‘ନିଜଠୁ ମୁକୁଳିଯିବାର ମାଧ୍ୟମ ହିଁ ହେଉଛି କବିତା’

ଭୁବନେଶ୍ବର: ନାଲ୍‌କୋ ଅଡିଟୋରିମ୍‌ରେ କବି ଅକ୍ଷୟ ବେହେରାଙ୍କ ଏକ କବିତା ସଂକଳନ ‘ଦିନ ପରେ ଦିନ’ ଉନ୍ମୋଚିତ ହୋଇଯାଇଛି। ପକ୍ଷୀଘର ପ୍ରକାଶନୀ ଦ୍ବାରା ପ୍ରକାଶିତ ତଥା କଥାକବିତା ଏକାଡେମି ପକ୍ଷରୁ ଆୟୋଜିତ ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରମାକାନ୍ତ ରଥ, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ, ବିଶିଷ୍ଟ ସାହିତ୍ୟିକ ଆଦିକନ୍ଦ ସାହୁ ଓ ସାହିତ୍ୟିକା ପ୍ରୀତି ରାୟ ଚାନ୍ଦ ଯୋଗ ଦେଇଥିଲେ। କବିତା କବିକୁ ଆହ୍ବାନ ଜଣାଇଲେ ହିଁ କବି ଲେଖେ। ନିଜଠୁ ଯେତେବେଳେ କବି ମୁକୁଳିଯିବା ପାଇଁ ମାଧ୍ୟମଟିଏ ଲୋଡ଼େ ସେତେବେଳେ କବିତା ତାହାର ଏକ ମାଧ୍ୟମ ହୋଇଯାଏ। ବାରମ୍ବାର ବିଫଳ ହେବାର ପ୍ରତିଶ୍ରୁତି ହେଉଛି କବିତା ଓ ତାହା କବିତା ରଚନାର ନିରନ୍ତର ପ୍ରବାହକୁ ତ୍ବରାନ୍ବିତ କରିଥାଏ ବୋଲି କବି ଶ୍ରୀ ରଥ କହିଥିଲେ। ମଣିଷକୁ ସାମଗ୍ରିକ ଭାବେ ଗ୍ରହଣ କରିବା ପାଇଁ ଏକ ଗଭୀର ଆଶାବାଦ ଏବଂ ଦୁଃଖ ଓ ଯାତନା ବିରୋଧରେ ବିଦ୍ରୋହ ରହିଛି କବିତାରେ। ପରିପକ୍ବ ସ୍ବାଚ୍ଛନ୍ଦ୍ୟ ହିଁ ଏହି କବିଙ୍କର କାବ୍ୟଯାତ୍ରାର ଅନ୍ୟତମ ବିଭବ ବୋଲି କବି ଡ. ପଣ୍ଡା କହିଥିଲେ। ମୁଖ୍ୟ ଅତିଥି ନାଲକୋ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କବିଙ୍କୁ ଶୁଭେଚ୍ଛା ଜଣାଇ କବିତା ସଂକଳନ ଓ କବିଙ୍କ ସମ୍ପାଦିତ ପତ୍ରିକା ସମ୍ପର୍କରେ ମତ ରଖିଥିଲେ। ପ୍ରଫେସର ସାହୁ ‘ଦିନ ପରେ ଦିନ’ କବିତା ସଂକଳନରୁ କେତେକ କବିତା ଆଲୋଚନା କରିଥିବା ବେଳେ ଗାଳ୍ପିକା ଚାନ୍ଦ କବିତା ସଂକଳନ ଉପରେ ବକ୍ତବ୍ୟ ରଖିଥିଲେ। କବି ଅରୁଣ ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ସାହିତ୍ୟିକ କ୍ଷୀରୋଦ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର