ବିଶିଷ୍ଟ ଶିଶୁ ସାହିତ୍ୟିକା ସୁରମା ମିଶ୍ରଙ୍କ କବିତା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର : ଭିଏସ୍ଏସ୍ ନଗର୍ ନିବାସୀ ବିଶିଷ୍ଟ ଶିଶୁ ସାହିତ୍ୟିକା ସୁରମା ମିଶ୍ରଙ୍କ ତୃତୀୟ କବିତା ସଂକଳନ ‘ଅଝଟ କାହ୍ନା’ ରାଜଭବନ ପରିସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।

ଶିଶୁମାନଙ୍କ ପାଇଁ ଅତି ସରଳ ଓ ସୁବୋଧ୍ୟ ଭାଷାରେ କବିତା ଲେଖି ପାଠକମାନଙ୍କ ଦ୍ୱାରା ଶ୍ରୀମତୀ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହିଭଳି ମନଛୁଆଁ ଶିଶୁ କବିତା ଲେଖିବା ପାଇଁ ସେ ତାଙ୍କ ସ୍ୱାମୀ ସ୍ୱର୍ଗତ ନିରଞ୍ଜନ ମିଶ୍ରଙ୍କ ଠାରୁ ପ୍ରେରଣା ପାଇଥିଲେ ବୋଲି ମତ ପ୍ରକାଶ କରିଛନ୍ତି । ତାଙ୍କର ଅନେକ କବିତା ନିୟମିତ ଭାବେ ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଶ୍ରୀମତୀ ମିଶ୍ରଙ୍କ କବିତା ସଂକଳନଟି ଉନ୍ମୋଚିତ ହେବା ସମୟରେ ତାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ ଓ ମିଷ୍ଟଭାଷୀ ଭାବେ ବେଶ୍ ସୁପରିଚିତ । ତାଙ୍କର ଦେବସୁଲଭ ଗୁଣ ପାଇଁ ସେ ଘରେ ଏବଂ ବିଭିନ୍ନ ମହଲରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।

ସମ୍ବନ୍ଧିତ ଖବର