ପ୍ରାର୍ଥନା ଚାନ୍ଦଙ୍କ ‘ଥ୍ରୁ ଦ ଚେନ୍‌ସ’ ପୁସ୍ତକ ଲୋକାର୍ପିତ: କବିତା ଲେଖିବା କଷ୍ଟକର

ଭୁବନେଶ୍ବର: ଗଳ୍ପ/ଉପନ୍ୟାସ ଅପେକ୍ଷା କବିତା ଲେଖିବା କଷ୍ଟକର। ଉପନ୍ୟାସ ଲେଖିବା ସମୟରେ ଯଦି ୨/୪ ଧାଡ଼ି ଅଲଗା ହୋଇଯାଇଛି, ପରବର୍ତୀ ସମୟରେ କାହାଣୀକୁ ବାଟକୁ ଅଣାଯାଇ ପାରିବ। କହିବାକୁ ଗଲେ କାଦୁଅରେ ମୂର୍ତି ତିଆରି କରିବା ହେଉଛି ଉପନ୍ୟାସ। ମାତ୍ର କବିତା ଲେଖିବା ହେଉଛି ତାରକସି କାମ। ବହୁତ ମହଙ୍ଗା ଓ ଗୋଟିଏ ଶବ୍ଦ କମ୍/ବେଶି ହୋଇଗଲେ ସବୁ କିଛି ବିଗିଡ଼ି ଯାଇଥାଏ। ଏପରିକି ନିଜ ଭାଷାରେ କବିତା ଲେଖିବା କଷ୍ଟକର। କିଛି କବିତା ଆଇନାର କାଚ ସଦୃଶ୍ୟ ହୋଇଥିବା ବେଳେ ଆଉ କିଛି ସ୍ବଚ୍ଛ କାଚ ଭଳି। ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ି ପାରିଲେ କବିତାର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ତେବେ ଭାଷା ପ୍ରୟୋଗର କଳା କବିତା ପାଇଁ ଅଧିକ ଜରୁରୀ ବୋଲି ପ୍ରାର୍ଥନା ଚାନ୍ଦଙ୍କ ଦ୍ବିତୀୟ ଇଂରାଜୀ କବିତା ସଂକଳ୍ପ ‘ଥ୍ରୁ ଦ ଚେନ୍‌ସ’ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି। ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର ପୁସ୍ତକର ଲୋକାର୍ପଣ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ‘ସମ୍ବାଦ’ର ସଂପାଦକ(ଫିଚର) ତଥା କଥାକାର ଗୌରହରି ଦାସ, କବି ଓ ଅନୁବାଦକ ରୋହିଣୀକାନ୍ତ ମୁଖାର୍ଜୀ, କବି ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁସ୍ତକର ଲେଖକ ପ୍ରାର୍ଥନା କହିଥିଲେ, ପିଲା ଦିନୁ ତାଙ୍କୁ କବିତା ଲେଖିବାକୁ ଭଲ ଲାଗେ। କବିତା ଏକ ଜୀବନଶୈଳୀ। କବିତା ଲେଖିବା ପଛରେ ତାଙ୍କ ବାପା, ମା’, ସାଙ୍ଗ ଓ ଅନ୍ୟମାନଙ୍କ ପ୍ରେରଣା ଥିବା ପ୍ରାର୍ଥନା କହିଥିଲେ। ‘ଟାଇମ୍‌ ପାସ’ ପ୍ରକାଶନର ନିର୍ଦେଶକ ସରୋଜ ବଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ପବିତ୍ର ମୋହନ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର