ସେଓରେ ବିଷ! : ଚକ୍‌ଚକ୍‌ ପାଇଁ ଦିଆଯାଉଛି ମିନେରାଲ ତେଲର ପ୍ରଲେପ

କେଉଁ ତେଲ ମିଶିଛି ସ୍ପଷ୍ଟ ହୋଇନାହିଁ

ଭୁବନେଶ୍ୱର : ବିଷାକ୍ତ ହୋଇଗଲାଣି ରାଜଧାନୀ। କିଛି ଦିନ ପୂର୍ବେ ମାଛରେ ଫର୍ମାଲିନ୍‌ର ଉପସ୍ଥିତି ସାମ୍ନାକୁ ଆସିଥିବା ବେଳେ ଏବେ ସେଓରେ ବିଷାକ୍ତ ତେଲର ପ୍ରଲେପ ଦିଆଯାଉଥିବା ଅଭିଯୋଗ ଉଠିଛି। ସେଓକୁ ସତେଜ ଓ ଚକ୍‌ଚକ୍‌ ଦେଖାଯିବା ପାଇଁ ବିଷାକ୍ତ ପ୍ରଲେପ ଦିଆଯାଉଛି। ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ସଂଗୃହୀତ ସେଓର ନମୁନା ପରୀକ୍ଷା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ସେଓ ଦୀର୍ଘଦିନ ଧରି ଖାଇବା ଫଳରେ କର୍କଟ ରୋଗ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ମାସକ ତଳେ ଖାଦ୍ୟ ସୁରକ୍ଷା ପକ୍ଷରୁ ରାଜଧାନୀରେ ବିକ୍ରି ହେଉଥିବା ସେଓର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିବା ବେଳେ ଏଥିରେ କୌଣସି ବିଷାକ୍ତ ପଦାର୍ଥ ମିଶି ନ ଥିବା ସାମ୍ନାକୁ ଆସିଥିଲା। ମାତ୍ର ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରୁ ଆସିଥିବା ଏହି ରିପୋର୍ଟ ଖାଦ୍ୟ ସୁରକ୍ଷା ପକ୍ଷରୁ ହୋଇଥିବା ଯାଞ୍ଚ ରିପୋର୍ଟକୁ ସନ୍ଦେହ ଘରକୁ ଟାଣି ନେଇଛି। ରାଜଧାନୀର ବିଭିନ୍ନ ଫଳ ମାର୍କେଟରୁ ଏହି ନମୁନା ସଂଗ୍ରହ କରାଯାଇ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରେ ମହମ(ମିନେରାଲ ତେଲ)ର ଉପସ୍ଥିତି ସ୍ପଷ୍ଟ ହୋଇଛି। ୨୦୧୧ ମସିହା କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ଆଇନରେ ସେଓ ପାଇଁ ଯେଉଁ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି, ତହିଁରେ ସଂଗୃହୀତ ସେଓ ନମୁନା ବିଫଳ ହୋଇଛି। ଫଳରେ ରାଜଧାନୀରେ ବଜାରରେ ବିଷାକ୍ତ ସେଓ ବିକ୍ରି ହେଉଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା, ତାହା ସ୍ପଷ୍ଟ ହୋଇଛି। ଏଭଳି ବିଷାକ୍ତ ସେଓ ବିକ୍ରି କରୁଥିବା ଜଣାପଡ଼ିଲେ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବାର ନିୟମ ରହିଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉ ନ ଥିବାରୁ ବିଷାକ୍ତ ସେଓ ବେଧଡ଼କ ବିକ୍ରି ହେଉଛି।

ଓୟୁଏଟିର ଅବସରପ୍ରାପ୍ତ ମାଇକ୍ରୋବାଇଓଲୋଜି ପ୍ରଫେସର ବିଭୂତି ମିଶ୍ରଙ୍କ କହିବାନୁଯାୟୀ, ମାଛରେ ଫର୍ମାଲିନ୍‌ ଭଳି ସେଓରେ ମହମ ପ୍ରଲେପ ଦିଆଗଲେ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ।

ଖାଦ୍ୟ ସୁରକ୍ଷାର ଅଧିକାରୀଙ୍କ କହିବା କଥା, ମାସେ ତଳେ ରାଜଧାନୀରେ ଯେଉଁ ସେଓ ନମୁନାର ପରୀକ୍ଷା ହୋଇଥିଲା, ତହିଁରୁ ଏଭଳି କୌଣସି ବିଷାକ୍ତ ପ୍ରଲେପ ସଂପର୍କରେ ରିପୋର୍ଟ ଆସି ନ ଥିଲା। ଆନ୍ଧ୍ରର ରାଜମହେନ୍ଦ୍ରୀ ହେଉଛି ଫଳର ବଡ଼ ଗଦି। ସେଠାରୁ ରାଜଧାନୀକୁ ବିଭିନ୍ନ ଭେରାଇଟିର ସେଓ ଆସୁଛି। ଏହାସହ ସିମ୍‌ଲାରୁ ମଧ୍ୟ କେତେକାଂଶରେ ସେଓ ରାଜଧାନୀକୁ ଅଣାଯାଉଛି। ସେଓକୁ ଚକ୍‌ଚକ୍‌ ଦେଖାଯିବା ପାଇଁ ଏଥିରେ ମହମର ପ୍ରଲେପ ଦିଆଯାଇଥାଏ। ତେବେ ମିନେରାଲ ତେଲର ପ୍ରଲେପ ବାହାରିବା ପ୍ରଥମ ଘଟଣା। ଏହି ସେଓରେ କେଉଁ ତେଲର ପ୍ରଲେପ ଦିଆଯାଉଛି, ତାହା ସ୍ଥାନୀୟ ପରୀକ୍ଷାଗାରରେ ପରୀକ୍ଷା ହୋଇପାରିବ ନାହିଁ। ଆଗକୁ ରାଜଧାନୀର ବିଭିନ୍ନ ସ୍ଥାନରୁ ସେଓ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର