କବିତା ପୁସ୍ତକ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର: ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଆଜି କବି ବଳରାମ ପୂଜାରୀଙ୍କ ପଞ୍ଚମ କବିତା ସଂକଳନ ‘ଶ୍ବେତପତ୍ର’ ଉନ୍ମୋଚିତ ହୋଇଯାଇଛି। ଏଥିରେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ପ୍ରତ୍ୟେକ ଆଦିବାସୀ ଗୋଟିଏ ଗୋଟିଏ ଉପନ୍ୟାସ, ଯାହାକୁ କେବେ ଖୋଲା ଯାଇନାହିଁ। ନିଜ କଲମ ମାଧ୍ୟମରେ ସେ କାହାଣୀକୁ ଲୋକଲୋଚନକୁ ଆଣିବା ପାଇଁ ଲେଖକମାନଙ୍କୁ ସେ ଆହ୍ବାନ ଦେଇଥିଲେ।

ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡ଼ା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ସହ ଭାବବିନିମୟ କରିଥିଲେ। ଲେଖିକା ହିମାଦ୍ରୀ ତନୟା ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। କବି ଶ୍ରୀ ପୂଜାରୀ ନିଜର ଲେଖକୀୟ ବକ୍ତବ୍ୟରେ ଆଦିବାସୀ ପ୍ରତିନିଧିମାନଙ୍କୁ ମାଟିର ଈଶ୍ବର ବୋଲି କହିଥିଲେ। ଏହି ଅବସରରେ ବ୍ୟଙ୍ଗକବି ଗିରୀଶ ରଂଜନ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ପ୍ରାବନ୍ଧିକ ପବିତ୍ରମୋହନ କର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସ ବଣ୍ଡା ସଂପ୍ରଦାୟର ସଭାପତି ସୁରେନ୍ଦ୍ର ନାୟକ ଓ ଦିଦାୟୀ ସଂପ୍ରଦାୟର ସଭାପତି ସମରା ଶିଶାଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମାଲକାନଗିରିରୁ ଆସିଥିବା ବଣ୍ଡା ଓ ଦିଦାୟୀ ଜନଜାତିର ପ୍ରତିନିଧି ଦଳ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର