କବିତ୍ବ ଏକ ଭାବ ଓ ଏକ ଅନୁଭବ: ଅଧ୍ୟାପକ ବିଶ୍ବରଞ୍ଜନ

ଭୁବନେଶ୍ୱର: କବିତ୍ବ ଏକ ଭାବ ଓ ଏକ ଅନୁଭବ। ଏହାସହ କବିତା ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କହିଛନ୍ତି ବିଶିଷ୍ଟ କବି, ଗାଳ୍ପିକ ତଥା ସ୍ତମ୍ଭକାର ଅଧ୍ୟପାକ ବିଶ୍ବରଞ୍ଜନ। ଆଜି ପୁରୁଣା ଭୁବନେଶ୍ବରସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଡକ୍ଟର ଭରତ ବେହେରାଙ୍କ କବିତା ପୁସ୍ତକ ‘ବିବାକ ବସୁଧା’ ଓ ଡକ୍ଟର ବିରଞ୍ଚି କୁମାର ସାହୁଙ୍କ ସଂପାଦିତ ‘ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା’ର ଲୋକାର୍ପଣ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟପାକ ବିଶ୍ବରଞ୍ଜନ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପାଠକମାନେ ଅଧିକରୁ ଅଧିକ କବିତା ପାଠ କରି ଭରତ ବେହେରାଙ୍କ ଭଳି କବିଙ୍କୁ ଆବିଷ୍କାର କରିବା ଉଚିତ।

ପ୍ରଫେସର୍‌ ପ୍ରେମାନନ୍ଦ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ବିଶ୍ବଭାରତୀ ଶାନ୍ତିନିକେତନ ଓଡ଼ିଆ ବିଭାଗ ଆସୋସିଏଟ୍ ପ୍ରଫେସର ଡକ୍ଟର ଶରତ କୁମାର ଜେନା ଉପସ୍ଥିତ ରହି ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରାଙ୍କ କବିତାର ବିଷୟବସ୍ତୁ ଯେଭଳି ବିବିଧ, ଭାବ ଓ ଭାଷା ସେମିତି ବିସ୍ତୃତ ବୋଲି କହିଥି‌ଲେ। କବିତାରେ ଜୀବନର ଜୟଗାନ କରୁଥିବା କବିଙ୍କ ସବୁ କବିତା ସ୍ୱତଃସ୍ଫୂର୍ତ୍ତ ଓ ସ୍ୱାଭାବିକ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଲେଖକ ଡକ୍ଟର ବେହେରା ଲେଖକୀୟ ଅଭିଭାଷଣ ପ୍ରଦାନ କରି ନିଜ ଅନୁଭବ ଓ ଅନୁଭୂତିରୁ ବହୁ ଦୃଷ୍ଟାନ୍ତ ଦେଇ କବିତାର ସ୍ବର କିଭଳି ବର୍ଣ୍ଣାଢ଼୍ୟ ଓ ବୈଚିତ୍ର୍ୟପୂର୍ଣ୍ଣ ବୋଲି କହିଥିଲେ। ଏହି ସାରସ୍ୱତ ସମାବେଶରେ ପ୍ରଫେସର ବିଜୟ ଶତପଥୀ ଉଦ୍‌ଘାଟକ ଭାବେ ଓ କବି ମନୋରଂଜନ ପାଣିଗ୍ରାହୀ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ଡ. ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଡ. ବିରଞ୍ଚି କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସୋନାଲି ପ୍ରିୟଦର୍ଶିନୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରକାଶକ ରାଜକିଶୋର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର