କଟକ: କଟକ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶା ପ୍ରତିଭାପୂଜାସଂସଦର ଏକବିଂଶତମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଆୟୋଜିତ କବି ସମ୍ମିଳନୀରେ ୫୦ରୁ ଊର୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନକୁ ସ୍ବାମୀ ତ୍ୟାଗସ୍ୱରୂପା ନନ୍ଦ ସରସ୍ବତୀ ଉଦ୍ଘାଟନ କରିଥିଲେ। ସମାଜର କଲ୍ୟାଣ ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିବାକୁ ସେ ଆହ୍ବାନ ଦେଇଥିଲେ। ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା କବି ଧନଞ୍ଜୟ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କବିତା ଯେତେ ସରଳ ଓ ବୋଧଗମ୍ୟ ହେବ, ତାହା ସେତେ କାଳଜୟୀ ହେବ।
ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟାପକ ଉମାଶଙ୍କର ମିଶ୍ର, କବି ମୁରଲୀଧର ସାମଲ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦର ସଭାପତି ଡ. ସତ୍ୟ ରଏ ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସ ବିବରଣୀ ପାଠ କରିଥିଲେ। ସାହିତ୍ୟ ପତ୍ରିକା ପ୍ରତିଭା ଦର୍ପଣ ସମେତ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସ ‘ସପ୍ତଧା’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ଜନବାଦୀ କବି ଅକ୍ଷୟ ରାଉଳଙ୍କୁ ତାଙ୍କ ଉଚ୍ଚାଙ୍ଗ କବିତା ପାଇଁ ଏ ବର୍ଷ ୨୦୨୧ର କବିତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ପାଇଁ ବହୁ ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା।