନେଶ୍ବର: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ଗାଡ଼କଣ ବସ୍ତି ଯିବେ। ୧୧ଟା ୧୦ରେ ସେଠାରେ ପହଞ୍ଚିବା ପରେ ୧୧ଟା ୧୫ରୁ ୧୧ଟା ୪୫ ଯାଏ ୩୦ମିନିଟ୍‌ ଧରି ସେଠାରେ ପିଏମ୍‌ ଆବାସ ହିତାଧିକାରୀଙ୍କ ସହ କଥା ହେବେ। ୧୧ଟା ୪୫ରେ ଗାଡ଼କଣରୁ ବାହାରି ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସୁଭଦ୍ରା ଯୋଜନା ସହ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ଓ ଲୋକାର୍ପଣ କରିବେ। କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ଣ ୧ଟାରେ ସିଧା ବିମାନବନ୍ଦର ଯିବେ। ୧ଟା ୨୦ରେ ଦିଲ୍ଲୀ ଫେରିଯିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟସୂଚୀ ଅନୁସାରେ ଆଜି କାର୍‌କେଡ୍‌ ରିହର୍ସାଲ୍‌ କରାଯାଇଥିଲା। ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତି ସମୀକ୍ଷା କରିଥିଲେ। ପୁଲିସ କମିସନର ସଂଜୀବ ପଣ୍ଡା, ଆଇଜି(କ୍ରାଇମ୍‌ବ୍ରାଞ୍ଚ) ସଫିନ୍ ଅହମ୍ମଦ, ଆଇଜି(ଇଓଡବ୍ଲ୍ୟୁ) ଜୟ ନାରାୟଣ ପଙ୍କଜ, ଆଇଜି(ପର୍ସନେଲ) ପ୍ରବୀଣ କୁମାର, ଏଆଇଜି ବିବେକାନନ୍ଦ ଶର୍ମା, ଏଆଇଜି ଯୁଗଳ କିଶୋର କୁମାର ବନୋଥ୍‌, ଡିସିପି ପ୍ରତୀକ ସିଂହ ସାମିଲ୍‌ ଥିଲେ। କାର୍‌କେଡ୍‌ ରିହର୍ସାଲ୍‌ ପରେ ଜନତା ମଇଦାନ ଓ ଗାଡ଼କଣ ପ୍ରସ୍ତୁତି ନେଇ ଯାଞ୍ଚ କରାଯାଇଥିଲା। କିଏ କେଉଁ ଗେଟ୍‌ରେ ଯିବେ? କେଉଁମାନେ କେଉଁଠି ବସିବେ? ହିତାଧିକାରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଭିଭିଆଇପି, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ସଭାସ୍ଥଳରେ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ଜନତା ମଇଦାନର ୭ ନମ୍ବର ଗେଟ୍‌ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକ ବା ହିତାଧିକାରୀ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଖାଲି ଏତିକି ନୁହେଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ଲାଟୁନ୍‌କୁ ବଢ଼ାଯାଇଛି। ବିମାନବନ୍ଦରରୁ ଜନତା ମଇଦାନ, ଗାଡ଼କଣ ଓ ଅନ୍ୟାନ୍ୟ ସ୍ଥାନରେ ୧୦୦ ପ୍ଲାଟୁନ୍‌ ପୁଲିସ ମୁତୟନ ରହିବେ। ସୋମବାର ଅପରାହ୍ଣ ୩ଟାରୁ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ସରିଛି। ସେମାନେ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି। ସେହିପରି ମଧ୍ୟ ରାତିରୁ ନାଇଟ୍‌ ବ୍ଲକିଂ ଚେକିଂକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ହୋଟେଲ୍‌ରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛି କମିସନରେଟ୍‌ ପୁଲିସ। ଅନ୍ୟପଟେ ୧୭ ତାରିଖ ସକାଳ ୭ଟା ୩୦ ମିନିଟ୍‌ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଜୟଦେବ ବିହାର ଛକରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ଛକ ମଧ୍ୟରେ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଯାନବାହନ ଯାତାୟାତ ବାରଣ କରାଯାଇଛି। ଏହି ସମୟରେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଯାନବାହନ ଡମଣା ଛକ ଠାରୁ ବାମ ମୋଡ଼ ନେଇ ଗୁରୁ କେଳୁଚରଣ ପାର୍କ, ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟବିହାର ଦେଇ ଯାଇପାରିବେ। କିମ୍ବା ଶିଖରଚଣ୍ଡୀ ପଥରଗାଡ଼ିଆ ଡିଏନ୍‌ ସ୍କୁଲ, କଳିଙ୍ଗ ଷ୍ଟଡିଓ ଛକ, ଫାୟାର ଷ୍ଟେସନ ଛକ ହୋଇ ଯାଇପାରିବେ। 

ସେହିପରି ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଯିବାକୁ ଚାହୁଥିବା ଯାନବାହନ ଆଚାର୍ଯ୍ୟବିହାର, ସୈନିକ ସ୍କୁଲ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକ ହୋଇ ଯାଇପାରିବେ। କିମ୍ବା ଫାୟାର ଷ୍ଟେସନ ଛକ, କଳିଙ୍ଗ ଷ୍ଟୁଡିଓ ଛକ, ଡିଏନ୍‌ ସ୍କୁଲ ପଥରଗାଡ଼ିଆ ଶିଖରଚଣ୍ଡୀ ହୋଇ ଯାଇପାରିବେ। କଟକ ପଟୁ ଆସୁଥିବା ଯାନବାହନ ଜାତୀୟ ରାଜପଥ ଦେଇ ଭୁବନେଶ୍ବର ଆଡ଼କୁ ଆସିପାରିବେ। କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ। ବେହେରା ସାହି ପଟୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ ବିହାର ଆଡ଼କୁ ନଯାଇ ବେହେରା ସାହି ଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ। ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହନ ଆଚାର୍ଯ୍ୟବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡରେ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ। ସେହିପରି ବରମୁଣ୍ଡା ପଟୁ ଆସୁଥିବା ଯାନବାହନଗୁଡ଼ିକ କ୍ରାଉନ ହୋଟେଲ ଠାରୁ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ ନାହିଁ। ଜରୁରିକାଳୀନ ସେବାରେ ନିୟୋଜିତ ଥିବା (ଫାୟାର ଓ ଆମ୍ବୁଲାନ୍ସ) ଯାନବାହନଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିସନରେଟ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।